ଯାଜପୁର ରେ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ପାଳିତ

ଯାଜପୁର,୦୧/୧୦/୨୦୨୫ (ଓଡ଼ିଶା ସମାଚାର)-ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି  ପକ୍ଷରୁ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି।  ଏହି ଦିବସରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ  ରକ୍ତଦାନ ହେଉଛି ସର୍ବୋତ୍ତମ ଦାନ । ଏହା ମାନବତାର ସତ୍ୟ ସେବା ଓ କର୍ତ୍ତବ୍ୟ। ଏକଥୋପା ରକ୍ତ କାହାର ପ୍ରାଣକୁ ବଞ୍ଚାଇପାରେ । ରକ୍ତଦାନ କେବଳ ଜୀବନକୁ ବଞ୍ଚାଇବା ନୁହେଁ, ଏହା ଆମ ସମାଜରେ ମାନବତା, ସହାନୁଭୂତି ଓ ସେବାଭାବକୁ ସୁଦୃଢ କରେ। ସେହିପାଇଁ, ମୋର ଅନୁରୋଧ — ସମସ୍ତ ସୁସ୍ଥ ନାଗରିକ ନିୟମିତ ଭାବରେ ରକ୍ତଦାନ କରନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବାକୁ ଅନୁରୋଧ କରିଥିଲେ। ।

ଉକ୍ତ ଦିବସରେ ଯୋଗଦେଇ ପୂର୍ବତନ ଅଧ୍ୟକ୍ଷ, ବରୁଣେଶ୍ୱର ମହାବିଦ୍ୟାଳୟ ଶ୍ରୀ ବଟକୃଷ୍ଣ ମହାପାତ୍ର କହିଲେ ରକ୍ତଦାନ ଏକ ମହତ୍ ଦାନ। ରକ୍ତଦାନ ଦ୍ବାରା ବହୁ ଅମୂଲ୍ୟ ଜୀବନକୁ ରକ୍ଷା କରାଯାଉଛି। ରକ୍ତଦାନ ସମସ୍ତ ମାନବୀୟ କର୍ତ୍ତବ୍ୟମାନଙ୍କ ମଧ୍ୟରୁ ସର୍ବୋତ୍ତମ। ମଣିଷର ଜୀବନକୁ ବଞ୍ଚାଇବା ପାଇଁ ଯାହାର ଆବଶ୍ୟକତା ସର୍ବାଧିକ, ସେଇଟି ହେଉଛି ରକ୍ତ। ଏହି ପୃଥିବୀରେ କୌଣସି କାରଖାନା, କୌଣସି ଯନ୍ତ୍ର ରକ୍ତ ତିଆରି କରିପାରେନି; ମଣିଷରୁ ମଣିଷ ପାଇଁ ଏହାର ଦାନ ସମ୍ଭବ। ଆଜିର ଏହି ରକ୍ତଦାନ ଶିବିରରେ ସମ୍ମାନିତ ଦାତାମାନେ,  ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ସହଭାଗୀତାକୁ ମୁଁ  ସ୍ୱାଗତ କରୁଛି। ଆପଣମାନଙ୍କ ଏହି ମହାନ ପ୍ରୟାସରେ ଆଜି ଅନେକ ଜୀବନରେ ଆଶାର ଆଲୋକ ଜଳିଉଠିଛି। ରକ୍ତଦାନ କରିବା ଦ୍ଵାରା କେବଳ କାହାର ପ୍ରାଣ ବଞ୍ଚେ ନାହିଁ, ବରଂ ଦାତାଙ୍କ ଶରୀର ସ୍ୱାସ୍ଥ୍ୟକର ଓ ସୁସ୍ଥ ରହେ। ସେଥିପାଇଁ ସମସ୍ତ ସୁସ୍ଥ ଲୋକଙ୍କୁ ମୋର ଅନୁରୋଧ – ନିୟମିତ ଭାବରେ ରକ୍ତଦାନ କରନ୍ତୁ, ଏବଂ ସମାଜରେ ଏହାର ସଚେତନତା ବିସ୍ତାର କରନ୍ତୁ।

ଉକ୍ତ ଶିବିରରେ ସିଭିଲ ସୋସାଇଟି, ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କର ସହଯୋଗର ଆବଶ୍ୟକତା ରହିଛି।  ଏ ସମ୍ପର୍କରେ ସମସ୍ତେ ସଚେତନ ହେବା ଦରକାର। ଜଣେ ସ୍ଵେଚ୍ଛାକୃତ ରକ୍ତଦାତାଙ୍କ ବୟସ ୧୮ ରୁ ୬୫ ବର୍ଷ ମଧ୍ୟରେ, ଓଜନ ୪୪ କିଗ୍ରା ରୁ ଅଧିକ, ନାଡ଼ିର ଗତି ପ୍ରତି ମିନିଟ ରେ ୬୦ ରୁ ୧୦୦ ମଧ୍ୟରେ ନିୟମିତ ରହିବା, ରକ୍ତଚାପ ସିଷ୍ଟୋଲିକ ୧୦୦ ରୁ ୧୪୦ ମି.ମି., ଡାଇଷ୍ଟୋଲିକ ୬୦ ରୁ ୯୦ ମି.ମି., ହିମୋଗ୍ଲୋବିନ ସ୍ତର ୧୨.୫ ଗ୍ରାମ ରୁ ଅଧିକ, ପାଟିର ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରୁ ଅଧିକ ହୋଇଥିବା ଆବଶ୍ୟକ ।

ଉକ୍ତ ଦିବସରେ ୯୨ ଗୋଟି ସ୍ଵେଚ୍ଛାସେବୀ ସଂସ୍ଥା ମହତ ରକ୍ତ ଦାନ ଶିବିରର ଆୟୋଜନ କରିଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଜାତୀୟ ରକ୍ତଦାନ ଦିବସ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା. ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଉପ ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ ଅତିରିକ୍ତ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା. ଗୋପାଳ ଚନ୍ଦ୍ର ମଲ୍ଲିକ, ବି.ସି.ଏମ.ଓ ଡ଼ା. ପ୍ରଶାନ୍ତ କୁମାର ବିଶ୍ବାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଏକ ମହତ ଦାନ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ଓଡ଼ିଶା ରକ୍ତ କେନ୍ଦ୍ରର ସମସ୍ତ କର୍ମଚାରୀ, କର୍ମକର୍ତ୍ତା, ବ୍ଲକ୍ ସ୍ତରରେ ପାର୍ଥ ସାହାଣୀ ପୁହାନ, ସିତାଂଶୁ କୁମାର ସ୍ବାଇଁ, ବିଶ୍ବ ରଂଜନ ଓଝା, ବୈଶାଖୀ ସାହୁ, ନବୀନ ସେଠୀ ପ୍ରମୁଖ ଯୋଗଦେଇ ଉକ୍ତ ରକ୍ତଦାନ ଦିବସରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *