ଗାନ୍ଧୀ ଜୟନ୍ତୀରେ କେନ୍ଦ୍ରାପଡା ଜିଲା କଂଗ୍ରେସର ବିଶାଳ ପଦଯାତ୍ରା

କେନ୍ଦ୍ରାପଡ଼ା,୦୩/୧୦/୨୦୨୫(ଓଡ଼ିଶା ସମାଚାର)- ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦ୍ରାପଡାର ନବ ନିଯୁକ୍ତ ଜିଲା କଂଗ୍ରେସ ସଭାନେତ୍ରୀ ଡା. ଦେବସ୍ମିତା ଶର୍ମା କଜଳାସ୍ଥିତ ଜିଲା କଂଗ୍ରେସ ଭବନରେ ପ୍ରବେଶ କରି ଦାୟୀତ୍ୱ ଗ୍ରହଣ କରିଛନ୍ତି । ପ୍ରଥମେ ଗରାପୁରସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତି ଓ ପରେ ତିନିମୁହାଣିସ୍ଥିତ ଗାନ୍ଧୀ ଓ ଅନ୍ୟାନ୍ୟ ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ଜିଲା ସଭାନେତ୍ରୀ ଡା. ଶର୍ମା ଗାନ୍ଧିଜୀଙ୍କ ପ୍ରିୟ ଭଜନ ଗାନକରି କଂଗ୍ରେସ କର୍ମୀଙ୍କ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲା କଂଗ୍ରେସ ଭବନରେ ପହଂଚି ସେଠାରେ ଥିବା ଜାତିରପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଏହାପରେ କଂଗ୍ରେସ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ଜିଲା କଂଗ୍ରେସ ସଭାନେତ୍ରୀ ଡା. ଶର୍ମା ମହାତ୍ମାଗାନ୍ଧୀଙ୍କ ଅହିଂସା ନୀତିକୁ ଆଦର୍ଶ ଭାବେ ଗ୍ରହଣ କରି ସାଧାରଣ ଜନତାଙ୍କ ସେବା କରିବାକୁ କଂଗ୍ରେସ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ଏଥିସହିତ କେନ୍ଦ୍ରାପଡା ଜିଲାରେ ଦଳୀୟ ସଂଗଠନକୁ ଅଧିକ ମଜଭୁତ କରିବାକୁ ଦଳର ସମସ୍ତ ତୃଣମୂଳ ସ୍ତରର ନେତୃତ୍ୱ ଓ କର୍ମୀମାନେ ଏକାଠି ହୋଇ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ନୂତନ ତଥା ଜିଲାର ପ୍ରଥମ ମହିଳା ସଭାନେତ୍ରୀ ଡା. ଶର୍ମାଙ୍କୁ ଦଳୀୟ ନେତା ଓ କର୍ମୀମାନେ ଉତରୀୟ,ପୁଷ୍ପମାଲ୍ୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଉଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

ଗାନ୍ଧୀ ଜୟନ୍ତୀ ସାଙ୍ଗକୁ ବିଜୟାଦଶମୀ ଓ ସୁଦଶାବ୍ରତ ଭଳି ଶୁଭବେଳାରେ ଡା. ଶର୍ମା ଜିଲା କଂଗ୍ରେସର ଗୁରୁଦାୟୀତ୍ୱ ଗ୍ରହଣ କରିଥିବାରୁ କଂଗ୍ରେସ କର୍ମୀମାନେ ମା’ଦୁର୍ଗା କଂଗ୍ରେସର ମଙ୍ଗ ଧରିଲେ ବୋଲି କହିଥିଲେ ।

ଏହି ସଭାକୁ ରାଜକନିକା ବ୍ଲକ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରା ସଂଯୋଜନା କରିଥିଲେ । ଏହି ସଭାରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା ଓ ଡ. ସିପ୍ରା ମଲ୍ଲିକ, ରାଜନଗର କଂଗ୍ରେସ ନେତା ଅଶୋକ ପ୍ରତିହାରୀ, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ଆକବର ଅଲ୍ଲୀ, ଭାଗିରଥୀ ଜେନା,

ଜିଲ୍ଲା କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଜୟଦେବ ପରିଡା, ରମାକାନ୍ତ ଦାଶ, ପ୍ରଦୀପ ପ୍ରଧାନ, ମଳୟ ଦାସ, ବିଧୁଭୂଷଣ ମହାପାତ୍ର, ଛାତ୍ରକଂଗ୍ରେସ ସଭାପତି ଦିବ୍ୟରଞ୍ଜନ ରାଉତ, ମହେନ୍ଦ୍ର ପରିଡା, ବସନ୍ତ ସେଠୀ, ସର୍ବେଶ୍ୱର ସେଠୀ, ହେମନ୍ତ ମିଶ୍ର, ରଶ୍ମିତା ମହାନ୍ତି, ସୁଚିତ୍ରା ବିଶ୍ୱାଳ, ପ୍ରମିଳା ସାହୁ, ବିଧାନ ସାମଲ, ନଳୀନି ମହାନ୍ତି, ବାବୁରାମ ଜେନା, ରବିନାରାୟଣ ବେହେରା, ଜଗନ୍ନାଥ ସେଠୀ, ସନ୍ତୋଷ ବେହେରା, ରଶ୍ମିରଞ୍ଜନ ଚୌଧୁରୀ, ଶିଖାଂଶୁ ଲେଙ୍କା, ତପନ ପାତ୍ର, ଉମେଶ ପାଢୀ ପ୍ରମୁଖ ଶତାଧିକ ଦଳୀୟ ନେତା ଓ କର୍ମୀମାନେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ବିଚାରାଧାରକୁ ନେଇ ନିଜ ନିଜର ବକ୍ତବ୍ୟ ରଖିବା ସହ ଆଗାମୀ ଦିନରେ ନୂତନ ସଭାନେତ୍ରୀ ଡା. ଶର୍ମାଙ୍କ ହାତମୁଠାକୁ ଟାଣ କରିବା ସହ ଜିଲା ସଂଗଠନକୁ ମଜଭୁତ କରିବାକୁ ସଂକଳ୍ପ ନେଇଥିଲେ ।

ଏହି ଅବସରରେ ଡେରାବିଶ ବ୍ଲକରୁ ସୁମନ୍ତ ସେଠୀ, ସୂର୍ଯ୍ୟକାନ୍ତ ସେଠୀ,ଅଶ୍ୱିନୀ କର ଓ ନିରଞ୍ଜନ ସାହୁ ପ୍ରମୁଖ ବହୁ କର୍ମୀ ଅନ୍ୟଦଳ ଛାଡି କଂଗ୍ରେସ ଦଳରେ ଯୋଗଦେଇଥିଲେ । ସଭାନେତ୍ରୀ ଡା. ଶର୍ମା ସେମାନଙ୍କୁ ଦଳୀୟ ଉତରୀୟ ପ୍ରଦାନ ପୂର୍ବକ କଂଗ୍ରେସ ଦଳକୁ ସ୍ୱାଗତ କରିଥିଲେ । ନୂତନ ଜିଲା ସଭାନେତ୍ରୀଙ୍କୁ ନେଇ ଜିଲା କଂଗ୍ରେସ ବେଶ ଉତ୍ସାହିତ ଥିବା ଦେଖାଯାଇଥିଲା ।

Leave a Reply

Your email address will not be published. Required fields are marked *