କେନ୍ଦ୍ରାପଡ଼ା, ୩୦/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଜିଲାର ପଟ୍ଟାମୁଣ୍ଡାଇ ଗୋରକ୍ଷକଙ୍କ ବିରୁଦ୍ଧରେ ହୋଇଥିବା ମିଥ୍ୟା ମକଦମାକୁ ପ୍ରତ୍ୟାହାର କରାଯିବାକୁ ଦାବି କରାଯାଇଛି । ଏ ନେଇ ଶନିବାର ଜିଲାପାଳଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲାପାଳ ରବିନ୍ଦ୍ର ମଲ୍ଲିକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ଚଳିତମାସ ୨୮ତାରିଖରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତଗର୍ତ ନୂଆଗାଁ ମୌଜାରୁ ପଟ୍ଟାମୁଣ୍ଡାଇ ଅଂଚଳର କେତେକ ଗୋଚାଲାଣରେ ସମ୍ପୃକ୍ତ ଥିବା ବ୍ୟକ୍ତି ୩ ଗୋଟି ଷଣ୍ଡ ଓ ବାଛୁରିକୁ ଗାଡିରେ ଚୋରାଇ ନେଇ ଯିବାକୁ ଉଦ୍ୟମ କରୁଥିବା ବେଳେ ଉକ୍ତ ଗ୍ରାମର ବ୍ୟକ୍ତିମାନେ ସେମାନଙ୍କୁ ଅଟକାଇବା ପାଇଁ ଉଦ୍ୟମ କରିଥିଲେ ।
ଷଣ୍ଢ ଓ ବାଛୁରୀ ନେଇ ଯାଉଥିବା ବ୍ୟକ୍ତିମାନେ ଉକ୍ତ ଗାଡିରେ ଆଣିିଥିବା ଖଣ୍ଡା, ଭୁଜାଲି, କଟୁରି ଓ ଲୁହା ରଡରେ ଗାଡି ଅଟକାଉଥିବା ଲୋକମାନଙ୍କୁ ଆକ୍ରମଣ କରିବାରୁ ସଞ୍ଜିବ ରାଉତ ଆକ୍ରମଣରେ ଅଘାତ ପ୍ରାପ୍ତ ହୋଇଥିଲେ । ସ୍ଥାନୀୟ ଅଂଚଳର କେତେକ ଲୋକ ସଞ୍ଜିବକୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ଚିକିତ୍ସା ଚାଲିଥିବା ବେଳେ ପଟ୍ଟାମୁଣ୍ଡାଇର ମହମ୍ମଦ ପପୁ ନାମକ ଯୁବକ ସହିତ ୨୦/୨୫ଜଣ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ହାତରେ ମାରଣାସ୍ତ୍ର ଧରି ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ପହଂଚି ଚିକିତ୍ସିତ ହେଉଥିବା ଗୋରକ୍ଷକ ସଞ୍ଜିବ ରାଉତକୁ ଆକ୍ରମଣ କରି ପୋଲିସ ଉପସ୍ଥିତରେ ଡାକ୍ତରଖାନାରୁ ଜୋରଜବରଦସ୍ତ ପଟ୍ଟାମୁଣ୍ଡାଇ ସ୍ଥିତ ବସ୍ତିକୁ ଟେକିନେଇ ଯାଇଥିଲେ ।
ସେଠାରେ ସଞ୍ଜିବକୁ ବିଭିନ୍ନ ପ୍ରକାର ମରଣାସ୍ତ୍ରରେ ଆଘାତ କରି ଜୀବନରେ ତାକୁ ମାରିଦେବାକୁ ଚେଷ୍ଟା କରିଥିଲେ । ସୂଚନା ପାଇ ବଜରଙ୍ଗ ଦଳର ସଦସ୍ୟମାନେ ପହଂଚି ତାକୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇ ଆସିିଥିଲେ । ଡାକ୍ତର ସଞ୍ଜିବକୁ ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନାକୁ ପଠାଇଦେଇଥିଲେ । ବର୍ତମାନ ସଞ୍ଜିବ କଟକ ବଡ ଡାକ୍ତରଖାନାରେ ମୃତୁ୍ୟ ସହ ସଂଗ୍ରାମ କରୁଛନ୍ତି । ଉକ୍ତ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକମାନେ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ପୋଲିସ ଉପସ୍ଥିତିରେ ଗୋରକ୍ଷକ ସେବାକରୀ ଅନ୍ୟ ଯୁବକମାନଙ୍କୁ ମାଡମାରି ଓ ଧାରୁଆ ଅସ୍ତ୍ରରେ ଅକ୍ରମଣ କରିବା ସହ ସାଂପ୍ରଦାୟିକ ଦଙ୍ଗା କରିବାକୁ ଖୋଲାଖୋଲି ଧମକ ଦେଉଥିଲେ ମଧ୍ୟ ପଟ୍ଟାମୁଣ୍ଡାଇ ପୋଲିସ ଅଧିକାରୀମାନେ ମହମ୍ମଦ ପପୁଙ୍କ ଦ୍ୱାରା ପ୍ରଭାବିତ ହୋଇ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ।
କିନ୍ତୁ ଗୋରକ୍ଷକମାନଙ୍କ ବିରୁଦ୍ଧରେ ମିଥ୍ୟା ମକଦମା ରୁଜୁ କରି ସେମାନଙ୍କୁ ଗିରଫ କରି ଜେଲକୁ ପଠାଇଦେଇଛନ୍ତି । ପଟ୍ଟାମୁଣ୍ଡାଇ ଥାନାଅଧିକାରୀ ବନ୍ଦନା ପାତ୍ର ଓ
ସବଇନିସପେକ୍ଟର ରତିରଞ୍ଜନ ନାୟକଙ୍କ ସମେତ କେତେକ ପୋଲିସ କର୍ମଚାରୀ ଷଡଯନ୍ତ୍ରକାରୀଙ୍କ ଚକ୍ରାନ୍ତରେ ପ୍ରଭାବିତ ହେଉଥିବାରୁ ତୁରନ୍ତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ସେମାନଙ୍କୁ ପଟ୍ଟାମୁଣ୍ଡାଇ ଥାନାରୁ ଅନ୍ୟତ୍ର ବଦଳି କରାଯାଉ । ଏଥିସହିତ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
ମିଥ୍ୟା ମକଦମାରେ ଜେଲ ଯାଇଥିବା ଗୋରକ୍ଷକ ମାନଙ୍କୁ ତୁରନ୍ତ ମୁକ୍ତି କରାଯାଉ । ସଂଖ୍ୟାଲଘୁ ସଂପ୍ରଦାୟର ଯୁବକମାନଙ୍କ ଦ୍ୱାରା ପଟ୍ଟାମୁଣ୍ଡାଇ ଅଂଚଳରେ ସାଂପ୍ରଦାୟିକ ଦଙ୍ଗା ହେବାର ଆଶଙ୍କା ଥିବାରୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଚେତ କେନ୍ଦ୍ରାପଡା ବଜରଙ୍ଗ ଦଳ ବାଧ୍ୟ ହୋଇ ଏହାର ପ୍ରତିବାଦ କରିବ । ଯଦି ଏଥିପାଇଁ ଆଇଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ତେବେ ବଜରଙ୍ଗ ଦଳ ଏଥିପାଇଁ ଦାୟୀ ରହିବ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ବିରେନ୍ଦ୍ର କୁମାର ସାମଲ, ଗୋପିନାଥ ତ୍ରିପାଠୀ, ପ୍ରଭାତ ଦାସ, ରଞ୍ଜିତ ଲେଙ୍କା, ପ୍ରଦୀପ୍ତ କିଶୋର ନାୟକ, ସନ୍ତୋଷ କୁମାର ସାହୁ, ଉଦିତ ପ୍ରସାଦ ଲେଙ୍କା, ମକର ଚନ୍ଦ୍ର ସାହୁ ପ୍ରମୁଖ ଶତାଧିକ ଯୁବକ ଉପସ୍ଥିତ ଥିଲେ ।
