ସ୍ୱତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକ ଓ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ କେନ୍ଦ୍ରାପଡ଼ା ଗସ୍ତ

ନିର୍ବାଚନ ପରିଚାଳନା ସମୀକ୍ଷା, ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନକୁ ଗୁରୁତ୍ୱ
କେନ୍ଦ୍ରାପଡ଼ା,୦୬/୦୫/୨୦୨୪(ଓଡ଼ିଶା ସମାଚାର)- ସ୍ୱତନ୍ତ୍ର ସାଧାରଣ ପର୍ଯ୍ୟବେକ୍ଷକ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଯୋଗେନ୍ଦ୍ର ତ୍ରିପାଠୀ ଏବଂ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଅବସରପ୍ରାପ୍ତ ଭାରତୀୟ ରାଜସ୍ୱ ସେବା ଅଧିକାରୀ ହିମାଳିନି କାଶ୍ୟପ ଏକ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଆସି ସାଧାରଣ ନିର୍ବାଚନ-୨୦୨୪ର ସୁପରିଚାଳନା ଉପରେ ସମୀକ୍ଷା କରିଛନ୍ତି । ଜିଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲା ନିର୍ବାଚନ ଅଧିକାରୀ ଏବଂ ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ମତଦାନ କେନ୍ଦ୍ରରେ ପାନୀୟ ଜଳ, ଟଏଲେଟ୍, ଲାଇଟ୍, ଫ୍ୟାନ୍ ଇତ୍ୟାଦି ସର୍ବନିମ୍ନ ସୁବିଧା, ଭିନ୍ନକ୍ଷମଙ୍କ ପାଇଁ ର୍ୟାମ୍ପର ସୁବିଧା ଓ ସକ୍ଷମ ଯାନରେ ଘରୁ ବୁଥ୍ କୁ ନେବା ଓ ବୁଥ୍ ରୁ ଘରେ ଆଣି ଛାଡ଼ିବା, ପୋଷ୍ଟାଲ୍ ବାଲାଟ୍, ହୋମ୍ ଭୋଟିଙ୍ଗ୍, ଏମସିଏମସି ରିପୋର୍ଟ, ସି-ଭିଜିଲ୍ ରିପୋର୍ଟ, ବିଭିନ୍ନ ପ୍ରଶିକ୍ଷଣ, ଭେହିକିଲ ମ୍ୟାନେଜମେଂଟ୍, ମ୍ୟାନ୍ ପାୱାର୍ ମ୍ୟାନେଜମେଂଟ୍, ବୁଥ ମ୍ୟାନେଜମେଂଟ୍ ଆଦି ପ୍ରସଙ୍ଗ ଉପରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ପଚାରି ବୁଝିଥିଲେ । ସମ୍ବେଦନଶୀଳ ବୁଥ୍ ରେ ପୋଲିସ୍ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଉପରେ ତଥ୍ୟ ରଖିଥିଲେ ଜିଲା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ । ଭଲନେରେବୁଲ୍ ବୁଥ୍ ମାନଙ୍କର ଅଧିକ ସଂଖ୍ୟକ ପୋଲିସ୍ ମୁତୟନ କରିବାକୁ ଯୋଜନା ରହିଥିବା ବେଳେ ସେହି ଅଂଚଳରେ ବାରମ୍ବାର ଫ୍ଲାଗ୍ ମାର୍ଚ୍ଚ କରି ଲୋକଙ୍କ ବିଶ୍ୱାସ ପ୍ରଶାସନ ଜିତିପାରିଛି ବୋଲି ଏସପି କହିଥିଲେ । ଭଲନେରେବୁଲ୍ ବୁଥ୍ ରେ ଲାଇଭ୍ ୱେବ କାଷ୍ଟିଙ୍ଗ, ସିସିଟିଭି ସର୍ଭେଲାନ୍ସ, ଭିଡିଓଗ୍ରାଫି ଓ ମାଇକ୍ରୋ ଅବଜରଭର୍ ନିଯୁକ୍ତ କରାଯିବ । ସୂଚନାଯୋଗ୍ୟ ମୋଟ୍ ୧୪୪୫ଟି ବୁଥ୍ ମଧ୍ୟରୁ ୬୪ଟି ହେଉଛି ଭଲନେରେବୁଲ୍ । ଅକ୍ଷୟ ତୃତୀୟା ଅବସରରେ ବିଭିନ୍ନ ପ୍ରସ୍ତାବିତ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବାକୁ ସ୍ଥିର କରିଥିବା ବେଳେ ସମସ୍ତ ଦ୍ୱନ୍ଦ୍ୱ ଓ ବିବାଦକୁ ଏଡ଼ାଇବା ପାଇଁ ଅଲଗା ଅଲଗା ସମୟ ଓ ସ୍ଥାନରୁ ରାଲି କରିବାକୁ ପରାମର୍ଶ ଦିଆଯାଇଛି । ଅବକାରୀ ବିଭାଗ ଦ୍ୱାରା ବାରମ୍ବାର ଚଢାÿଉ କରାଯାଇ ବେଆଇନ୍ ନିଶା କାରବାରକୁ ରୋକିବା ପାଇଁ ବିହିତ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି । ବର୍ତମାନ ଜିଲାରେ ୧୫ଟି ଫ୍ଲାଇଙ୍ଗ୍ ସର୍ଭେଲାନ୍ସ ଟିମ୍ (ଏଫଏସଟି) କାର୍ଯ୍ୟ କରୁଥିବା ବେଳେ ଏହାର ସଂଖ୍ୟା ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ । ଏସଏସଟି ଓ ଭିଏସଟି ବାରମ୍ବାର ଷ୍ଟ୍ରାଟେଜିକ୍ ଲୋକେସନ୍ ପରିବର୍ତନ କରି କାର୍ଯ୍ୟ କରିବାକୁ କୁହାଯାଇଛି । ଓଡ଼ିଶା ଇଭିଏମ୍ ଭେହିକିଲ୍ ଟ୍ରାକିଙ୍ଗ୍ ମ୍ୟାନେଜମେଂଟ୍ ସିଷ୍ଟମ୍ ଉପରେ ପଚାରି ବୁଝିଥିଲେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ । ବୈଠକ ପରେ ଇ-ସୁବିଧା କେନ୍ଦ୍ର, କଂଟ୍ରୋଲ୍ ରୁମ୍, ସି-ଭିଜିଲ୍ ଅଭିଯୋଗ କେନ୍ଦ୍ର, ଏକ୍ସପେଣ୍ଡିଚର୍ ମନିଟରିଂ ସେଲ୍ ବୁଲି ଦେଖିଥିଲେ । କେନ୍ଦ୍ରାପଡ଼ା ଜିଲା ନିର୍ବାଚନ ପ୍ରସ୍ତୁତି ଓ ପରିଚାଳନାରେ ସେମାନେ ସନ୍ତୋଷ ବ୍ୟକ୍ତ କରିବା ସହ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଆଶାବ୍ୟକ୍ତ କରିଥିଲେ । ଏହି ସମୀକ୍ଷା ବୈଠକରେ ଅତିରିକ୍ତି ଜିଲା ନିର୍ବାଚନ ଅଧିକାରୀ ତଥା ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ପୀତାମ୍ବର ସାମଲ, ରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ନୀଲୁ ମହାପାତ୍ର, କେନ୍ଦ୍ରାପଡ଼ା ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ରବିନ୍ଦ୍ର କୁମାର ପ୍ରଧାନ, ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ଅଶୋକ କୁମାର ଦାଶ, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପ-ଜିଲା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ପଣ୍ଡା, ଡିଆଇବି ଡିଏସପି ଲକ୍ଷ୍ମୀ ନାରାୟଣ ତିୱାରୀ, ଅବକାରୀ ଅଧୀକ୍ଷକ, କେନ୍ଦ୍ରାପଡା ଏସଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ, ଆର୍ଟିଓ, ଏଲଡିଏମ୍, ଡେପୁଟି କଲେକ୍ଟର, ଟିଆରଓ, ବିଭିନ୍ନ ଥାନାର ଆଇଆଇସି, ଡିଆଇପିଆରଓ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *