ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ନବମାତୃକା ପୂଜା

‘ମା’ଙ୍କୁ ପୂଜାକଲେ ବୃଦ୍ଧାଶ୍ରମର ଆବଶ୍ୟକତା ରହିବ ନାହିଁ’-ମେୟର ସୁଲୋଚନା ଦାସ

ଭୁବନେଶ୍ୱର,୨୨/୦୯/୨୦୨୫ (ଓଡ଼ିଶା ସମାଚାର)- ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ସଂସ୍କାରବାଦୀ ସଂଗଠନ ଆର୍ଯ୍ୟ ସମାଜ ପକ୍ଷରୁ ସୋମବାର ନବରାତ୍ରର ପ୍ରଥମ ଦିବସ ଆଶ୍ୱିନ ଶୁକ୍ଳ ପତିପଦାର ପବିତ୍ର ତିଥିରେ ଚନ୍ଦ୍ରଶେଖରପୁର ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ଆର୍ଯ୍ୟସମାଜ ଓଡ଼ିଶାର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଯାଇଛି ।

କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଲେ ଯେ, ମହର୍ଷି ଦୟାନନ୍ଦ ଭାରତବର୍ଷରେ ୧୫୦ ବର୍ଷ ତଳେ ମହିଳାମାନଙ୍କ ପାଇଁ ଯେଉଁ ସଂଗ୍ରାମର ସୂତ୍ରପାତ କରିଥିଲେ ଆଜି ମଧ୍ୟ ତାହାର ଆବଶ୍ୟକତା ରହିଛି । ସମାଜରେ ଆମେ ଯଦି ମା’ଙ୍କୁ ଠିକଣା ଭାବେ ମର୍ଯ୍ୟାଦା ଦେବା, ତେବେ ଆଉ ବୃଦ୍ଧାଶ୍ରମର ଆବଶ୍ୟକତା ରିହବ ନାହିଁ ବୋଲି ସେ କହିଥିଲେ । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତ, ଆର୍ଯ୍ୟ ସମାଜର ଏହି କାର୍ଯ୍ୟକ୍ରମକୁ ଭୂରୀ ଭୂରୀ ପ୍ରଶଂସା କରିବା ସହ ନୂତନ ଯୁବପିଢିଙ୍କ ପାଖରେ ଏହି ବାର୍ତା ପହଂଚାଇବାକୁ ସେ ଆହ୍ୱାନ ଦେଇଥିଲେ ।

ବିଶିଷ୍ଟ ବୈଦିକ ବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାରଙ୍କ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମହୋତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଫେସର ଡଃ ପ୍ରଫୁଲ୍ଲ କୁମାର ମିଶ୍ର କହିଲେ ଯେ, ଭାରତବର୍ଷରେ ମାତୃପୂଜାର ଏକ ଗୌରବମୟ ଇତିହାସ ରହିଛି । “ମା” ସବୁବେଳେ ସମାଜରେ ଅଗ୍ରପୂଜ୍ୟା, ଏ ବାର୍ତା ଦେବା ପାଇଁ ମାତୃପୂଜାର ସୃଷ୍ଟି । ସାଧାରଣ ଲୋକଙ୍କୁ ବୁଝିବା ପାଇଁ ମୂର୍ତିପୂଜାକୁ ଅଳଙ୍କାରିକ କରାଯାଇଛି । କିନ୍ତୁ ମା’ କରୁଣାର ଅବତାର । ପୁଣି ଦୁଷ୍ଟ ସଂହାରର ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି । ପ୍ରଫେସର ଡଃ ହରେକୃଷ୍ଣ ଶତପଥୀ ମା’ଙ୍କୁ କଲ୍ୟାଣମୟୀ ଓ ଲୋକ କଲ୍ୟାଣ ପାଇଁ ସେ ଆବିର୍ଭୁତା ବୋଲି କହିଥିଲେ । କିନ୍ତୁ ଏହା ସତ୍ୟ ହୋଇଥିଲେ ମଧ୍ୟ ତା’ଭିତରେ ଏକ ଅନ୍ତର୍ନହିତ ଶକ୍ତି ଅଛି । ଏହାକୁ ଚେତାଇ ଦେବା ହିଁ ନବମାତୃକା ପୂଜା ।


ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଆର୍ଯ୍ୟସମାଜର ଏହି ଅଭିନବ ପରିକଳ୍ପନାର ପ୍ରଶଂସା କରିବା ସହ ଉପସ୍ଥିତ କନ୍ୟାମାନଙ୍କୁ ଆଶୀର୍ବାଦ ଦେଇ ଭାରତୀୟ ସଂସ୍କୃତିର ମହନୀୟତା ଉପରେ ଜାଣିବା ପାଇଁ ପରାମର୍ଶ ଦେଇଥିଲେ ।

ମୁଖ୍ୟବକ୍ତା ପ୍ରଗତିବାଦୀର ସମ୍ପାଦକ ବୀରୁପାକ୍ଷ ତ୍ରିପାଠୀ ସମାଜରେ ଦେଖା ଦେଇଥିବା ବିଲକ୍ଷଣ ଉପରେ ଆଲୋକପାତ କରିଥିଲେ । ଗୋଟିଏ ପଟେ ଆମେ ଧୁମ୍ ଧାମରେ ମାତୃପୂଜା କରୁଛୁ, ଅନ୍ୟ ପଟେ ଆମେ କନ୍ୟା ଭ୍ରୁଣହତ୍ୟା କରୁଛେ । ଏଣୁ ଆଜି ସମୟ ଆସିଛି ମଣିଷ ସମାଜକୁ ସତର୍କ କରାଇବା ପାଇଁ ଆଜିର ଏହି ଅଭିନବ ମାତୃପୂଜା । ବିଶିଷ୍ଟ ବକ୍ତା ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀ ଓଡ଼ିଶାରେ ମାତୃପୂଜାର ଆଧାରଶୀଳା ସନ୍ଥ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ ବୋଲି ସେ କହିବା ସହ ମହର୍ଷି ଦୟାନନ୍ଦ ୧୫୦ ବର୍ଷ ତଳେ ଯେଉଁ ସଂସ୍କାରବାଦୀ ଆନ୍ଦୋଳନର ସୂତ୍ରପାତ କରିଥିଲେ ଆଜି ତାର ସୁଫଳର ଏକ ନିଦର୍ଶନ ନବମାତୃକା ପୂଜା ।

ଏହି ଅବସରରେ ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ପୌରହିତ୍ୟରେ ବେଦଯଜ୍ଞ ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ଓ ଡଃ ନିବେଦିତା ପଟ୍ଟନାୟକ ଜଜମାନ ଆସନ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ପାଲାଚାର୍ଯ୍ୟ ସୁରେନ୍ଦ୍ରନାଥ ଛୋଟରାୟ, ପାଲାଚାର୍ଯ୍ୟ ନାରାୟଣ ଶୁକ୍ଲ ଓ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ଦେବୀସ୍ତୋତ୍ର ପାଠ କରିଥିଲେ । କରବର ଆର୍ଯ୍ୟ ସମାଜର ମା’ ସବିତା ଶୁକ୍ଲ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଚିତରଞ୍ଜନ ପଣ୍ଡା ସ୍ୱାଗତ ଭାଷଣ ଓ ଜନ୍ମେଞ୍ଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମ କୁ ନଳିନୀକାନ୍ତ ରାଉତ, ବରୁଣରାଜ ଓ ଭବାନୀକାନ୍ତ ରାଉତ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବ ପ୍ରଶାସକ ସହଦେବ ଜୟସିଂ, ଧାରା ଶ୍ରୀରାଧା ଟ୍ରଷ୍ଟର ଅଧ୍ୟକ୍ଷ ଅମରେନ୍ଦ୍ର ମହାପାତ୍ର, ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର, ଡଃ ବିମୋଚପ୍ରଜ୍ଞା ତ୍ରିପାଠୀ, ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର ସମ୍ପାଦକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଡଃ ଆଲୋକ ରଥ, ସୀତାବଲ୍ଲଭ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ସମାଜର ବିଭିନ୍ନ ବର୍ଗର ୯ଜଣ ମା’ ସର୍ବଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପଟ୍ଟନାୟକ, କନକଲତା ବିଶ୍ୱାଳ, ପୁଷ୍ପରେଣୁ ଶତପଥୀ, ରାଜଶ୍ରୀ ମହାପାତ୍ର, ଜ୍ୟୋତିର୍ମୟୀ ନାୟକ, ଅମ୍ବିକା ପ୍ରଧାନ, ଆରତୀ ଜ୍ଞାନେନ୍ଦ୍ର, ବିୟୋତପ୍ରଜ୍ଞା ତି୍ରପାଠୀ ଓ ବିଚିତ୍ରା ରଥଙ୍କୁ ମହର୍ଷି ଡିଗ୍ରୀ ମହିଳା ମହାବିଦ୍ୟାଳୟର କନ୍ୟାମାନେ ପୂଜାର୍ଚ୍ଚନା କରିଥିଲେ ।

Leave a Reply

Your email address will not be published. Required fields are marked *