କଟକ ସଦର , ୧୮/୭/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅଞ୍ଚଳରେ ମୁସଲିମ ସମ୍ପ୍ରଦାୟର ଏକ ନାବାଳିକା , ଦଶମ ଶ୍ରେଣୀ ରେ ପଢୁଥିବା ଛାତ୍ରୀଙ୍କୁ ଧର୍ଷଣ କରି ଛ ମାସର ଅନ୍ତସ୍ୱତା କରାଯାଇଥିବା ସମ୍ବେଦନଶୀଳ ଘଟଣାକୁ ରଫାଦଫା ପାଇଁ ଉଦ୍ୟମ କରାଯାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ବିସ୍ମୟ ସୃଷ୍ଟି କରିଛି। ପ୍ରକାଶ ଯେ ପ୍ରହରାଜପୁର ନାରଦା ଗ୍ରାମର ଜନୈକା ତାଲେମୁନ ନିଶା ଵିଵି ସେହି ଗ୍ରାମର ଜନୈକା ଗରିବ ଶ୍ରେଣୀର କୁଦାରତୁନ ଵିଵି ଙ୍କ ୧୫ ବର୍ଷିଆ ତଥା ପ୍ରହରାଜପୁର ସ୍କୁଲରେ ୧୦ ମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଝିଅକୁ ଚାକରାଣୀ ଭାବେ ନିଜ ଘରେ ରଖିଥିଲେ। ହେଲେ ମାଲିକାଣୀ ପୁଅ ସୟଦ ଅଫରୋଜ ଓ ତାଙ୍କର ଅନ୍ୟ ସମ୍ପର୍କୀୟମାନେ ନାବାଳିକା କୁ ପ୍ରଲୋଭିତ କରି ବାରମ୍ବାର ଧର୍ଷଣ କରିଥିବା ପୀଡ଼ିତା ବାରମ୍ବାର ମାଲିକାଣୀ ଙ୍କୁ ଜଣାଇଥିଲେ ଵି ମାଲିକାଣୀ ଏ କଥାକୁ ପ୍ରଘଟ ନକରିବାକୁ ଧମକ ଚମକ ସହିତ ପ୍ରଲୋଭନ ଦେଖାଇ ତାଙ୍କ ନିଜ ଘରକୁ ପଠାଇ ଦେଇଥିଲେ। ଭୟରେ ପୀଡ଼ିତା କାହାକୁ କିଛି ନକହି ଚୁପଚାପ୍ ରହିଥିବା ବେଳେ ଏବେ ଦେହ ଅସୁସ୍ଥ ହେବାରୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯିବାରେ ସିଏ ଛ ମାସର ଗର୍ଭବତୀ ଥିବା ଜଣାପଡିଥିଲା। ଏହା ଜଣାପଡିବା ପରେ ଘଟଣାକୁ ରଫାଦଫା କରି ଚପାଇ ଦେବାକୁ ଜନୈକ ଅବସରପ୍ରାପ୍ତ ଶିକ୍ଷକଙ୍କ ଉଦ୍ୟମରେ କିଛି ଦଲାଲ ଲାଗି ପଡ଼ିଥିବା ଅଭିଯୋଗ ହୋଇଆସୁଥିଲା। ହେଲେ ରଫାଦଫା ଉଦ୍ୟମ ପଣ୍ଡ ହେବା ପରେ ପୀଡ଼ିତା ଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ୨୧୧/୨୦୨୪ ରେ ମାମଲା ରୁଜୁ କରି ପୀଡ଼ିତା ଙ୍କର ଡ଼ାକ୍ତରୀ ମାଇନା ସହ ମାଜିଷ୍ଟ୍ରେଟ ଙ୍କ ନିକଟରେ ବୟାନ ରେକର୍ଡ କରାଇ ତଦନ୍ତ ଚଳାଇଥିବା ବେଳେ ଗିରଫ ଭୟରେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବା ଜଣାପଡିଛି। ହେଲେ ଏଭଳି ସ୍ପର୍ଶକାତର ଘଟଣାକୁ କିଭଳି, କେଉଁ ପରିସ୍ଥିତିରେ ଓ କାହା ସ୍ୱାର୍ଥ ପାଇଁ ରଫାଦଫା ଉଦ୍ୟମ କରାଯାଇଥିଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି ଯୋର ଧରିଛି।