ଫେରାର ଥାନାଧିକାରୀ ଚାକିରିରୁ ନିଲମ୍ବିତ
କାକଟପୁର/ ଭୁବନେଶ୍ୱର,୧୬/୦୮/୨୦୨୫ (ଓଡ଼ିଶା ସମାଚାର)- ଗେଞ୍ଜଇ ବେପାରରେ ସଂପୃକ୍ତ ଥିବା ଅଭିଯୋଗରେ ପୁରୀ ଜିଲା ଅସ୍ତରଙ୍ଗ ଥାନାର ଥାନା ଅଧିକାରୀ ରାଜେଶ ବଳିୟାର ସିଂଙ୍କୁ ପୋଲିସ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିଲମ୍ବିତ କରିଛନ୍ତି । ଏଥିସହ ଏହି ମାମଲାରେ ୧୫ ଦିନ ମଧ୍ୟରେ କୈଫତ ଦାଖଲ କରିବାକୁ ରାଜେଶଙ୍କୁ ଡିଜିି ନିର୍ଦେଶ ଦେଇଛନ୍ତି ।
ସୂଚନାଥାଉ କି, ଇନ୍ସପେକ୍ଟର ରଜେଶ କୋରାପୁଟ ଜିଲାର ଜୟପୁର ଥାନାରେ ସବଇନ୍ସପେକ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ ଗେଞ୍ଜଇ କାରବାରରେ ନିଜକୁ ସାମିଲ କରିଥିଲେ । ପରେ ସେ ଗେଞ୍ଜଇ ମାଫିଆଙ୍କ ସହ ମିଶି ବେଆଇନ ଗେଞ୍ଜଇ କାରବାର କରିଥିଲେ । ଯାହାକୁ ନେଇ ଜୟପୁର ଥାନାରେ ରାଜେଶଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିଲା ।
ପରବର୍ତୀ ସମୟରେ ତାଙ୍କର ପୁରୀ ଜିଲାକୁ ବଦଳି ହୋଇଥିବା ବେଳେ ସେ ଅସ୍ତରଙ୍ଗ ଥାନା ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଇଥିଲେ । ଗତ ଗୁରୁବାର ଜୟପୁର ପୋଲିସ ରାଜେଶଙ୍କୁ ତାଙ୍କ ୟୁନିଟ୍ ୧ ସ୍ଥିତ ସରକାରୀ ବାସଭବନରୁ ଉଠାଇ ଆଣି କ୍ୟାପିଟାଲ ଥାନାରେ ପଚରାଉଚରା କରୁଥିବା ବେଳେ ସେଠାରୁ ଇନ୍ସପେକ୍ଟର ରାଜେଶ ଅତି ଚତୁରତାର ସହ ପରିସ୍ରା କରିବାକୁ ଯିବା ବାହାନାରେ ଚମ୍ପଟ ମାରିବାରେ ସଫଳ ହୋଇଥିଲେ । ପୋଲିସ ମହାନିର୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ତାଙ୍କୁ ନିଲମ୍ବିତ କରିଛନ୍ତି । ଏଥିସହ ଏହି ମାମଲାରେ ୧୫ ଦିନ ମଧ୍ୟରେ କୈଫତ ଦାଖଲ କରିବାକୁ ରାଜେଶଙ୍କୁ ନିର୍ଦେଶ ଦେଇଛନ୍ତି ।
