କେନ୍ଦ୍ରାପଡ଼ା,୧୧/୦୮/୨୦୨୫(ଓଡ଼ିଶା ସମାଚାର)- ଓଡିଶା ଲୋକଦଳ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସେହିସବୁ ଦାବି ଗୁଡିକ ମଧ୍ୟରେ କେନ୍ଦ୍ରାପଡାରୁ ଭୁବନେଶ୍ୱରକୁ ସକାଳ ଓ ସନ୍ଧ୍ୟାରେ ଦୁଇଟି ଯାତ୍ରୀବାହୀ ରେଳ ଚଳାଚଳ କରାଯିବା, ବତୀଘର ଓ ଜମ୍ବୁଦୀପକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବା, ନଦୀଭିତିକ ବନ୍ଦର ନିର୍ମାଣ ଯୋଜନାରେ କେନ୍ଦ୍ରାପଡା ଜିଲାର ନଦୀମୁହାଣ ଗୁଡିକ ସାମିଲ କରାଯିବା, ସମୁଦ୍ର ଉପକୂଳବର୍ତୀ ଗ୍ରାମଗୁଡିକରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବା, ମେଡିକାଲ କଲେଜ ଘୋଷଣାରେ ସୀମିତ ନରହି ତୁରନ୍ତ କାର୍ଯ୍ୟକାରୀ କରାଯିବା, ଦଶମୌଜିରେ ଡାକ୍ତରଖାନା କରାଯିବା, ଜିଲାର ଯୁବପିଢୀଙ୍କ ରୋଜଗାର ପାଇଁ ଶିଳ୍ପ ପ୍ରତିଷ୍ଠା କରାଯିବା,
ଚାଷ ଜମିକୁ ଜଳସେଚନ ପାଇଁ ମାର୍ଶାଘାଇ କେନାଲ ଓ ଅନ୍ୟ ପୁରୁଣା କେନାଲ ଗୁଡିକର ପୁନରୁଦ୍ଧାର କରାଯିବା ସହ ନୂତନ କେନାଲ ଖୋଳାଯିବା, ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ସୁଦୃଢ କରାଯିବା ସହ ସେସବୁର ସୁପରିଚାଳନା କରାଯିବା, ଜିଲାର ୬୦ବର୍ଷରୁ ଉଦ୍ଧ୍ୱର୍ ସମସ୍ତ ଜନସାଧାରଣଙ୍କୁ ଭତା ଯୋଜନାରେ ସାମିଲ କରାଯାଇ ମାସିକ ୩ହଜାର ୫ଶହ ଟଙ୍କା ଭତା ପ୍ରଦାନ କରାଯିବା, ଜିଲାର ସମସ୍ତ ଗ୍ରାମ ଗୁଡିକୁ କେନ୍ଦ୍ରାପଡା ମୁଖ୍ୟ କେନାଲ ସହ ପକ୍କା ରାସ୍ତା ଦ୍ୱାରା ସଂଯୋଗୀକରଣ ସହ ଜାତୀୟ ରାଜପଥକୁ ସଂଯୋଗ କରାଯିବା ପ୍ରଭୃତି ଦାବି ଗୁଡିକ ରହିଛି ।
ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଓଡିଶା ଲୋକଦଳ ପକ୍ଷରୁ ସତୀଶ କୁମାର ନନ୍ଦ, ସମ୍ବିତ କୁମାର ପଣ୍ଡା, ଖଗେନ୍ଦ୍ର କୁମାର ସିଆଳ, ଅବିନାଶ ଦାଶ, ଦିବାକର ରାଉଳ, କିରଣ ଭୋଇ ଓ ସନ୍ତୋଷ ନାରାୟଣ ପ୍ରମୁଖ ଶତାଧିକ କର୍ମୀ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅତିରିକ୍ତ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
