ସମୁଦ୍ରରେ ବୁଡ଼ି ୩ଜଣ ଯୁବକଙ୍କ ମୃତ୍ୟୁ

କୋଣାର୍କ, ୧୧/୦୮/୨୦୨୫ (ଓଡ଼ିଶା ସମାଚାର)- ପୁରୀ ଜିଲା କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ରବିବାର ଏକ ଅଘଟଣ ଘଟିଛି। ସମୁଦ୍ରରେ ବୁଡ଼ି ୩ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ଜଣ ଯୁବକ ଭୁବନେଶ୍ବରର ହୋଇଥିବା ବେଳେ ଅନ୍ୟ ଜଣେ କଟକ ପାହାଳ ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ଚନ୍ଦ୍ରଭାଗାର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ଅଘଟଣ ଘଟିଛି ।

ସୁଚନା ମୁତାବକ ରବିବାର ଥିବାରୁ କଟକ ପାହଳ ଅଂଚଳର ୮ ଜଣ ଯୁବକ ଦୁଇଟି କାର୍ ରେ କୋଣାର୍କ ବୁଲିବାକୁ ଆସି ଚନ୍ଦ୍ରଭାଗା ମେରାଇନ୍ ଥାନା ସମ୍ମୁଖ ଝାଉଁବଣରେ ବଣଭୋଜି କରି ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବା ବେଳେ ଗଭୀର ସମୁଦ୍ରକୁ ଭାସିଯାଇ ଜଣେ ପ୍ରାଣ ହରାଇଛନ୍ତି । ମୃତକ ଆକାଶ ପଟ୍ଟନାୟକ(୨୦) ବୋଲି ଜଣାପଡ଼ିଛି । ସେ ବୁଡ଼ି ଯାଉଥିବା ଦେଖି ସାଙ୍ଗମାନେ ତୁରନ୍ତ ସମୁଦ୍ର ମଧ୍ୟକୁ ଯାଇ ତାଙ୍କୁ ଉଦ୍ଧାର କରି ନିଜ କାର୍ ରେ କୋଣାର୍କ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ଡାକ୍ତର ଗୁରୁତର ଥିବା ଦର୍ଶାଇ ପୁରୀ ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ଅନୁରୂପ ଭାବେ ଏହାର କିଛି ସମୟ ମଧ୍ୟରେ ବେଳାମାର୍ଗରେ ଥିବା କଇଁଛ ସୁରକ୍ଷା ଗୃହ ପଛପଟ ଚନ୍ଦ୍ରଭାଗା ସମୁଦ୍ରରେ ଭୁବନେଶ୍ୱରରୁ କିଛି ଯୁବକ ଆସି ଗାଧୋଉଥିଲା ବେଳେ ଅସାବଧାନତା ବଶତଃ ସେମାନଙ୍କ ମଧ୍ୟରୁ ଦୁଇଜଣ ଜୁଆର ମାଡ଼ରେ ଗଭୀର ସମୁଦ୍ର ମଧ୍ୟକୁ ଭାସି ଯାଇଥିଲେ । ଖବର ପାଇ ଲାଇଫ ଗାର୍ଡ ବାବୁ ବେହେରା, ପ୍ରକାଶ ବେହେରା ଓ ରାମ ବାବୁ ସମୁଦ୍ର ମଧ୍ୟରୁ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ଅଗ୍ନିଶମ ଗାଡ଼ିରେ ଗୋପ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନାଥାଉକି ମୃତ ଦୁଇ ଯୁବକ ଭୁବନେଶ୍ୱର କେଶୁରାରେ ଥିବା ଏକ ଘରୋଇ ଗାଡ଼ି ସର୍ଭିସିଂ କମ୍ପାନୀରେ କାର୍ଯ୍ୟ କରୁଥିଲେ । ସେମାନେ ହେଲେ କୋଣାର୍କ ନିକଟସ୍ଥ କୁରୁଜଙ୍ଗ ପଂଚାୟତ ଜମତଳା ଗ୍ରାମର କ୍ଷେତ୍ରବାସୀ ସେନାପତିଙ୍କ ପୁତ୍ର ରାହୁଲ ସେନାପତି (୨୩) ଓ ଅନ୍ୟ ଜଣେ ବିମ୍ବାଧର ଜେନାଙ୍କ ପୁତ୍ର ଅରୁପା ନନ୍ଦ ଜେନା(୨୨) ବୋଲି ସୂଚନା ମିଳିଛି । ଖବର ପାଇ ମେରାଇନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହିତ ଏ ନେଇ ମେରାଇନ୍ ଥାନା ପକ୍ଷରୁ ୩/୪/୫/୨୫ ତିନୋଟି ମାମଲା ରୁଜୁ କରି ତଦନ୍ତ ଚାଲିଥିବା ମେରାଇନ୍ ଥାନା ଦାୟିତ୍ୱରେ ଥିବା କୋଣାର୍କ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ପ୍ରକାଶ କରିଛନ୍ତି ।

 

Leave a Reply

Your email address will not be published. Required fields are marked *