କଟକ,୧୮/୧୨/୨୦୨୩(ଓଡ଼ିଶା ସମାଚାର) : ମିଳିତ ଜାତିସଂଘ ପକ୍ଷରୁ ସଂଯୁକ୍ତ ଆରବର ଦୁବାଇଠାରେ ଅନୁଷ୍ଠିତ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ – ସିଓପି ୨୮ରେ ଓଡିଶାର ଚାରି ଜଣ ଯୁବକ ଯୁବତୀ ସାମିଲ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏମାନେ ହେଲେ ଜଳବାୟୁ କର୍ମୀ ବା କ୍ଲାଇମେଟ୍ ଆକ୍ଟିଭିଷ୍ଟ ଅଭିଷେକ ମଣି,ଅନ୍ୱେଷା ଦତ୍ତ,ଅଶ୍ୱିନୀ କୁମାର ପଇତାଇ ଓ ପୁଣ୍ୟଶ୍ଲୋକ ପଣ୍ଡା । ଜଳବାୟୁ ପରିବର୍ତ୍ତନ ଯୋଗୁଁ ସାରା ବିଶ୍ୱ ଭୋଗୁଥିବା ଅନିୟମିତ ବୃଷ୍ଟିପାତ ତଥା ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ନେଇ ଏହି ସମ୍ମିଳନୀରେ ଆଲୋଚନା ହୋଇଥିବାବେଳେ ଓଡିଶାର ଓହି ଚାରି ଜଣ ସାମିଲ ହୋଇ ସେମାନଙ୍କ ମତ ରଖିଥିଲେ । ଦେଶ ତଥା ପ୍ରଦେଶର ବିକାଶ ପାଇଁ ଜଳବାୟୁ ପରିବର୍ତ୍ତନ ବାଧକ ସାଜିଥିବାବେଳେ ଏ ଦିଗରେ ଯୁବା ବର୍ଗ କାର୍ଯ୍ୟ କରିବା ଉପରେ ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା । “ୟୁଥ୍ ଫର୍ ୱାଟର୍ ମିଶନ”ରେ କାମ କରୁଥିବା ଏହି ଚାରି ଜଣ ଓଡିଆ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ସେମାନଙ୍କ ମତାମତ ରଖିଥିଲେ । ଏହି ଅବସରରେ ସେମାନେ କେନ୍ଦ୍ର ଶ୍ରମ,ନିଯୁକ୍ତି, ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଭୁପେନ୍ଦ୍ର ବାଘେଲଙ୍କ ସହ ମଧ୍ୟ ଏ ପ୍ରସଙ୍ଗରେ ମତ ବିନିମୟ କରିଥିଲେ । ଏମାନେ ମଧ୍ୟ ନ୍ୟାସନାଲ୍ ୱାଟର୍ ମିଶନର ନିର୍ଦ୍ଦେଶକ ଅର୍ଚ୍ଚନା ବର୍ମାଙ୍କ ସମେତ ଭାରତର ଜଳ ମଣିଷ ଭାବେ ପରିଚିତ ରାଜେନ୍ଦ୍ର ସିଂହ ଓ ମିସ୍ ନେପାଳ ୨୦୨୩ ଶ୍ରଚଚାହାଙ୍କ ସହ ସାକ୍ଷାତ କରିଥିଲେ । ଜଳବାୟୁ ପରିବର୍ତ୍ତନ ଓ ତାର କୁପ୍ରଭାବ ଉପରେ ଏହି ଆଲୋଚନା ହୋଇଥିଲା । ଏବେ ଓଡିଶାରେ ଜଳବାୟୁ ପରିବର୍ତ୍ତନ ନେଇ କାମ କରିବା ଉପରେ ଏହି ଚାରି ଜଣ ଗୁରୁତ୍ୱ ଆରୋପ କରିଛନ୍ତି । ଏବେ ଭାରତ ସରକାର ଲୋ-କାର୍ବନ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେଉଥିବାରୁ ଏହି ସମ୍ମିଳନୀରେ ଓଡିଆ ପ୍ରତିନିଧିଙ୍କ ଯୋଗଦାନ ଉଲ୍ଲେଖନୀୟ । ଚଳିତ ବର୍ଷ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ପାଳିତ ହେଉଥିବାବେଳେ ଏହି ୪ ଜଣଙ୍କ ଆନ୍ତର୍ଜାତିକ ସ୍ତରରେ ଯୋଗଦାନ ମହତ୍ତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ ପାଇଛି । ଏହି ସମ୍ମିଳନୀରେ ସାମିଲ ହୋଇଥିବା ଅଭିଷେକ ମଣି ୟୁଥ୍ ଫର୍ ୱାଟର୍ ପ୍ଲସର ଇଂଟରନ୍ୟାସନାଲ୍ ରିଲେସ୍ ଅଫିସର୍ ଥିବାବେଳେ ଅନ୍ୱେଷା ଦତ୍ତ ୟୁନିସେଫ୍ ଓଡିଶାର ୱାସ୍ ଉପଦେଷ୍ଟା ଅଛନ୍ତି । ସେହିପରି ଅଶ୍ୱିନୀ କୁମାର ସାତ୍ତତ୍ୱିକ ଫାଉଣ୍ଡେସନର ସ୍ୱେଚ୍ଛାସେବୀ ଥିବାବେଳେ ପୁଣ୍ୟଶ୍ଲୋକ ପଣ୍ଡା ୟୁଥ୍ ଫର୍ ସଷ୍ଟେନେବିଲିଟିର ପ୍ରତିଷ୍ଠାତା ଅଛନ୍ତି ।