ଜିଲ୍ଲା ସ୍ତରୀୟ ପିଏମ କିଷାନ ର ୨୦ ତମ କିସ୍ତି ବଣ୍ଟନ ଓ ପିଏମ କିଷାନ ସମ୍ମାନ ସମାରୋହ ଅନୁଷ୍ଠିତ

ଜିଲ୍ଲାର ମୋଟ ୧,୨୧,୨୫୪ ଚାଷୀ ହେଲେ ଲାଭାନ୍ବିତ

ବିକଶିତ ଓଡ଼ିଶା ର ଚିତ୍ର ରେ ବିକଶିତ ଜଗତସିଂହପୁର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ: ମନ୍ତ୍ରୀ

ଜଗତସିଂହପୁର, ୦୨/୦୮/୨୦୨୫ (ଓଡ଼ିଶା ସମାଚାର)-  ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ର ବାରଣାସୀ ସହରଠାରେ ଆୟୋଜିତ ପିଏମ କିଷାନ ସମ୍ମାନନିଧି ପାଳନ ସମାରୋହରେ ଦେଶର ୯କୋଟି ୭୦ ଲକ୍ଷ ରୁ ଉର୍ଦ୍ଧ୍ବ ଚାଷୀଙ୍କୁ ୨୦ ହଜାର ୫୦୦କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କିଷାନ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଶ୍ରୀ ସୂର୍ଯ୍ୟବଂଶୀ ସୂରଜ୍ , ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ,ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ବିଶ୍ୱଜିତ୍ ପଣ୍ଡା, କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ଡଃ ଦେବାଶିଷ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ  ।

ସମାରୋହ ରେ ଯୋଗଦେଇ ମାନ୍ୟବର ମନ୍ତ୍ରୀ  ସୂର୍ଯ୍ୟବଂଶୀ,  ଜଗତସିଂହପୁର ଜିଲ୍ଲା କୁ ବରପୁତ୍ର ଙ୍କ ମାଟି ତଥା ରାଜନୈତିକ, ସାମାଜିକ , ଅର୍ଥନୈତିକ ଅଭିବୃଦ୍ଧି ର ପୃଷ୍ଠପୋଷକ ବୋଲି ସମ୍ବୋଧନ କରିଥିଲେ।ଜିଲ୍ଲା ର ବିକାଶ  କୃଷକ ମାନଙ୍କ ବିକାଶରେ ସମ୍ଭବ ଯାହା ଏକ ବିକଶିତ ରାଷ୍ଟ୍ର ଗଠନ ରେ ସହାୟକ ବୋଲି ସେ କହିଥିଲେ।ଚାଷ ଓ ଚାଷୀ ଙ୍କୁ ଗୁରୁତ୍ଵ ଦେବାସହ ସେମାନଙ୍କର  ଗୁଣାତ୍ମକ ବିକାଶ ଦିଗକୁ ପ୍ରୋତ୍ସାହନ ଦେବା ଆମର କର୍ତ୍ତବ୍ୟ ବୋଲି ମନ୍ତ୍ରୀ କହିଥିଲେ। ଭାରତ ଆଜି ବିଶ୍ବ ରେ  ଚତୁର୍ଥ ବୃହତ୍ ଅର୍ଥନୀତି ର ସମ୍ମାନ ପାଇପାରିଛି ,ଯାହା ଏକ ଗୌରବ ର ବିଷୟ।ଜଗତସିଂହପୁର ଜିଲ୍ଲାରେ ପାରାଦ୍ଵୀପ ବନ୍ଦର ଓଡ଼ିଶା ବିକାଶ ର ମଙ୍ଗ ଧରିବ। ବନ୍ଦର ଭିତ୍ତିକ ଶିଳ୍ପାନୁଷ୍ଠାନ ସ୍ଥାପନ କରି ଜିଲ୍ଲା ରେ କୁଶଳୀ ଯୁବ ପିଢୀ ଙ୍କୁ ଆତ୍ମନିର୍ଭର କରିବା ସରକାର ଙ୍କ ଲକ୍ଷ୍ୟ।୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ର ଚିତ୍ର ରେ ବିକଶିତ ଜଗତସିଂହପୁର ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ଦୃଢୋକ୍ତି ପ୍ରକାଶ କରିଥିଲେ।ଜିଲ୍ଲାରେ ମାଛ ଚାଷ କିପରି ଭାବେ ବୃଦ୍ଧି ପାଇବ, ବନ୍ଦର, ପର୍ଯ୍ୟଟନ ସ୍ଥଳୀ,ଶିଳ୍ପର ବିକାଶ ସାଧନ କରିବା ନିମନ୍ତେ ମନ୍ତ୍ରୀ  ଜିଲ୍ଲା ପ୍ରଶାସନ ର ସହଯୋଗ କାମନା କରିଥିଲେ।

ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା  ମାଧ୍ୟମରେ କୃଷକ ସମାଜ ର ଉନ୍ନତି ହେଲେ ଦେଶର ଅର୍ଥନତିକ ଅଭିବୃଦ୍ଧି ସହ ସାମଗ୍ରିକ ବିକାଶ ଦୁଇ ଗୁଣିତ ହେବ ବୋଲି କହିଥିଲେ।ଏତଦବ୍ୟତୀତ ବିଧାୟକ ଶ୍ରୀ ଦାସ ଜିଲ୍ଲା ର ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ର ଉନ୍ନତିକରଣ ନିମନ୍ତେ ମନ୍ତ୍ରୀ ଙ୍କୁ ପ୍ରସ୍ତାବ ରଖିଥିଲେ।

ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ମଧ୍ୟ କୃଷକ ସମାଜ ର ବିକାଶ ହେଲେ ବିକଶିତ ରାଷ୍ଟ୍ର ଗଠନ ସମ୍ଭବ ବୋଲି କହିଥିଲେ।

ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥିବୃନ୍ଦ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଚାଷୀମାନେ ବାରଣାସୀ ଠାରୁ ଆଭାସୀ ମାଧ୍ୟମରେ ସିଧା ପ୍ରସାରଣ ହେଉଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦେଖିଥିଲେ । ଜଗତସିଂହପୁର ଜିଲ୍ଲାର ମୋଟ ୧,୨୧, ୨୫୪ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆଜି ପ୍ରତ୍ୟେକ ୨୦୦୦ ଟଙ୍କା ଲେଖାଏଁ ହସ୍ତାନ୍ତର ହୋଇଛି ବୋଲି କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏଠାରେ ସୂଚନା ଥାଉ କି, କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ  ପି-ଏମ  କିଷାନ ଯୋଜନା ଏକ କଲ୍ୟାଣକାରୀ ଯୋଜନା। ଏହି ଯୋଜନାରେ ଚାଷୀଙ୍କୁ ସହାୟତା ରାଶି ଭାବରେ ବର୍ଷକୁ ୬୦୦୦ ଟଙ୍କା ତିନି ଗୋଟି କିସ୍ତି ମାଧ୍ୟମରେ ପ୍ରଦାନ କରାଯାଇ ଥାଏ।

ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ  କୃଷି ଜିଲ୍ଲା ଅଧିକାରୀ,ତିର୍ତ୍ତୋଲ ବ୍ଲକ୍ କୃଷି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ର ବହୁ ଉଦ୍ଦୀୟମାନ ଯୁବ କ୍ରୀଡାବିତ୍ ମନ୍ତ୍ରୀ ଙ୍କୁ ସାକ୍ଷାତ କରିଥିଲେ।

ମନ୍ତ୍ରୀ ସୂର୍ଯ୍ୟବଂଶୀ ମଧ୍ୟ ନବକୃଷ୍ଣ ଚୌଧୁରୀ  ଷ୍ଟାଡିୟମ୍ ପରିଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *