ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେଏଗ୍ରିଷ୍ଟାକ୍‌ ସଂପର୍କିତ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ

#ଡିଜିଟାଲ ସର୍ବେକ୍ଷଣରେ ଓଡ଼ିଶା ସରକାରଙ୍କୁ ଭାରତ ସରକାରଙ୍କ ପ୍ରଶଂସା

#ଜାତୀୟ ସର୍ବେକ୍ଷଣ ସଠିକତାରେ ଓଡ଼ିଶା ଦେଶରେ ଶ୍ରେଷ୍ଠ ପ୍ରଦର୍ଶନ କାରୀ ରାଜ୍ୟ

ଭୁବନେଶ୍ୱର,୧୨/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏଗ୍ରିଷ୍ଟାକ୍‌ ସଂପର୍କିତ ରାଜ୍ୟ ସ୍ତରୀୟ ପରିଚାଳନା କମିଟି  ବୈଠକ ଗତକାଲି ଗୁରୁବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ଏଗ୍ରିଷ୍ଟାକ୍‌ ହେଉଛି ଭାରତ ସରକାରଙ୍କ ଦ୍ୱାରା ବିକଶିତ ଏକ ଏକୀକୀତ କୃଷିତଥ୍ୟ ପ୍ଲାଟ୍‌ଫର୍ମ।ଏଥିରେ କୃଷକଙ୍କର ରହିଥିବା ଜମି, ଫସଲ ସମ୍ବନ୍ଧୀୟ ସୂଚନା ଏକାଠି ଡିଜିଟାଲ ମାଧ୍ୟମରେ ରଖାଯିବା ବ୍ୟବସ୍ଥା ରହିଛି , ଯଦ୍ୱାରା କୃଷକଙ୍କୁ ଡିଜିଟାଲ ମାଧ୍ୟମରେ ଉଦ୍ଦିଷ୍ଟ ସେବାଠିକ୍‌ ଭାବେ ପହଁଚାଇବାରେ ସହଜ କରିବ।ଏଗ୍ରିଷ୍ଟାକ୍‌ ଅଧିନରେ ଫସଲର ଡିଜିଟାଲ୍‌ ସର୍ବେକ୍ଷଣ, କୃଷକ ପରିଚୟ ପଂଜୀକରଣ, ଗ୍ରାମୀଣ ମାନଚିତ୍ର କୁ ଜିପିଏସ୍‌ରେ ସଠିକ୍‌ ଭାବେ ମ୍ୟାପ କରି ସରକାରୀ ଭଣ୍ଡାରରେ ଡିଜିଟାଲ ଉପଲବ୍ଧ ବ୍ୟବସ୍ଥା କରାଯାଉଛି।

        ଅନୁଷ୍ଠିତ ବୈଠକରେ ଭାରତ ସରକାରଙ୍କ ମୁଖ୍ୟ ପରାମର୍ଶ ଅଧିକାରୀ ଶ୍ରୀ ରାଜୀବ ଚାଓ୍ୱଲା, ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟର ଅତିରିକ୍ତ ଶାସନ ସଚିବ ଡଃ ପ୍ରମୋଦ କୁମାର ମେହେର୍ଦ୍ଦା ଆଭାସୀ ମାଧ୍ୟମରେ ଯୋଗ ଦେଇଥିବା ବେଳେ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ ଏବଂ କମିଟିର ସଦସ୍ୟ ଥିବା ବିଭିନ୍ନ ବିଭାଗର ଉଚ୍ଚ ପଦାଧିକାରୀମାନେ ଲୋକସେବା ଭନବନରେ  ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

          ବୈଠକରେ୨୦୨୪ଏବଂ୨୦୨୫ବର୍ଷରେ ଖରିଫ୍ ଓ ରବି ଫସଲ ର ଡିଜିଟାଲ ସର୍ବେକ୍ଷଣ ଉପରେ ତୁଳନାତ୍ମକ ଅନୁଧ୍ୟାନ କରାଯାଇଥିଲା। ଡିଜିଟାଲ ଫସଲ ସର୍ବେକ୍ଷଣରେ ଖରିଫରେ ଧାନ, କପା, ମକା, ମାଣ୍ଡିଆ, କାଜୁ ଆଦି ପ୍ରମୁଖ ଫସଲର ସର୍ବେକ୍ଷଣ ଅନ୍ତର୍ଭୁକ୍ତ ରହିଥିବା ବେଳେ ରବିରେ ମୁଗ, ବିରି, ଚିନାବାଦାମ ଧାନ ଆଦି ଅନ୍ତର୍ଭୁକ୍ତ ରହିଛି।୨୦୨୫ଗଣନା ଅନୁସାରେ ରାଜ୍ୟରେ ବରଗଡ଼ ଜିଲ୍ଲା ଓ ଝାରସୁଗୁଡ଼ା ଜିଲ୍ଲା ଜିଲ୍ଲା-ୱାରୀ ଖରିଫ ଜମି ସର୍ବେକ୍ଷଣରେ ଶେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ସଫଳତା ହାସଲ କରିଛନ୍ତି। ସାମଗ୍ରିକ ଭାବେ ବିଭିନ୍ନ ଜିଲ୍ଲାର ସଫଳତା ହାର ୯୪ପ୍ରତିଶତ ରହିଛି।

        ପୂର୍ବଥର ଅପେକ୍ଷା ସର୍ବେକ୍ଷଣ ପଦ୍ଧତିରେ ବହୁ ଉନ୍ନତି କରାଯାଇଛି । ସେ ସଂପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା।ରାଜ୍ୟ ଅର୍ଥ ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଏହାର ପର୍ଯ୍ୟବେକ୍ଷଣ ଓ ନିରୀକ୍ଷଣରେ ମଧ୍ୟ ସାମିଲ ହୋଇଛନ୍ତି । ଅନ୍ୟ ପକ୍ଷରେ ଯେଉଁମାନେ ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟରେ ଖିଲାପ କରିଛନ୍ତି, ସଂପୃକ୍ତ ସର୍ଭେୟର, ସୁପରଭାଇଜର, ଭେଣ୍ଡରଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସର୍ବେକ୍ଷଣରେ ତଥ୍ୟର ବିଭିନ୍ନ ପ୍ରକାର ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି।

        ଡିଜିଟାଲ ସର୍ବେକ୍ଷଣରେ ଓଡ଼ିଶାର ଉଲ୍ଲେଖନୀୟ ପ୍ରଦର୍ଶନକୁ ଭାରତ ସରକାର  ଉଚ୍ଚ ପ୍ରଶଂସା କରିଛନ୍ତି।ଡିଜିଟାଲ ସର୍ବେକ୍ଷଣ, ଏହାର ଅଗ୍ରଗତି, ଗୁଣାତ୍ମକତା ଓ କ୍ଷେତ୍ରସ୍ତରୀୟ କାର୍ଯ୍ୟପ୍ରଣାଳୀକୁ ପ୍ରଶଂସା କରାଯାଇଛି । ଭାରତ ସରକାରଙ୍କ ମୁଖ୍ୟ ପରାମର୍ଶ ଅଧିକାରୀ ଶ୍ରୀ ଚାଓ୍ୱଲା ଓଡ଼ିଶା ରାଜ୍ୟ ସରକାରଙ୍କର ପୁରାଟିମ୍‌ କୁ ପ୍ରଶଂସା କରିଛନ୍ତି । ଓଡ଼ିଶାର ସର୍ବେକ୍ଷଣ ବ୍ୟବସ୍ଥା ଅନ୍ୟ ରାଜ୍ୟ ପାଇଁ ଅନୁକରଣୀୟ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି । ଓଡ଼ିଶାର ସର୍ବେକ୍ଷଣ ସଠିକତା ୯୬.୬୭ପ୍ରତିଶତ ରହିଛି ଏବଂ ରାଷ୍ଟ୍ରୀୟ ତୃଟି ସର୍ବେକ୍ଷଣରେ ଦେଶରେ ଓଡ଼ିଶା ର ସବୁଠାରୁ କମ୍ ତ୍ରୁଟି (୩.୩୩ ପ୍ରତିଶତ ରହିଛି) ।ବୈଠକରେ ମଧ୍ୟ କୃଷକ ପଂଜୀକରଣ ସଂପର୍କିତ ଆଲୋଚନା ହୋଇଥିଲା । ଏଥିରେ ଝାରସୁଗୁଡ଼ା ଜିଲ୍ଲା ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଜଣାଯାଇଛି।

-0-

ପଠାଣି ରାଉତ,ମୁଖ୍ୟ ଶାସନ ସଚିବଙ୍କଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *