ପୁରୀ,୧୮/୦୯/୨୦୨୫(ଓଡ଼ିଶା ସମାଚାର)- ପୁରୀର ସେବାୟତ ପରିବାର ଝିଅ ସୁନୟନା ମହାପାତ୍ର ନିକଟରେ ଆୟୋଜିତ ସେଫିଟ୍ ଇଣ୍ଡିଆ ଓଡ଼ିଶା ଟପ୍ ସେଫ୍ ସିଜିନ୍ ଟୁ ର ଗ୍ରାଣ୍ଡ ଚମ୍ପିଅନଶିପ୍ ର ୱିନର ହୋଇଛନ୍ତି ।ତାଙ୍କର ଏହି ସଫଳତା ପାଇଁ ପୁରୀଠାରେ ତାଙ୍କୁ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି । ଦ ବେଲ୍ ୟୁଥ୍ କ୍ଲବ୍ ତରଫରୁ ସ୍ଥାନୀୟ ସରକାରୀ ୟୁଥ୍ ହଷ୍ଟେଲ ପରିସର ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅନୁଷ୍ଠାନ ତରଫରୁ ତାଙ୍କର ଏହି କୃତିତ୍ୱ ପାଇଁ ତାଙ୍କୁ ଦ ବେଲ୍ ଯୁବଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି ।
ଶ୍ରୀକ୍ଷେତ୍ରର ପାରମ୍ପରିକ ଖାଦ୍ୟକୁ ଗୁଣବକ୍ତା ସହିତ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ତାହାକୁ ପହଂଚାଇବା ତାଙ୍କର ଲକ୍ଷ ବୋଲି ସୁନୟନା ଏହି ଅବସରରେ କହି ଥିଲେ । ଏହା ପୂର୍ବରୁ ମୋଦିଙ୍କ ଜନ୍ମ ଦିନରେ ଚକୋଲେଟରେ ମୋଦିଙ୍କ ପ୍ରତିମୂର୍ତି ନିର୍ମାଣ କରି ବେଶ ଚର୍ଚ୍ଚାରେ ରହି ଥିଲେ ସୁନୟନା । ବେଲ୍ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ପର୍ବରେ ମୁଖ୍ୟ ଅତିଥି ଭାବରେ ପୁରୀ ଜିଲ୍ଲା ଲୋକ ସମ୍ପର୍କ ଉପନିର୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ପୁରୀ ସେବାୟତ ପରିବାରର ଝିଅ ଭାବରେ ଏଭଳି ଗୌରବ ଆଣିବା ସମସ୍ତଙ୍କ ମଧ୍ୟରେ ଖୁସି କଥା ତଥା ଏହା ସେବାୟତ ପରିବାର ଝିଅମାନଙ୍କ ପାଇଁ ଏକ ନୂତନ ଦିଶା ଦେଖାଇବାରେ ସୁନୟନାଙ୍କ କୃତିତ୍ୱ ସହାୟକ ହେବ ବୋଲି କହିଥିଲେ ।
ଅନ୍ୟତମ ଅତିଥିଭାବେ ସେଫ୍ଫିଟ୍ ଇଣ୍ଡିଆର ବ୍ରାଣ୍ଡ ଆମ୍ବାସଡର ସେଫ୍ ବିଶ୍ୱଜିତ୍ ମହାରଥୀ, ଭୁବନେଶ୍ୱର ଆଇଏଚଏମ ଅଧ୍ୟାପକ ସୁଧୀର କୁମାର ସିଂ, କ୍ଲବ୍ ଚକୋଲେଟ୍ ର କୋ ଫାଉଣ୍ଡର ରାକେଶ କୁମାର ସାହୁ, ମହାସୁଆର ନିଯୋଗର ସମ୍ପାଦକ ଗଣେଶ୍ୱର ମହାସୁଆର, ଚତୁର୍ଦ୍ଧାମ ବେଦ ଭବନ ନ୍ୟାସର ସମ୍ପାଦକ ବିଜୟ କୃଷ୍ଣ ବ୍ରହ୍ମା ପ୍ରଭୃତି ଯୋଗ ଦେଇ ଶୁଭେଛା ବାର୍ତା ଦେବା ସହିତ ରାଷ୍ଟ୍ରୀୟ ଓ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ସୁନୟନା ପାଇଁ ଯଥେଷ୍ଟ ସମ୍ଭାବନା ଅଛି ବୋଲି କହିଥିଲେ ।
