ଭୁବନେଶ୍ୱର,୧୧/୦୮/୨୦୨୫ (ଓଡ଼ିଶା ସମାଚାର)-ସାରା ଦେଶରେ ଏବେ ଗରିବମାନଙ୍କୁ ଠକିବା ଏକ ପ୍ରହସନରେ ପରିଣତ ହୋଇଗଲାଣି । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ବେପାରବୃତି କରୁଥିବା ଗରିବ ଉଠାଦୋକାନୀମାନଙ୍କୁ ଗତ କିଛିଦିନ ହେଲା ଦୁର୍ବୃତମାନେ ବିଏମସିର କର୍ମଚାରୀ କହି ଠକି ଚାଲିଛନ୍ତି । ଏହି ଦୁର୍ବୃତମାନେ ବିଏମସିର ଗାଡ଼ି ବ୍ୟବହାର କରି, ବିଏମସି ପରିଚୟ ପତ୍ର ବ୍ୟବହାର କରି ହଠାତ୍ ଯାଇ ଉଠାଦୋକାନୀମାନଙ୍କ ପାଖରେ ପହଂଚି ତମୋନେ ଟ୍ରେଡ଼ ଲାଇସେନ୍ସ, ଏଲଓଆର, ଭେଣ୍ଡର୍ସ କାର୍ଡ଼, ଗ୍ରାଉଣ୍ଡ ରେଂଟ, ଫୁଡ୍ ସାର୍ଟିଫିକେଟ କରିଛ ନା ନାହିଁ ପଚାରନ୍ତି ।
ଯଦି ଦୋକାନୀ ମନାକଲା ତେବେ ସେମାନେ ଦୋକାନୀମାନଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ଦେଇ କୌଣସି ଉପାୟରେ ନକଲି ସାର୍ଟିଫିକେଟ ଦେଇ ତାଙ୍କପାଖରୁ ହଜାର ହଜାର ଟଙ୍କା ଲୁଟିଥାନ୍ତି । ୧୭ ନମ୍ବର ୱାର୍ଡ଼ର ଶରତ କୁମାର ସାହୁଙ୍କ ସମେତ ବହୁ ଉଠାଦୋକାନୀ ଏହିଭଳି ଠକେଇର ଶିକାର ହୋଇଛନ୍ତି । ୩୯ ନମ୍ବର ୱାର୍ଡ଼ରେ ବହୁ ଉଠାଦୋକାନୀଙ୍କ ପାଖରୁ ଦୁର୍ବୃତମାନେ ଠକି ନେଇଥିବା ବେଳେ ୩୫ ନମ୍ବର ୱାର୍ଡ଼ରେ ପ୍ରଦୀପ ସାବତଙ୍କ ଠାରୁ ଲୋନ କରାଇଦେବା ନାମରେ ବହୁ ଟଙ୍କା ଠକି ନେଇଛନ୍ତି । ଏହିଭଳି ଭାବରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ୬୭ଟି ୱାର୍ଡ଼ରେ ପାଖାପାଖି ଏକ ହଜାରରୁ ଉଦ୍ଧ୍ୱର୍ ଉଠାଦୋକାନୀ ଠକାମୀର ଶିକାର ହୋଇଥିବା ବେଳେ ଗରିବ ଉଠାଦୋକାନୀଙ୍କ ଠାରୁ ୧ କୋଟିରୁ ଅଧିକ ଟଙ୍କା ଠକିଛନ୍ତି ବୋଲି ଅନୁମାନ କରାଯାଉଛି ।
ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘ ଏହାକୁ ତର୍ଜମା କରିବା ପରେ ଇଓଡବ୍ଲୁର ଏସପି ଦିଲ୍ଲୀପ କୁମାର ତି୍ରପାଠୀଙ୍କୁ ଭେଟି ଏ ବାବଦରେ ସମସ୍ତ କଥା ଆଲୋଚନା କରିଥିଲେ । ଶ୍ରୀଯୁକ୍ତ ତି୍ରପାଠୀ ଏହାକୁ ହୃଦୟଙ୍ଗମ କରି ପୋଲିସ୍ ଡିସିପିଙ୍କ ସହ ଆଲୋଚନା କରି ୬୭ଟି ୱାର୍ଡ଼ରେ ଯେଉଁ ଯେଉଁ ଉଠାଦୋକାନୀମାନେ ଠକାମୀର ଶିକାର ହୋଇଛନ୍ତି ସେମାନଙ୍କୁ ଉଚିତ୍ ନ୍ୟାୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଶ୍ରୀଯୁକ୍ତ ତି୍ରପାଠୀଙ୍କ ସହ ମହାସଂଘର ରାଜ୍ୟ ସଭାପତି ପ୍ରତାପ କମୁାର ସାହୁ, ସାଧାରଣ ସମ୍ପାଦକ ଦୀପକ କୁମାର ମହାପାତ୍ର, ଉପସଭାପତି ନିରଞ୍ଜନ ପାଣ୍ଡେ, ସୂର୍ଯ୍ୟମଣି ସାହୁ, ଲଲାଟ କୁମାର ଓଝା, ଶରତ କୁମାର ସାହୁ, ସୁଶାନ୍ତ କୁମାର ରାଉତ, ରଶ୍ମିତା ରାଉଳ, ମୁରଲୀଧର ଜେନା ପ୍ରମୁଖ ଆଲୋଚନା କରିଥିଲେ ।
