କେନ୍ଦ୍ରାପଡ଼ା, ୧୬/୦୯/୨୦୨୫(ଓଡ଼ିଶା ସମାଚାର)-ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ସୁସ୍ଥନାରୀ ସଶକ୍ତ ପରିବାର ଅଭିଯାନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା କାଲି ଅର୍ଥାତ ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଇନ୍ଦୋର ସହରରୁ ଦେଶ ବ୍ୟାପୀ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା ଉଦ୍ଧେଶ୍ୟରେ ଏହି ଅଭିଯାନର ଶୁଭାରମ୍ଭ କରିବେ । ଏହି କାର୍ଯ୍ୟକ୍ରମ ସେପ୍ଟ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଏହି ଅଭିଯାନ ଜିଲାର ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସ୍ୱାସ୍ଥ୍ୟ ଉପକେନ୍ଦ୍ର, ଗ୍ରାମାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ, ଉପଖଣ୍ଡ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପଟ୍ଟାମୁଣ୍ଡାଇ, ଜିଲାର ସମସ୍ତ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲା ଚିକିତ୍ସାଳୟରେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇ ସବୁବର୍ଗର
ମହିଳାଙ୍କ ରକ୍ତ ସର୍କରା, ରକ୍ତଚାପ ଓ ହେମୋଗ୍ଲୋବିନ ପରୀକ୍ଷା, ଥାଲାସେମିଆ, କର୍କଟ, ଯକ୍ଷ୍ମା ରୋଗ ନିରୂପଣ ସହିତ ମହିଳାଙ୍କ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା, ଚିକିତ୍ସା ଓ ପରାମର୍ଶ ଦିଆଯିବ । ଏହା ସହିତ ଭ୍ରମ୍ୟମାଣ ସ୍ୱାସ୍ଥ୍ୟଟିମ ଗଠନ କରି ବିଭିନ୍ନ ଅନୁଷ୍ଠାନ ଏବଂ ଅନ୍ୟ ଅଂଚଳକୁ ଗସ୍ତ କରି ସଚେତନ କାର୍ଯ୍ୟକ୍ରମ ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଜିଲାପାଳ ଶ୍ରୀ ଆୟାର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।
ଯେମିତ ସମସ୍ତବର୍ଗର ମହିଳା ଏଥିରେ ସାମିଲ ହେବେ ସେଥିପ୍ରତି ଗୁରତ୍ୱ ଦେବାକୁ ଜିଲାପାଳ କହିଛନ୍ତି । ଏହାସହିତ ଏହି ଅଭିଯାନରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯିବ । ଏହି ପ୍ରସ୍ତୁତି ବୈଠକରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମନୋରଞ୍ଜନ ରାଉତ,ଏଡିଏମଓ ଡା. ପ୍ରମୋଦ କୁମାର ପ୍ରହରାଜ,ଅତିରିକ୍ତ ଜିଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର, ଡା. ଗୌରାଙ୍ଗ ଚରଣ ମିଶ୍ର, ଡା. ଶ୍ୟାମ ସୁନ୍ଦର ଟୁଡୁ, ଜିଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଡେପୁଟି ମ୍ୟାନେଜର ସୁଶାନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇଥିବା ବେଳେ ଆଭାସୀ ମାଧ୍ୟମରେ ଜିଲାର ସମସ୍ତ ସ୍ୱାସ୍ଥ୍ୟ ବିଭାଗ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ । ମହିଳାମାନେ ଆସିବା ବେଳେ ସାଙ୍ଗରେ ଆଧାରକାର୍ଡ ଧରିକି ଆସିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଯାହାଫଳରେ ଖୁବ କମ ସମୟ ମଧ୍ୟରେ ପଞ୍ଜିକରଣ ସହ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଯାଇପାରିବ ।
