କେନ୍ଦ୍ରାପଡ଼ା, ୦୮/୦୯/୨୦୨୫(ଓଡ଼ିଶା ସମାଚାର)- ପଟ୍ଟାମୁଣ୍ଡାଇ ବୋଧଗାଁର ଝିଅ ବନିତା ରାଉତ ବିଭତ୍ସ ଗଣହତ୍ୟାର କ୍ରାଇମବ୍ରାଂଚ ତଦନ୍ତ ଦାବିରେ ସୋମବାର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ପୋଲିସ ର ନିଷ୍କ୍ରିୟତା ଓ ପକ୍ଷପାତିତା, ଦୋଷୀମାନଙ୍କୁ ଘଂଟ ଘୋଡାଇବା, ମୃତ ବନିତାଙ୍କ ବିରୁଦ୍ଧରେ ପୋଲିସର ବୟାନ ବାଜି ଏବଂ ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ମହିଳା ଅତ୍ୟାଚାର ବିରୁଦ୍ଧରେ ଅନୁଷ୍ଠିତ ଗଣଧାରଣା ପୂର୍ବରୁ ଭୀଷଣ ବର୍ଷା ସତ୍ୱେ ସ୍ଥାନୀୟ ସାନ୍ତସାହି ପୋଲ ନିକଟରୁ ପାଂଚଶହରୁ ଅଧିକ ମହିଳା ଓ ପୁରୁଷଙ୍କ ଏକ ଗଣପଟୁଆର ସହରର ମୁଖ୍ୟ ରାସ୍ତା ଅତିକ୍ରମ କରି ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲା ।
ପ୍ରକାଶଥାଉକି ଗତ ମାସ ୨୮ତାରିଖରେ ପଟ୍ଟାମୁଣ୍ଡାଇ ପୌରପରିଷଦ କାର୍ଯ୍ୟାଳୟ ନିକଟ ଭେଣ୍ଡିଙ୍ଗଯୋନର କେବିନ ନଂ୩୧ରେ ମୃତ ବନିତାଙ୍କୁ ହତ୍ୟାକାରାଯାଇ ରଖା ଯାଇଥିଲା । ବନିତାଙ୍କୁ ନପାଇ ଘରଲୋକେ ପୋଲିସରେ ଏଫଆଇଆର ଦେଲାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ମୃତଦେହ କେବିନ ରେ ତିନିଦିନ ରହିବା ପରେ ଗନ୍ଧ ହେବାରୁ ପୋଲିସ ଖବର ପାଇ କବାଟ ଭାଙ୍ଗି ମୃତ ଦେହକୁ ଉଦ୍ଧାର କରିଥିଲେବି କେବଳ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ପରିଡା ଓରଫ ଚକୁଳିକୁ ଗିରଫ କରି ନିରବ ଦ୍ରଷ୍ଟା ସାଜିଛି । ମୃତ ବନିତାର ମା’ଙ୍କ ବୟାନକୁ ମଧ୍ୟ ରେକର୍ଡ କରାଯାଇନି ।
ପରନ୍ତୁ ପୋଲିସ ସାମ୍ବାଦିକ ସମ୍ମିଳନୀ କରି ମୃତ ବନିତାଙ୍କ ଚରିତ୍ର ସଂହାର କରିଛି । ଏଭଳି ସ୍ଥଳେ ଧାରଣାକାରୀମାନେ ପୋଲିସର ତଦନ୍ତ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । ତେଣୁ ଘଟଣାର କ୍ରାଇମବ୍ରାଂଚ ତଦନ୍ତ କରିବା, କେବଳ ନୁହେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବା, ଅପରାଧିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ମୃତ ବନିତାଙ୍କ ପୁଅକୁ ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି ।
ଓଡିଶା କୃଷକ ସଭା ଜିଲା ସମ୍ପାଦକ ବିଜୟ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଓଡିଶା କୃଷକ ସଭା ଜିଲା ସଭାପତି ଗୟାଧର ଧଳ, ଓଡ଼ିଶାର ବିଶିଷ୍ଟ କର୍ମଚାରୀ ନେତା ନରୋତମ ପାର୍ଥସାରଥୀ, ପଟ୍ଟାମୁଣ୍ଡାଇର ବରିଷ୍ଠ କୃଷକ ନେତା ଦାସରଥୀ ସାହୁ, ନବଦିଗନ୍ତ ସ୍ୱେଛାସେବୀ ସାମାଜିକ ସଂଗଠନର ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ଯଦୁମଣି ଦାସ, ସୁଦର୍ଶନ ମଳିକ, ସ୍ଥାନୀୟ ନାୟବ ସରପଂଚ ସହଦେବ ଦାସ, ଲିଲି ଜେନା, ଗୋଲାପ ଜେନା, ସୂର୍ଯ୍ୟକାନ୍ତ ତ୍ରିପାଠୀ ଓ ସରୋଜ ସାହାଣୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏକ ସାତଜଣିଆ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ସାତ ଦିନ ମଧ୍ୟରେ ଦାବି ପୂରଣ ନହେଲେ ବ୍ୟାପକ ଆନ୍ଦୋଳନ ହେବବୋଲି ବକ୍ତା ମାନେ ଚେତାବନୀ ଦେଇଥିଲେ ।
