ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମାହୁତି ଘଟଣା : ଗିରଫ ହେଲେ ପୁରୁଷ ବନ୍ଧୁ

ଗ୍ରାମବାସୀଙ୍କ ଧାରଣା  ଛାତ୍ରୀଙ୍କ ମୋବାଇଲକୁ ଆସିଥିଲା ୬୦ ଭିଡିଓ
ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇନାହିଁ: ଏସପି
କେନ୍ଦ୍ରାପଡ଼ା,୧୦/୦୮/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅଧିନ କାଠିଆପଡା ଗ୍ରାମର ଛାତ୍ରୀ ଜଳିଯିବା ଘଟଣା ଆତ୍ମହତ୍ୟା କି ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଛାତ୍ରୀଙ୍କ ପୁରୁଷବନ୍ଧୁ ଛାତ୍ରୀଙ୍କ ମୋବାଇଲକୁ ୬୦ରୁ ଅଧିକ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ପଠାଇଥିଲେ । ଏହାକୁ ଆଧାର କରି ତେରେଇ ଗ୍ରାମର ପୁରୁଷବନ୍ଧୁ ପ୍ରମୋଦ ବେହେରାଙ୍କୁ ପୋଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ପ୍ରମୋଦକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ଅପରପକ୍ଷରେ ପୁରୁଷବନ୍ଧୁଙ୍କ ପରିବାର ଓ ତାଙ୍କ ଗ୍ରାମବାସୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି । ସେମାନେ କହଛନ୍ତି ଛାତ୍ରୀଙ୍କ ମୃତୁ୍ୟ ପଛରେ ପ୍ରମୋଦଙ୍କର କୌଣସି ଭୂମିକା ନାହିଁ । ଛାତ୍ରୀଙ୍କ ବାପା ହିଁ ତାଙ୍କୁ ମାରି ପ୍ରମୋଦକୁ ଫସାଇଛନ୍ତି । ଏସପି ସିଦ୍ଧାର୍ଥ କଟ୍ଟାରିଆ ସୂଚନା ଦେଇ କହିଛନ୍ତି ଯେ ବର୍ତମାନ ସୁଦ୍ଧା ଛାତ୍ରୀଙ୍କ ମୃତୁ୍ୟ ଆତ୍ମହତ୍ୟା ଯୋଗୁଁ ହୋଇଛି କି ତାଙ୍କୁ ହତ୍ୟା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ ।

କାରଣ ଆମେ ଏସଏଫଏଲ(ଷ୍ଟେଟ୍ ଫରେନସିକ ସାଇନ୍ସ ଲାବୋରେଟୋରୀ) ରିପୋର୍ଟ, ଏଫଏମଟି ଡାକ୍ତରଙ୍କ ରିପୋର୍ଟ ଓ ସାଇଂଟିଫିକ ଟିମ୍ ର ରିପୋର୍ଟକୁ ଅପେକ୍ଷା କରିଛୁ । ଏହି ତିନୋଟି ରିପୋର୍ଟ ଆସିବା ପରେ ସ୍ପଷ୍ଟ ସୂଚନା ମିଳିବ ଯେ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି । ସେଥିପାଇଁ ଆଉ ୫/୬ ଦିନ ସମୟ ଲାଗିବ । ଯେପର୍ଯ୍ୟନ୍ତ ଏହି ତିନୋଟି ବିଭାଗର ରିପୋର୍ଟ ଆସିନାହିଁ ସେପର୍ଯ୍ୟନ୍ତ ଛାତ୍ରୀ ମୃତୁ୍ୟ ଘଟଣାର ପ୍ରକୃତ କାରଣ କ’ଣ ତାହା ଜଣାପଡିବ ନାହିଁ ବୋଲି ଏସପି କହିଛନ୍ତି ।

ଏସପି କହିଛନ୍ତି ଛାତ୍ରୀଙ୍କ ବାପା ଅଭିଯୋଗ କରିଥିଲେ ଯେ ପୁରୁଷ ବନ୍ଧୁ ପ୍ରମୋଦ ତାଙ୍କ ଝିଅର ମୋବାଇଲକୁ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଏବଂ ଫଟୋ ପଠାଇଥିଲେ । ଯାହା ଫଳରେ ତାଙ୍କ ଝିଅ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା । ଛାତ୍ରୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁରୁଷବନ୍ଧୁର ମୋବାଇଲ ଓ ଛାତ୍ରୀର ମୋବାଇଲ ଯାଂଚ କରାଯାଇଥିଲା । ଏହି ଯାଂଚରୁ ଜଣାପଡିଥିଲା ଯେ ପ୍ରମୋଦ ଛାତ୍ରୀଙ୍କ ମୋବାଇଲକୁ ୬୦ରୁ ଅଧିକ ଅନ୍ତରଙ୍ଗ ମୁହୂର୍ତର ଫଟୋ ଓ ଭିଡିଓ ପଠାଇଥିଲେ । ଜୁଲାଇ ୧୭ରେ ଛାତ୍ରୀଙ୍କ ବାପାଙ୍କ ମୋବାଇଲକୁ ଝିଅର ଏକ ଅନ୍ତରଙ୍ଗ ମୁହୂର୍ତର ଫଟୋ ଆସିଥିଲା । କେବଳ ତାଙ୍କ ମୋବାଇଲକୁ ନୁହେଁ କାଠିଆପଡ଼ା ଗ୍ରାମର ଅନ୍ୟ କେତେକ ବ୍ୟକ୍ତିଙ୍କ ମୋବାଇଲକୁ ଛାତ୍ରୀ ଓ ପୁରୁଷବନ୍ଧୁ ପ୍ରମୋଦଙ୍କ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଆସିଥିଲା ।

ଯଦି କୌଣସି ବ୍ୟକ୍ତି କୌଣସି ଯୁବତୀଙ୍କ ମୋବାଇଲକୁ କୌଣସି ଅଶ୍ଳୀଳ ଭିଡିଓ ପଠାଇବେ ତେବେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯିବ । ସେହି ଆଧାରରେ ପ୍ରମୋଦକୁ ଗିରଫ କରାଯାଇଛି ବୋଲି ଏସପି ଶ୍ରୀ କଟ୍ଟାରିଆ କହିଛନ୍ତି । ଅନ୍ୟପକ୍ଷରେ ପ୍ରମୋଦଙ୍କ ପରିବାର ସମେତ ତାଙ୍କ ଗ୍ରାମର ୩୦ରୁ ଊଦ୍ଧ୍ୱର୍ ବ୍ୟକ୍ତି ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଘେରାଉ କରିଥିଲେ । ସେମାନେ ଦାବି କରିଥିଲେ ଯେ ପ୍ରମୋଦ ନିରୀହ । ପ୍ରମୋଦକୁ ଫସାଇ ଦିଆଯାଇଛି । ଛାତ୍ରୀଙ୍କୁ ତାଙ୍କ ପରିବାର ଲୋକେ ହିଁ ମାରିଛନ୍ତି । ଏଥିରେ ପ୍ରମୋଦଙ୍କର କୌଣସି ଭୂମିକା ନାହିଁ । ତେଣୁ ତାଙ୍କୁ କୋର୍ଟଚାଲାଣ କରା ନଯାଉ ବୋଲି ସେମାନେ ଦାବି କରିଥିଲେ । ହେଲେ ଏହି ଅଭିଯୋଗ ଉପରେ ଏସପି କହିଛନ୍ତି ପ୍ରମୋଦ ଯୁବତୀଙ୍କ ମୋବାଇଲକୁ ୬୦ରୁ ଅଧିକ ଅଶ୍ଳୀଳ ଭିଡ଼ିଓ ଏବଂ ଫଟୋ ପଠାଇଥିବାର ପ୍ରମାଣ ମିଳିଛି । ତେଣୁ ସେହି ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ।

ଛାତ୍ରୀଙ୍କୁ କିଏ ମାରିଛି ତାହାର ପ୍ରମାଣ ମିଳିଲେ ତାଙ୍କ ବିରୁଦ୍ଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରକାଶ ଥାଉକି ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ କାଠିଆପଡ଼ା ଗ୍ରାମରୁ ସଂପୃକ୍ତ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ତାଙ୍କ ସିଡି ଘରୁ ପୋଲିସ ଗତ ଜବତ କରିଥିଲା । ଛାତ୍ରୀଙ୍କ ବାପା ଅଭିଯୋଗ କରିଥିଲେ ଯେ ତେରେଇ ଗ୍ରାମର ଜଣେ ଯୁବକ ପ୍ରମୋଦ ବେହେରାଙ୍କୁ ତାଙ୍କ ଝିଅ ଭଲ ପାଉଥିଲେ । ହେଲେ କିଛି ମାସ ତଳେ ଉଭୟଙ୍କ ସଂପର୍କ ଛିନ୍ନ ହୋଇଥିଲା ।

କିନ୍ତୁ ପ୍ରମୋଦ ବିଭିନ୍ନ ସମୟରେ ଅଶ୍ଳୀଳ ଭିଡିଓ ପଠାଉଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସର ଏକ ସ୍ୱତନ୍ତ୍ର ଦଳ ଏସପିଙ୍କ ନିର୍ଦ୍ଧେଶରେ ଚେନ୍ନଇ ଯାଇ ପ୍ରମୋଦଙ୍କୁ ଉଠାଇ ଆଣିଥିଲା । ପ୍ରମୋଦ ନିଜ ମୋବାଇଲରୁ ସମସ୍ତ ଫଟୋ ଓ ଭିଡିଓ ଡିଲିଟ୍ କରି ଦେଇଥିଲେ । ହେଲେ ସେହି ସବୁ ଭିଡିଓକୁ ରିଟ୍ରାଇଭ କରାଯାଇଥିଲା । ଏଥିରୁ ସ୍ପଷ୍ଟ ସୂଚନା ମିଳିଥିଲା ଯେ ପ୍ରମୋଦ ୬୦ରୁ ଊଦ୍ଧ୍ୱର୍ ଅଶ୍ଳୀଳ ଫଟୋ ଓ ଏବଂ ଭିଡିଓ ପ୍ରମୋଦ ଛାତ୍ରୀଙ୍କ ମୋବାଇଲକୁ ପଠାଇଥିଲା । ତେଣୁ ସେହି ଆଧାରରେ ପ୍ରମୋଦକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *