କେନ୍ଦ୍ରାପଡ଼ା,୧୨/୦୯/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ଖଡିଅଙ୍ଗ ଠାରେ ଓଡିଶା କନଷ୍ଟ୍ରକସନ ୱାର୍କରସ ୟୁନିଅନ(ସିଟୁ)ର ଷଷ୍ଠ କେନ୍ଦ୍ରାପଡା ଜିଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରୟାତ ସାଥୀ ଓ ଜିଲା ୟୁନିଅନର ପ୍ରାକ୍ତନ ସଭାପତି ସାଥୀ ରମେଶ ମଲ୍ଲିକଙ୍କ ସ୍ମୃତି ପ୍ରତି ସମ୍ମାନ ଜଣାଇ ଏକ ମିନିଟ ନିରବ ଦଣ୍ଡାୟମାନ ପୂର୍ବକ ପ୍ରତିନିଧି ସାଥୀ ଅବଲମ୍ବନ କରିଥିଲେ । ୟୁନିଅନର ଉପସଭାପତି ଜଗତଜୀବନ ଦାଶ ସମ୍ମିଳନୀରେ ଅଧ୍ୟକ୍ଷତା କରିଥିଲେ । ନିର୍ମାଣ ଶ୍ରମିକମାନଙ୍କ ଦାବି ଉପରେ ସମ୍ପାଦକ ମାଧବ ଦାସ ସମ୍ମିଳନୀରେ ରିପୋର୍ଟ ଉପସ୍ଥାପନ କରିଥିଲେ ।
ଏହି ରିପୋର୍ଟ ଉପରେ ୧୪ଜଣ ସାଥୀ ଆଲୋଚନା କରିବା ପରେ ଏହା ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା । ଆଗାମୀ ଦିନରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଆନ୍ଦୋଳନ କରିବାକୁ ନିଷ୍ପତିି ହୋଇଥିଲା । ୨୯ଟି ଶ୍ରମ ଆଇନକୁ ବଦଳାଇ ୪ଟି ଶ୍ରମିକ କୋର୍ଡକୁ ବିରୋଧ, ୮ଘଂଟା ବଦଳରେ ୧୨ଘଂଟା କାମକରିବାକୁ ବିରୋଧ, ମହିଳାମାନଙ୍କୁ ରାତ୍ରୀ ସିଫ୍ଟରେ କାମ କରାଇବା ବିରୁଦ୍ଧରେ ଆଗାମୀ ଦିନରେ ବୃହତର ଆନ୍ଦୋଳନ କରାଯିବା ପାଇଁ ନିଷ୍ପତିି ଗ୍ରହଣ, ନିର୍ମାଣ ଶ୍ରମିକ ବୋର୍ଡରେ ଚାଲିଥିବା ଦୁର୍ନୀତି ଓ ନିର୍ମାଣ ଶ୍ରମିକମାନଙ୍କ ପାଇଁ କନ୍ୟାବିବାହ ସହାୟତା, ପିଲାମାନଙ୍କୁ ଶିକ୍ଷା ସହାୟତା ଓ ଦୁଇମାସ ମଧ୍ୟରେ ମୃତୁ୍ୟକାଳୀନ ସହାୟତା ପ୍ରଦାନ କରାଯିବାକୁ ଦାବି କରାଯାଇଛି ।
ଆଗାମୀ ଦିନରେ ସଭାପତି ଭାବେ ଅକ୍ଷୟ ତରାଇ, ସମ୍ପାଦକ କିଶୋର ସାହୁ, କୋଷାଧ୍ୟକ୍ଷ ମାଧବ ଦାସ, କାର୍ଯ୍ୟକାରୀ ସମ୍ପାଦକ ଅଶୋକ ନାଥ, କାର୍ଯ୍ୟକାରୀ ସଭାପତି ଜଗତଜୀବନ ଦାଶ, ସହସମ୍ପାଦକ ସୁଷମା ପଣ୍ଡା, ନିରାକାର ସାହୁ,ପରମେଶ୍ୱର ସୁତାର, ବିଜୟ ମଳିକ, ନିର୍ମଳା ସିଂହ, ସତ୍ୟଭାମା ସାହୁ, ବିଜୟ ସାହୁ ଓ ଉପସଭାପତି ସ୍ନହଲତା ଗାହାଣ, ମହେଶ୍ୱର ପରିଡା, ଅଦ୍ୱୈତ୍ୟ ମଳିକ, ରବିନ୍ଦ୍ର ମହାକୁଳ, ଦିପ୍ତିମୟୀ ବେହେରାଙ୍କୁ ଓ ଯୁଗ୍ମସମ୍ପାଦକ ଭାବେ ସାଥୀ ମନୋରଞ୍ଜନ ଷଡଙ୍ଗୀଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା । ଏହି ସମ୍ମିଳନୀରେ ଆଇ.ଏନ.ଟି.ୟ.ୁସି. ଜିଲା ସଭାପତି ସାଥୀ ମୁକ୍ତାର ଖାଁ, ଶ୍ରମିକ ନେତା ପ୍ରକାଶ ମହାନ୍ତି ଓ ଶିବସୁନ୍ଦର ନାଥ ପ୍ରମୁଖ ଉପସ୍ଥିତ ଥିଲେ ।
