କଟକ,୧୮/୦୯/୨୦୨୫(ଓଡ଼ିଶା ସମାଚାର)- ଓଡ଼ିଶା ପ୍ରୋ ଟି- ୨୦ ଲିଗ ର ଦ୍ୱିତୀୟ ମ୍ୟାଚରେ କେନ୍ଦୁଝର ମାଇନର୍ସ ବିଜୟୀ ହୋଇଛି । ସ୍ଥାନୀୟ ବାରବାଟୀ ଷ୍ଟାଡ଼ିୟମଠାରେ ଖେଳାଯାଇଥିବା ଏହି ମ୍ୟାଚରେ ସେମାନେ ପୁରୀ ଟାଇଟାନ୍ସକୁ ୪୫ ରନରେ ପରାସ୍ତ କରିଛନ୍ତି । ୧୬୦ ରନର ଟାର୍ଗେଟ ପିଛା କରି ପୁରୀ ଟାଇଟନ୍ସ ପକ୍ଷରୁ ସାନ୍ତନୁ ମିଶ୍ର ଓ ଅନୁରାଗ ଷଡଙ୍ଗୀ ଇନଙ୍ଗସ ଆରମ୍ଭ କରିଥିଲେ । ସାନ୍ତନୁ ୮ଟି ବଲ ରେ ୪ ରନ କରିଥିବାବେଳେ ଅନୁରାଗ ୮ ବଲ ରେ ୭ ରନ କରି ଆଉଟ ହୋଇଥିଲେ । ଏହାପରେ ସନ୍ଦୀପ ପଟ୍ଟନାୟକ ୨୨ ବଲ ରେ ୨୫ ରନ ଓ କାର୍ତିକ ବିଶ୍ୱାସ ୨୪ ବଲ ରେ ୨୩ ରନ କରି କ୍ରିଜ ରେ ଅଳ୍ପ ସମୟ ପାଇଁ ରହିଥିଲେ ।
ଏହାଛଡ଼ା ସାୱନ ପହରିଆ ୨୦ ବଲ ରେ ୧୯ ରନ ସ୍କୋର କରିଥିଲେ । ପୁରୀ ଟାଇଟାନ୍ସ ୧୮.୧ ଓଭର ରେ ୧୧୪ ରନ କରି ସମସ୍ତ ୱିକେଟ ହରାଇଥିଲେ । କେନ୍ଦଝର ମାଇନର୍ସ ପକ୍ଷରୁ ସର୍ବେଶ୍ୱର ମହାନ୍ତି ଘାତକ ବୋଲିଂ କରି ୨.୧ ଓଭର ରେ ମାତ୍ର ୧୨ ରନ ଦେଇ ୫ଟି ୱିକେଟ ଅକ୍ତିଆର କରିଥିଲେ । ଏହାଛଡ଼ା କେଉଁଝର ମାଇନର୍ସ ପକ୍ଷରୁ ସୟଦ ଟି ଅହମ୍ମଦ ୨ଟି ୱିକେଟ, ସୌମ୍ୟ ଲେଙ୍କା ୧ଟି ଓ ଗୋବିନ୍ଦ ପ୍ରଧାନ ୧ଟି ୱିକେଟ ନେଇଥିଲେ । ଖେଳ ଆରମ୍ଭରେ ଟସ ଜିତିବା ପରେ କେନ୍ଦୁଝର ମାଇନର୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ଦଳ ପକ୍ଷରୁ ଓମ ଟି ମୁଣ୍ଡେ ଓ ଦେବବ୍ରତ ପ୍ରଧାନ କେନ୍ଦୁଝର ମାଇନର୍ସ ପକ୍ଷରୁ ଇନଙ୍ଗସ ଆରମ୍ଭ କରିଥିଲେ । ଦେବବ୍ରତ କୌଣସି ସ୍କୋର ନକରି ଆଉଟ ହୋଇଥିଲେ । ମୁଣ୍ଡେର ୧୮ଟି ୨୨ ରନ ସ୍କୋର କରିଥିଲେ ।
ଏହାପରେ ସୁଜଲ ସିଂହ ୩୫ଟି ବଲରୁ ୪୮ରନ କରି ଇନଙ୍ଗସର ସର୍ବାଧିକ ସ୍କୋର କରିଥିଲେ । ଏହାଛଡ଼ା କେନ୍ଦୁଝର ମାଇନର୍ସ ପକ୍ଷରୁ ଅନିଲ ପରିଡ଼ା ୨୬ଟି ବଲ ରୁ ୩୭ ମୂଲ୍ୟବାନ ରନ ସ୍କୋର କରିଥିଲେ । ଶେଷଆଡ଼କୁ ସୟଦ ଟି ଅହମ୍ମଦ ୪ଟି ବଲ ରୁ ଅପରଜିତ ୧୩ ରନ ଯୋଡ଼ି କେନ୍ଦୁଝର ମାଇନର୍ସ ଦଳକୁ ୨୦ ଓଭର ରେ ମୋଟ ୧୫୯/୮ ରନରେ ପହଂଚାଇବାରେ ସାହାଯ୍ୟ କରିଥିଲେ । ପୁରୀ ଟାଇଟାନ୍ସ ପକ୍ଷରୁ ମହମ୍ମଦ ଡାନିସ ୩୪ ରନ ଦେଇ ୪ଟି ୱିକେଟ ନେଇ ପୁରୀ ଟାଇଟାନ୍ସ ପକ୍ଷରୁ ଶ୍ରେଷ୍ଠ ବୋଲର ଭାବେ ବିବେଚିତ ହୋଇଥିଲେ । ଏହାଛଡ଼ା ଉଦୟ କାଟା ୨ଟି, ରାକେଶ ମହାନ୍ତି ୧ଟି ଓ ଆଶୁତୋଷ ଛୁରିଆ ଗୋଟିଏ ଲେଖାଏ ୱିକେଟ ନେଇଥିଲେ । କେନ୍ଦୁଝର ମାଇନର୍ସର ସର୍ବେଶ୍ୱର ମହାନ୍ତି ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ କରାଯାଇଥିଲା ।
