ଦଶହରା ପୂର୍ବରୁ ଭୁବନ ସହରରେ କେବୁଲ ଦ୍ୱାରା ବିଦ୍ୟୁତ୍ ଯୋଗାଣ ଦାବି

ଭୁବନ ୦୬/୦୯/୨୦୨୬ (ଓଡ଼ିଶା ସମାଚାର)-ଟାଟା ପାୱାର ଓଡ଼ିଶାରେ ବିଦ୍ୟୁତ୍ ବଣ୍ଟନ ଦାୟିତ୍ୱ ନେବା ସମୟରେ ଉନ୍ନତ ମାନର ସେବା ଯୋଗାଇ ଦେବାକୁ କେବଳ ପ୍ରତିଶ୍ରୁତି ନୁହେଁ , ଚୁକ୍ତି କରିଥିଲା । କିନ୍ତୁ ଶୋଷଣରେ ପୂର୍ବର ଏନ୍ ଜେ ଏନ୍ କମ୍ପାନୀ ଠାରୁ ବଳିଗଲା ଟି ପି ସି ଓ ଡି ଏଲ । ଢ଼େଙ୍କାନାଳ ଜିଲ୍ଲା ଭୁବନ ବିଦ୍ୟୁତ୍ ସେକ୍ସନରେ ଟାଟା ପାୱାର ନୂଆ ତାର ଓ ଯନ୍ତ୍ରପାତି ବଦଳରେ ପୁରୁଣା ଖୁଣ୍ଟ,ତାରରେ ବିଦ୍ୟୁତ ଯୋଗାଣ କରୁଛି । ଭୁବନର ବ୍ୟସ୍ତ ବହୁଳ ଅଞ୍ଚଳ ନୂଆ ବଜାର (ବସଷ୍ଟାଣ୍ଡ,) ଠାରୁ ଗୁଜୁରୀ ହାଟ ପର୍ଯ୍ୟନ୍ତ ରାସ୍ତା ମଝିରେ ଖୋଲା ମେଲାରେ ବିଦ୍ୟୁତ ଯୋଗାଣ ହେଉଥିବାରୁ ଅଧିକାଂଶ ସମୟରେ ବିଦ୍ୟୁତ୍ ତାର ଛିଣ୍ଡି ପଡୁଛି ଓ ଲୋକମାନେ ଆହତ ହେଉଛନ୍ତି।

ଭୁବନ ସହର ମଧ୍ୟରେ ବିଦ୍ୟୁତ୍ ଯୋଗାଣ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବାରୁ କେତେବେଳେ ଯେ ଅଘଟଣ ଘଟି ଜନଜୀବନ ନଷ୍ଟ ହେବ କହିହେବ ନାହିଁ । ସର୍ବଦା ଏନ ଏ ସି ସାଧାରଣ ବୈଠକ ଓ ଭୁବନର ଗଣପର୍ବ ଦଶହରା ପୂର୍ବରୁ ଆୟୋଜିତ ପ୍ରସ୍ତୁତି ବୈଠକରେ ପୁରୁଣା ଖୁଣ୍ଟ ଏବଂ ତାର ବଦଳରେ କେବୁଲ୍ ମାଧ୍ୟମରେ ବିଦ୍ୟୁତ ଯୋଗାଣ କରିବାକୁ ନିଷ୍ପତି ଗ୍ରହଣ କରାଯାଉଥିଲେ ହେଁ ଏବେ ସୁଦ୍ଧା କାହିଁକି କାର୍ଯ୍ୟକାରୀ ହୋଇ ପାରୁନି ତାହାହିଁ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସହର ସାରା ଖୋଲା ମେଲା ରେ ରାସ୍ତା ମଝିରେ ବିଦ୍ୟୁତ୍ ତାର ଯାଇଥିବାରୁ ଅତୀତରେ ଏକାଧିକ ଥର ତାର ଛିଣ୍ଡି ତଳେ ପଡିଥିବାର ନଜିର ଅଛି । ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ରେ ପ୍ରତିବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ଯାତ୍ରାକୁ ଆସୁଥିବା ଏବଂ ଏହି ଗଣ ପର୍ବ ରେ ପ୍ରତ୍ୟେକ ପରିବାର ରେ ବନ୍ଧୁ ବାନ୍ଧବ ସମାଗମ ହୋଇଥାଏ ।

କିନ୍ତୁ ଲାଇନ୍ ଓ ପାଣି ପାଇଁ ବହୁ ହିନସ୍ତା ହୁଅନ୍ତି। ବିଡ଼ମ୍ବନା ଏହିକି ବଳଦ ଯାତ୍ରା ଏବଂ ଭସାଣି ଯାତ୍ରା ର ଗହଳି ଭିତରେ ବିଦ୍ୟୁତ୍ ଯୋଗାଣ ବନ୍ଦ କରି ସାରା ସହରକୁ ସମ୍ପୂର୍ଣ ଅନ୍ଧାର କରି ଦିଆଯାଏ । ଲାଇନ୍ ନ ରହିବା ଯୋଗୁ ପାନୀୟ ଜଳ ଯୋଗାଣ ବାଧା ପ୍ରାପ୍ତ ହୋଇଥାଏ । ବିନା ଲାଇନ୍ ଓ ପାଣିରେ ବନ୍ଧୁ ବାନ୍ଧବ ହଇରାଣ ହରକତ ହୁଅନ୍ତି । କେବଳ ଦଶହରା ବଳଦ ଯାତ୍ରାରେ ନୁହେଁ ରଥଯାତ୍ରା ଓ ଗଣେଶ ପୂଜା ଭସାଣୀ ଶୋଭାଯାତ୍ରା ସମୟରେ ମଧ୍ୟ ବିଦ୍ୟୁତ ଯୋଗାଣ ବନ୍ଦ କରି ଦିଆଯାଏ । ଚଳିତବର୍ଷ ଦଶହରା ପୂର୍ବରୁ କେବୁଲୁ ମାଧ୍ୟମରେ ବିଦ୍ୟୁତ ଯୋଗାଣ କରାଯିବା ପାଇଁ ଜନ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *