ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ  ଉନ୍ନୟନ କମିଟି ସମୀକ୍ଷା ବୈଠକ

ଜଗତସିଂହପୁର,୦୬/୦୮/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ରେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟି ସମୀକ୍ଷା ବୈଠକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରି ମାନ୍ୟବର ବିଧାୟକ ତିର୍ତ୍ତୋଲ ଡ଼ଃ ରମାକାନ୍ତ ଭୋଇ କହିଲେ ଯେ, ଜିଲ୍ଲା ପ୍ରଶାସନ ତଥା ଜନ ପ୍ରତିନିଧି ମାନଙ୍କ ମଧ୍ୟରେ ସଠିକ୍ ସମନ୍ଵୟ ସହ ବିଭାଗୀୟ ଅଧିକାରୀ ମାନଙ୍କ ଆନ୍ତରିକ ଉଦ୍ୟମ ରହିଲେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଲୋକଙ୍କ ପାଖରେ ଠିକ୍ ଭାବେ ପହଞ୍ଚି ପାରିବ।

ସରକାର ଙ୍କ ପ୍ରଣୀତ ଲୋକ ହିତକାରୀ ଯୋଜନା ସଠିକ ଉପାୟ ରେ ସଠିକ୍ ଲୋକ ମାନଙ୍କ ପାଖରେ ପହଞ୍ଚାଇବାକୁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ଏହି ବୈଠକ ରେ ବିଧାୟକ ଡ଼ଃ ଭୋଇ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ଉନ୍ନୟନ ମୂଳକ କାର୍ଯ୍ୟର ପ୍ରଗତି ତଥା କାର୍ଯ୍ୟକାରିତା ବିଷୟ ରେ ସମୀକ୍ଷା କରିଥିଲେ। ବୈଠକ ରେ ଉପସ୍ଥିତ ରହି ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ସମନ୍ଵୟ ଓ ସହଭାଗିତା ରହିଲେ ଉନ୍ନୟନ ସମ୍ଭବ ବୋଲି କହିଥିଲେ। ଆଗାମୀ ଦିନରେ ଆଉ କଣ କରାଗଲେ ସରକାରଙ୍କ ଯୋଜନା ଆହୁରି ସଠିକ୍ ଭାବେ ଲୋକମାନଙ୍କ ପାଖେ ପହଞ୍ଚି ପାରିବ ତାର ପୁଙ୍ଖାନୁପୁଙ୍ଖ ଆଲୋଚନା ଅଧିକାରୀ ମାନଙ୍କ ସହ କରାଗଲା।

ଏହି ବୈଠକରେ ସମସ୍ତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିବା ସହ ନିଜ ନିଜ ବିଭାଗ ର କାର୍ଯ୍ୟକାରିତା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ। ବିଶେଷ କରି କୃଷି ବିଭାଗ, ପ୍ରାଣୀ ଚିକିତ୍ସା ବିଭାଗ, ମତ୍ସ୍ୟ ବିଭାଗ ଉପରେ ଗୁରୁତ୍ବ ପ୍ରଦାନ କରି ବିଧାୟକ ଅଧିକାରୀ ମାନଙ୍କୁ ଯୋଜନାରେ ଲାଭବାନ ହୋଇଥିବା ହିତାଧୀକାରୀ ମାନଙ୍କ ନାମ ଓ ଠିକଣା ପୈଠ କରିବାକୁ କହିଥିଲେ। ବିଭାଗୀୟ ଅଧିକାରୀ ମାନଙ୍କ ସହ ସେ ନିଜେ ଉକ୍ତ ହିତାଧୀକାରୀ ମାନଙ୍କୁ ପରିଦର୍ଶନ କରିବେ ବୋଲି କହିଥିଲେ।

ପ୍ରାଣୀ ଚିକିତ୍ସା ବିଭାଗ ର ପ୍ରମୁଖ ଯୋଜନା ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ର ଉପାଦେୟତା ବିଷୟରେ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ମାର୍ଗଦର୍ଶନ କରିଥିଲେ। ସେହିପରି କଟକ ପାରାଦ୍ଵୀପ ରାସ୍ତା ନିର୍ମାଣ ଓ ସମ୍ପ୍ରସାରଣ ସମୟରେ ବୃକ୍ଷ ଛେଦନ କୁ ଅତି ଆବଶ୍ୟକ ନହେଲେ କରିବାକୁ ବାରଣ କରିଥିଲେ। ସମସ୍ତ ବିଭାଗର ଉନ୍ନତିମୂଳକ କାର୍ଯ୍ୟକରୀ ଯୋଜନା ବିଷୟରେ ଶୁଣି ସାରିବା ପରେ ଏହାର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।ଏହି ବୈଠକରେ ଅଧ୍ୟକ୍ଷ , ବିରିଡ଼ି ପଞ୍ଚାୟତ ସମିତି, ଶ୍ରୀମତୀ ମମତା ପାତ୍ର, ବିରିଡ଼ି, ରଘୁନାଥପୁର, ତିର୍ତ୍ତୋଲ ର ମଣ୍ଡଳ ଉନ୍ନୟନ ଅଧିକାରୀ, ତହସିଲଦାର  ଏବଂ ଲାଇନ୍ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *