ଜଗତସିଂହପୁର, ୨୫/୦୯/୨୦୨୫ (ଓଡ଼ିଶା ସମାଚାର)- କୃଷି ବିଜ୍ଞାନ କେନ୍ଦ୍ର, ଜଗତସିଂହପୁର ଆନୁକୁଲ୍ୟରେ ବୈଜ୍ଞାନିକ ପଦ୍ଧତିରେ ଛେଳି ପାଳନ ବିଷୟରେ ଏକ ୩ ଦିନିଆ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରାଣୀ ସମ୍ପଦ ବିକାଶ ବିଭାଗ ସହ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏରସମା ବ୍ଲକ ଅନ୍ତର୍ଗତ ୨୦ଜଣ ପ୍ରାଣୀପାଳକ ଭାଗନେଇଥିଲେ। କାର୍ଯ୍ୟକ୍ରମ ଟି ତା ୨୩.୦୯. ୨୦୨୫ ରିଖ ରେ ଆରମ୍ଭ ହୋଇ ତା ୨୫.୦୯.୨୦୨୫ ରିଖ ରେ ସମ୍ପନ୍ନ ହୋଇଛି।

ପ୍ରଥମ ଦିନରେ କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁରର ବରିଷ୍ଟ ବୈଜ୍ଞାନିକ ଏବଂ ମୁଖ୍ୟ ଡ. ଜୀବନଜିତ୍ ସେନ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ତାଲିମର ମହତ୍ତ୍ୱ ଏବଂ ଜିଲ୍ଲା କୃଷି ଉନ୍ନତିରେ କୃଷି ବିଜ୍ଞାନ କେନ୍ଦ୍ରର ଭୂମିକା ବିଷୟରେ ପ୍ରାଣୀ ପାଳକ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରାଣୀ ସମ୍ପଦ ବିଭାଗର ସହକାରୀ ପ୍ରାଣୀ ଚିକିତ୍ସକ ଡ. ରୁଦ୍ର ନାରାୟଣ ମିଶ୍ର,ଡ. ଦୁର୍ଗାପ୍ରସାଦ ଦାଶ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ପ୍ରାଣୀ ବିଜ୍ଞାନୀ ଡ. ତପନ ପଲାଇ ୩ଦିନ କାଳ ଛେଳି ପାଳନ ବିଷୟରେ ଚାଷୀଙ୍କୁ ତାଲିମ୍ ପ୍ରଦାନ କରିଥିଲେ।
ବିଭିନ୍ନ ପ୍ରଜାତି ଛେଳି, ବୋଦା ଚୟନ, ବୋଦା ଅଦଳ ବଦଳ, ଛେଳି ଗୃହ ପରିଚାଳନା, ଖାଦ୍ୟ ବ୍ୟବସ୍ଥା,ରୋଗ ପରିଚାଳନା, ଗର୍ଭବତୀ ଛେଳିର ଯତ୍ନ,ଛେଳି ଛୁଆର ଯତ୍ନ ଆଦି ବିଷୟରେ ଚାଷୀମାନଙ୍କୁ ସମସ୍ତ ଶିକ୍ଷା ଦିଆଯାଇଥିଲା। ୨ୟ ଦିନରେ ବାଜେଧାନୁଆ ସ୍ଥିତ ଛେଳି ଫାର୍ମକୁ ବୁଲିବାକୁ ଯାଇ ଚାଷୀମାନେ ବ୍ୟବହାରିକ ଜ୍ଞାନ ଲାଭ କରିଥିଲେ। କାର୍ଯ୍ୟକ୍ରମର ଶେଷ ଦିନରେ ଚାଷୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବୈଜ୍ଞାନିକ ଦେବାଶିଷ ପଣ୍ଡା,ଡ଼. ପ୍ରଦୀପ୍ତ ମାଝୀ ଡ଼. ଦ୍ୱାରିକା ମୋହନ ଦାସ, ସସ୍ମିତା ପୁରୋହିତ ,ସରିତା ଦାସ ସହଯୋଗ କରିଥିଲେ। ପରିଶେଷରେ ଜିଲ୍ଲାର ଅଗ୍ରଣୀ ଛେଳିପାଳକ ଚାଷୀ ମାନେ ନିଜ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ ।
