ନିଶ୍ଚିନ୍ତକୋଇଲି, ୦୫/୦୮/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ୱର ବଜାର ରାସ୍ତାରେ ଘଟିଛି ବଡଧରଣର ଲୁଟ । ଗହଣା ଦୋକାନୀଙ୍କୁ ଆକ୍ରମଣ କରି ଛଡାଇ ନେଇଛନ୍ତି ଅଳଙ୍କାର ଭର୍ତ୍ତି ବ୍ୟାଗ । ଏହାପରେ ସିରିଏଲ୍ ବୋମା ମାଡ଼କରି ୫ଜଣ ଦୁବୃର୍ତ୍ତ ବାଇକ୍ ରେ ଫେରାର ହୋଇଯାଇଥିଲେ ।

ସୂଚନା ଅନୁଯାୟୀ, ଅସୁରେଶ୍ୱର ପଂଚାୟତ ର ପାଇକରାପୁର ଗ୍ରାମର କୈଳାଶ ଚନ୍ଦ୍ର ସାହୁଙ୍କର ଅସୁରେଶ୍ୱର ବଜାର ରେ ମହାବୀର ଜୁଏଲର୍ସ ନାମକ ଏକ ଅଳଙ୍କାର ଦୋକାନ ରହିଛି । ସୋମବାର ରାତି ପ୍ରାୟ ୯ ଟାରେ ଦୋକାନ ମାଲିକ ଙ୍କ ପୁଅ ନିରଞ୍ଜନ ଦୋକାନ ବନ୍ଦ କରି,ଏକ ବ୍ୟାଗ୍ ରେ ସୁନା ଅଳଙ୍କାର, ଲାପଟପ୍ , ନଗଦ ଟଙ୍କା ଓ ଦୋକାନ ଚାବି ନେଇ ବୁଲେଟ ମୋଟରସାଇକେଲ ରେ ଘରକୁ ଫେରୁଥିଲେ । ସେତେବେଳେ ଲାଇନ୍ ନଥିବାରୁ ଅନ୍ଧାର ହୋଇଥିଲା ।
ଦୋକାନ ଠାରୁ ପ୍ରାୟ ୩୦୦ ମିଟର ଦୂରରେ ୫ ଜଣ ଦୁର୍ବୃତ୍ତ ନିରଞ୍ଜନ ଙ୍କ ବୁଲେଟ୍ କୁ ଅଟକାଇଥିଲେ । ନିରଞ୍ଜନ ଙ୍କ ମୁଣ୍ଡରେ ଶକ୍ତ ପ୍ରହାର କରି ଦୁର୍ବୃତମାନେ ଗହଣା, ଟଙ୍କା ଆଦି ଥିବା ବ୍ୟାଗ୍ କୁ ଛଡ଼ାଇ ନେଇଥିଲେ । ଲୋକମାନେ ପୁରୁଣା ବ୍ୟାଙ୍କ ଛକ ଠାରେ ଦୁର୍ବୃତ ମାନଙ୍କୁ ଧରିବାକୁ ଚେଷ୍ଟା କରିବାରୁ ଦୁର୍ବୃତମାନେ ଲଗାତର ୪ ଟି ବୋମା ଫୁଟାଇ ଲୋକମାନଙ୍କୁ ଭୟଭିତ କରି ଦୁଇଟି ବାଇକ୍ ରେ ଫେରାର ହୋଇ ଯାଇଥିଲେ । ସମସ୍ତ ଦୁର୍ବୃତ ହେଲମେଟ ପିନ୍ଧିଥିଲେ ।
ସ୍ଥାନୀୟ ଲୋକମାନେ ଆହତ ନିରଂଜନ ଙ୍କୁ ଉଦ୍ଧାର କରି ସ୍ଥାନୀୟ ଏକ ଘରୋଇ ହସପିଟାଲକୁ ନେଇଥିଲେ । ନିଶ୍ଚିନ୍ତକୋଇଲି ଥାନା ପୋଲିସ୍ ଏହି ଲୁଟ ଘଟଣାର ତଦନ୍ତ କରୁଛି । ହେଲେ ବର୍ତମାନ ସୁଦ୍ଧା ଲୁଟେରାଙ୍କ ପତା ମିଳିପାରିନାହିଁ । ଦୁର୍ବୃତ ମାନେ ଛଡ଼ାଇ ନେଇଥିବା ବ୍ୟାଗ୍ ରେ ନଗଦ ଟଙ୍କା, ସୁନା ଅଳଙ୍କାର , ଲାପଟପ୍ , ବୋକାନ ଚାବି ଥିବା ନିରଞ୍ଜନ ସାହୁ କହିଛନ୍ତି ।
ବାରମ୍ବାର ଅସୁରେଶ୍ବର ବଜାର ର ଗହଣା ଦୋକାନ ମାଲିକଙ୍କ ଠାରୁ ଲୁଟ୍ କରାଯାଉଛି। ଅନେକ ଦିନରୁ ଅସୁରେଶ୍ବର ଅଂଚଳରେ ଏକ ଫାଣ୍ଡି ପ୍ରତିଷ୍ଠା ପାଇଁ ବ୍ୟବସାୟୀ ସଂଘ ଏବଂ ଅଂଚଳବାସୀ ଦାବି କରି ଆସୁଥିଲେ ସୁଦ୍ଧା ଏଯାବତ୍ ତାହା ହୋଇ ପାରିନଥିବାରୁ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ଅସୁରେଶ୍ବର ପଂଚାୟତ ଠାରୁ ନିଶ୍ଚିନ୍ତକୋଇଲି ଥାନା ପ୍ରାୟତଃ ୧୨ ରୁ ୧୫ କିଲୋମିଟର ଦୂର ହୋଇଥିବାରୁ ଦୁର୍ବୁତ୍ତ ମାନେ ଏଠାରେ ଅପରାଧ ଘଟାଇ ସୁରୁଖୁରୁରେ ଖସି ଯିବାକୁ ସକ୍ଷମ ହେଉଛନ୍ତି।
