ଜଗତସିଂହପୁର, ୦୨/୦୯/୨୦୨୫ (ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ଜିଲ୍ଲା ସ୍ତରୀୟ ଉନ୍ନୟନ ସମନ୍ଵୟ ଓ ତଦାରଖ (ଦିଶା)କମିଟିର ଷଷ୍ଠ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜଗତସିଂହପୁରର ମାନ୍ୟବର ଲୋକସଭା ସାଂସଦ ତଥା ଜିଲ୍ଲା ଦିଶା କମିଟିର ଅଧ୍ୟକ୍ଷ ଶ୍ରୀ ବିଭୁପ୍ରସାଦ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକର ପ୍ରାରମ୍ଭ ରେ ମାନ୍ୟବର ସାଂସଦ ଶ୍ରୀ ବିଭୁପ୍ରସାଦ ତରାଇ ସମସ୍ତଙ୍କୁ ସ୍ୱାଗତ ଜଣାଇ ଜିଲ୍ଳାର ସାମଗ୍ରିକ ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ସହାୟତାରେ ରାଜ୍ୟରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମ ଗୁଡିକର ସଫଳ ରୂପାୟନ ଓ କାର୍ଯ୍ୟାନ୍ଵୟନ ପାଇଁ ଜିଲ୍ଲା ସ୍ତରୀୟ ଜିଲ୍ଲା ଦିଶା କମିଟିର ସମସ୍ତ ଲୋକପ୍ରତିନିଧି ସଭ୍ୟ/ସଭ୍ୟା ଏବଂ ସମ୍ପୃକ୍ତ ବିଭାଗର ଅଧିକାରୀଗଣ ଙ୍କ ସକ୍ରିୟ ଅଂଶ ଗ୍ରହଣ ର ଆବଶ୍ୟକତା ରହିଛି ବୋଲି ପରାମର୍ଶ ଦେଇଥିଲେ ।
ବୈଠକରେ କେନ୍ଦ୍ର ସରକାରଙ୍କ ଯୋଜନା ଅନ୍ତର୍ଭୁକ୍ତ ଯଥା ପାନୀୟ ଜଳ ଯୋଜନା ଅନ୍ତର୍ଗତ ଜଳ ଜୀବନ ମିଶନ, ଜାତୀୟ ରାଜପଥ ଭିତ୍ତି ଭୂମି ବିକାଶ, ସମନ୍ୱିତ ଶିଶୁବିକାଶ
ଯୋଜନା, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ମୃତ୍ତିକା ହେଲଥ କାର୍ଡ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା,ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କୃଷି ଓ କୃଷକ ସଶକ୍ତିକରଣ,ସ୍ଵଚ୍ଛ ଭାରତ ଅଭିଯାନ,ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା, କାମଧେନୁ ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ବିଦ୍ୟୁତ ଯୋଜନା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପ୍ରାଣୀ ସମ୍ପଦ ବିଭାଗର ଯୋଜନା ଇତ୍ୟାଦି ବିଭିନ୍ନ କେନ୍ଦ୍ରୀୟ ଜନକଲ୍ୟାଣ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ପୂର୍ବକ ସମୀକ୍ଷା କରାଯାଇଥିଲା ।
ଉକ୍ତ ବୈଠକରେ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ,ବାଲିକୁଦା-ଏରସମା ବିଧାୟକ ଶ୍ରୀ ସାରଦା ପ୍ରସନ୍ନ ଜେନା, ତିର୍ତ୍ତୋଲ ବିଧାୟକ ଶ୍ରୀ ରମାକାନ୍ତ ଭୋଇ, ଜିଲ୍ଲା ପରିଷଦର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ, ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ, ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ସୁଜାତା ମହାନ୍ତି, ଜିଲ୍ଲା ପରିଷଦର ମୁଖ୍ଯ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ, ପାରାଦୀପ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ବିଶ୍ବାଳ ଓ ଜଗତସିଂହପୁର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ଅର୍ଚ୍ଚନା ସିଂହ ଯୋଗ ଦେଇ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ସମ୍ବନ୍ଧରେ ନିଜର ମତବ୍ୟକ୍ତ କରିଥିଲେ । ବୈଠକରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ ବିଭାଗର ଅଧିକାରୀ, ଜିଲ୍ଲାର ପଂଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା, ଅନ୍ୟାନ୍ୟ ଜନପ୍ରତିନିଧି ତଥା ଦିଶା କମିଟିର ସଦସ୍ୟ/ସଦସ୍ୟା, ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ସମାଜସେବୀ ଯୋଗ ଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।
