କେନ୍ଦ୍ରାପଡ଼ା,୧୪/୦୯/୨୦୨୫(ଓଡ଼ିଶା ସମାଚାର)-ଆସନ୍ତା ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ହେବାକୁ ଥିବା ସୁସ୍ଥ ନାରୀ – ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ସଫଳ କରିବା ନେଇ ଜିଲଳ ସ୍ୱାସ୍ଥ୍ୟ ସମିତି ପକ୍ଷରୁ ପ୍ରସ୍ତୁତି କରାଯାଉଛି । ଏହି ଉପଲକ୍ଷେ ଜିଲାପାଳ ରଘୁରାମ ଆର. ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ନବକ୍ରିଷ୍ଣ ଜେନା, ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋରଞ୍ଜନ ରାଉତ, ଏଡ଼ିଏମଓ (ମେଡିକାଲ) ଡା. ପି. କେ. ପ୍ରହରାଜ, ଅତିରିକ୍ତ ଜିଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ସଚ୍ଚିଦାନନ୍ଦ ମିଶ୍ର, ଡା. ଗୌରାଙ୍ଗ ଚରଣ ଗିରି, ଡା. ଶ୍ୟାମସୁନ୍ଦର ଟୁଡୁଙ୍କ ସମେତ ଜିଲା ପ୍ରୋଗ୍ରାମ ପରିଚାଳକ ଡା. ମନୋରଞ୍ଜନ ସାହୁ ପ୍ରମୁଖ ବ୍ୟାପକ ଆଲୋଚନା କରିଛନ୍ତି ।
ପ୍ରଶାସନିକ ଅଧିକାରୀ ଦିଲୀପ କୁମାର ନାୟକ, ଫାଇନାନସିଆଲ ଅଫିସର ଆଶୁତୋଷ ତ୍ରିପାଠୀ, ଜିଲା ଆକାଉନ୍ଟସ ମ୍ୟାନେଜର ସର୍ବେଶ୍ୱର ପ୍ରଧାନ, ଜିଲା ଡାଟା ମ୍ୟାନେଜର ଜ୍ୟୋତିରଞ୍ଜନ ପରିଡା, ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଏପିଡେମିଓ ଲୋଜିଷ୍ଟ ଡା. ଅଶୋକ କୁମାର ସାହୁ, ଡ଼ିପିଏଚସିଓ ଶୁଭ ନାରାୟଣ ନାୟକଙ୍କ ସମେତ ସମସ୍ତ ମେଡିକାଲ ଅଫିସର ଇନଚାର୍ଜ, ବି ପି ଏମ, ବି ଡ଼ି ଏମ, ପି ଏଚ ଇ ଓ, ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସମସ୍ତ ସହକାରୀ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅଭିଯାନ ଜିଲାର ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ସ୍ୱାସ୍ଥ୍ୟ ଉପକେନ୍ଦ୍ର , ଗ୍ରାମାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ,ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର- କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ, ସବ ଡିଭିଜନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପଟ୍ଟାମୁଣ୍ଡାଇ, ଜିଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲା ମୁଖ୍ୟ ଚିକିତ୍ସାଳୟ କେନ୍ଦ୍ରାପଡ଼ାରେ ଶିଶୁ କନ୍ୟାଠାରୁ ଆରମ୍ଭ କରି ସମସ୍ତ ମହିଳା ଯେକୌଣସି ବୟସ ନିର୍ବିଶେଷରେ ଏହି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇ ସେମାନଙ୍କର ଅଣ ସଂକ୍ରାମକ ରୋଗର ପରୀକ୍ଷା, ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ମାଧ୍ୟମରେ ଚିକିତ୍ସାସେବା, ରକ୍ତହୀନତାର ପରୀକ୍ଷା, କୁଷ୍ଠ ଓ ଯକ୍ଷ୍ମା ଆଦି ରୋଗର ପରୀକ୍ଷା ଓ ତା’ର ଚିକିତ୍ସାରେ ସାମିଲ ହୋଇପାରିବେ ।
ଏହି ଅଭିଯାନରେ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହେବ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି କି ସେମାନେ ଆସିବା ସମୟରେ ସେମାନଙ୍କର ଆଧାର କାର୍ଡ କିମ୍ବା ଆଭା ଆଇଡି ସାଙ୍ଗରେ ନେଇଆସିବେ । ଯାହାଫଳରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଳ୍ପ ସମୟ ମଧ୍ୟରେ ସେମାନଙ୍କ ପଞ୍ଜିକରଣ ଚରାଯାଇ ଆବଶ୍ୟକୀୟ ପରୀକ୍ଷା ଓ ଚିକିତ୍ସା କରାଯାଇପାରିବ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଇନ୍ଦୋର ଠାରେ ସେପ୍ଟେମ୍ବର ୧୭ ତାରିଖରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ସେହିପରି ରାଜ୍ୟ ଓ ଜିଲା ମହିଳା ଓ ଶିଶୁ ବିଭାଗ ପକ୍ଷରୁ ପୋଷଣ କାର୍ଯ୍ୟକ୍ରମ ମଧ୍ୟ ଏଥିରେ ସାମିଲ ହୋଇଛି । ଜିଲା ସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତିଙ୍କ ସମେତ ସମସ୍ତ ସି ଡ଼ି ପି ଓ ଓ ଜିଲା ସ୍ତରର କର୍ମଚାରୀ ବୈଠକରେ ସାମିଲ ଥିଲେ । ଆଶା ଏହି କାର୍ଯ୍ୟକ୍ରମରେ ଜିଲାର ସମସ୍ତ ଜନସାଧାରଣ ସହଯୋଗ କରି ସୁସ୍ଥ ନାରୀ – ସଶକ୍ତ ପରିବାର ଅଭିଯାନ କୁ ସଫଳ କରିବେ ।
