ଗୃହ ବିଭାଗରେ ଅଭିଯୋଗ କଲେ ମହିଳା
କେନ୍ଦ୍ରାପଡ଼ା,୨୬/୦୮/୨୦୨୫(ଓଡ଼ିଶା ସମାଚାର)-ଜଣେ ଅନୁସୂଚିତ ଜାତିର ମହିଳାଙ୍କୁ ହଇରାଣ ହରକତ କରିବା ଓ ତାଙ୍କ ସପକ୍ଷରେ ସାକ୍ଷୀ ଦେଇଥିବା ଯୁବକଙ୍କୁ ମୁଣ୍ଡ ଫଟାଇ ଦେଇଥିବା ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜକନିକା ଥାନା ଅଧିକାରୀ ସଞ୍ଜୟ ମଲ୍ଲିକ ଙ୍କୁ ଫୋନରେ ନିବେଦନ କରିଥିବା ବିଜେପି ନେତ୍ରୀଙ୍କୁ ଥାନା ଅଧିକାରୀ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଛନ୍ତି ।
ଏହାକୁ ନେଇ ବିଜେପି ନେତ୍ରୀ ସୁଜାତା ବାରିକ ଗୃହ ବିଭାଗ ସଚିବ ସତ୍ୟବ୍ରତ ସାହୁଙ୍କ ନିକଟରେ ଅଭିଯୋଗ କରିଛନ୍ତି । ରାଜକନିକା ବ୍ଲକର ବିଜେପିନେତ୍ରୀ ଶ୍ରୀମତୀ ବାରିକ ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ଯେ ରାଜକନିକା ଥାନା ଅନ୍ତର୍ଗତ ପେଗରପଡା ଗ୍ରାମର ସ୍ୱର୍ଗତ ଋଷି ମଲିକଙ୍କ ପତ୍ନୀ ମଲ୍ଲି ମଲିକ ଜୁଲାଇମାସ ୨୫ତାରିଖ ମଧ୍ୟାହ୍ନ
୧୨ଟାରେ ତାଙ୍କ ଦୋକାନରୁ ଚୋରି ହୋଇଥିବା ନେଇ ରାଜକନିକା ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ବେଳେ ଥାନା ଅଧିକାରୀ ତାଙ୍କ ଠାରୁ ଅଭିଯୋଗ ରଖିନଥିଲେ । ପରନ୍ତୁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ତାଙ୍କ ନାମରେ ମିଛ କେଶ କରି ହାଜତରେ ବାନ୍ଧି ପୁରାଇଦେବାକୁ ଧମକ ଦେଇଥିଲେ । ଏଥିସହିତ ଅଭିଯୋଗକାରୀଙ୍କ ସପକ୍ଷରେ ସାକ୍ଷୀ ଦେଇଥିବା ଅଶ୍ୱିନୀ ବାରିକଙ୍କୁ ମଧ୍ୟ ଗୁଣ୍ଡା ଲଗାଇ ଥାନା ଅଧିକାରୀ ମାଡମାରି ମୁଣ୍ଡ ଫଟାଇଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ ।
ଏହି ଅଭିଯୋଗ ପାଇବା ପରେ ରାଜକନିକାର ବିଜେପି ନେତ୍ରୀ ଶ୍ରୀମତୀ ବାରିକ ରାଜକନିକା ଥାନା ଅଧିକାରୀ ଶ୍ରୀ ମଲ୍ଲିକଙ୍କୁ ଟେଲିଫୋନ କରିଥିଲେ । କିନ୍ତୁ ଥାନାଧିକାରୀ ଶ୍ରୀ ମଲ୍ଲିକ ବିଜେପି ନେତ୍ରୀ ଶ୍ରୀମତୀ ବାରିକଙ୍କୁ ହଠାତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଶ୍ରୀମତୀ ବାରିକ ଗୃହବିଭାଗ ସଚିବ ସତ୍ୟବ୍ରତ ସାହୁଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏହି ସମୟର ପ୍ରମାଣ ସ୍ୱରୂପ ଥାନାର ସି.ସି. ଟିଭି ଫୁଟେଜକୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଶ୍ରୀମତୀ ବାରିକ ଦାବି କରିଛନ୍ତି । ଗୃହ ସଚିବ ଶ୍ରୀ ସାହୁ ଘଟଣାସମ୍ପର୍କରେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ପୋଲିସ ମହାନିର୍ଦ୍ଧେଶକଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ଏସମ୍ପର୍କରେ ଥାନା ଅଧିକାରୀ ଶ୍ରୀ ମଲ୍ଲିକଙ୍କୁ ପଚାରିବାରେ ସେ କହିଥିଲେ ଯେ ମୋତେ ବିଜେପି ନେତ୍ରୀ ଫୋନ କରିବା ସତ୍ୟ କିନ୍ତୁ ମୁଁ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିନି । ଅପରପକ୍ଷରେ ସଂପୃକ୍ତ ମହିଳା ଓ ଆକ୍ରମଣର ଶିକାର ହୋଇଥିବା ଯୁବକ ଆଜି ଜିଲାପାଳ ରଘୁରାମ ଆର. ଆୟାରଙ୍କ ନକଟରେ ଏସମ୍ପର୍କରେ ଅଭିଯୋଗ କରିଛନ୍ତି ।
