ଚଣ୍ଡିଖୋଲ, ୧୭/୦୮/୨୦୨୫(ଓଡ଼ିଶା ସମାଚାର)- ବଡ଼ଚଣା ବ୍ଲକ ଛତିଆ ପଂଚାୟତ ଅନ୍ତର୍ଗତ ଛତିଆ ସ୍ଥିତ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟର ୪୮ ତମ ପ୍ରତିଷ୍ଠା ଦିବସ ମହା ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର୍ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କ ଦକ୍ଷତା ବିକାଶ ପାଇଁ ଉପାଦେୟ ତଥ୍ୟ ପ୍ରଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।
କାର୍ଯ୍ୟକ୍ରମରେ ଉଦ୍ଘାଟକ ବିଧାୟକ ଅମର କୁମାର ନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମହାବିଦ୍ୟାଳୟର ଆବଶ୍ୟକତା ଥିବା ବିଭିନ୍ନ ପ୍ରକାର କାର୍ଯ୍ୟରେ ସହଯୋଗ କରିବା ପାଇଁ ସମ୍ମତି ପ୍ରଦାନ କରି ୧୦୦ ଶଯ୍ୟା ବିଶିଷ୍ଟ ୩ କୋଟି ୫୯ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଛାତ୍ରୀ ନିବାସର ଶିଳାନ୍ୟାସ କରିଥିଲେ । ଅତିଥି ମାନେ ଛତିଆ ଯାତ୍ରୀ ନିବାସ ଠାରୁ ଏକ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରାରେ ମହାବିଦ୍ୟାଳୟ ର ମଂଚ ନିକଟରେ ପହଂଚି ଥିଲେ ।
ଏନ ସି ସି କ୍ୟାଡେଟ ମାନେ ଅତିଥି ମାନଙ୍କୁ ପାଛୋଟି ନେଇଥିଲେ । ଅଧ୍ୟାପକ ବିଜୟ କୁମାର ରାଉତ ମଂଚ ପରିଚାଳନା କରିଥିବା ବେଳେ,ପ୍ରଶାସନିକ ମୁଖ୍ୟ ମିନତି ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ସୁକାନ୍ତ କୁମାର୍ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ,ଅଧ୍ୟାପିକା ମୋନାଲିସା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପିକା ଡଃ ଚନ୍ଦ୍ରକଳା ନାୟକ, ଅଧ୍ୟାପିକା ସରୋଜିନୀ ସ୍ୱାଇଁ ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ର ଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ସାହାଯ୍ୟ ସହଯୋଗ କରିଥିଲେ ।
