ଶ୍ରୀଜଗନ୍ନାଥଙ୍କ ଉପରେ ନିର୍ମାଣ ହେବ ଆଉ ଏକ ସିନେମା

ଭୁବନେଶ୍ୱର,୨୭/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ର ସଫଳତା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆଉ ଏକ ସିନେମା ନିର୍ମାଣର ଯୋଜନା ହୋଇଛି । ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଲୋକକଥାକୁ ନେଇ ନିର୍ମିତ ହେବାକୁ ଥିବା ଏହି ଚଳଚ୍ଚିତ୍ରର ନାମ ‘ମାଳତୀ’ ରଖାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି ।

ଏହି ଫିଲ୍ମର ପ୍ରଯୋଜକ ପୁରୀର । ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ସିନେମା ପାଇଁ ପ୍ରେରଣା ଦେଇଥିବା ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କର ଆଶୀର୍ବାଦ ଭିକ୍ଷା କରିବା ସହିତ ତାଙ୍କର ଆଗାମୀ ଫିଲ୍ମ ପାଇଁ ଗୁରୁଜୀ ଗୋଟିଏ ଗୀତ ଲେଖିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି ।

ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ

ଉଲ୍ଲେଖଯୋଗ୍ୟ ଯେ ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ବିପୁଳ ସଫଳତା ଲାଭ କରିବା ପଛରେ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀଙ୍କ ପ୍ରେରଣା ଓ ଆଶୀର୍ବାଦ ରହିଥିବା ଏହାର ନିର୍ଦ୍ଧେଶକ ତଥା ପ୍ରଯୋଜକ ବିନି ସାମଲ ଗଣମାଧ୍ୟମକୁ କହିଥିଲେ । ଏ ସମ୍ପର୍କରେ ଗୁରୁଜୀଙ୍କ ପ୍ରତିକ୍ରିୟା ଲୋଡ଼ାଯିବାରେ ସେ କହିଛନ୍ତି ଯେ ଜଗନ୍ନାଥ ତତ୍ୱ, ସଂସ୍କୃତି, ଓଡ଼ିଶାର ଇତିହାସ ଏବଂ ଅସ୍ମିତା ଉପରେ କୌଣସି ବି କାର୍ଯ୍ୟ ତାଙ୍କୁ ଭଲ ଲାଗେ । ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ସିନେମାଟି ଏହା ଉପରେ ଆଧାରିତ ହୋଇଥିବାରୁ ସେ ଏଥିରେ ସଂଶ୍ଲିଷ୍ଟ ହେଲେ । ଏଭଳି ମୁଭି ତାଙ୍କର ପସନ୍ଦ ବୋଲି ଗୁରୁଜୀ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ଓଡ଼ିଶାର କଳା ଓ ସଂସ୍କୃତି ଜଗତ ସହିତ ଦୀର୍ଘବର୍ଷ ଧରି ଜଡ଼ିତ ହୋଇ ବହୁ କଳାକାରଙ୍କୁ ପ୍ରେରିତ କରିବା ସହିତ ସେମାନଙ୍କର ମାର୍ଗଦର୍ଶନ ଓ ସହାୟତା କରିଛନ୍ତି । ବରିଷ୍ଠ ଅଭିନେତା ଉତମ ମହାନ୍ତି, ବିଜୟ ମହାନ୍ତି, ହର ପଟ୍ଟନାୟକ, ଅପରାଜିତାଙ୍କଠାରୁ ଏବେକାର ଅଭିନେତା ସବ୍ୟସାଚୀ, ବାବୁଶାନ୍, ଆକାଶଙ୍କ ପର୍ଯ୍ୟନ୍ତ ଅନେକ କଳାକାର ଗୁରୁଜୀଙ୍କର ମାର୍ଗଦର୍ଶନ ଲୋଡ଼ିଛନ୍ତି ।

ହର ପଟ୍ଟନାୟକ ଜୀବନ ସହିତ ସଂଗ୍ରାମ କରୁଥିବାବେଳେ ଗୁରୁଜୀ ତାଙ୍କୁ ଦୁଇଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସେହିପରି ବିଜୟ ମହାନ୍ତିଙ୍କୁ ତାଙ୍କର ଶେଷ ସମୟରେ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିଲେ । ନିକଟରେ ଜଣେ ଦୃଷ୍ଟିବାଧିତ ବାଳିକା ଆଶା ବାହାଦୁରକୁ ଗୁରୁଜୀ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିଲେ । କେବଳ ଚଳଚ୍ଚିତ୍ର ନୁହେଁ, ସଂଗୀତ ଜଗତରେ ମଧ୍ୟ ଗୁରୁଜୀଙ୍କ ପ୍ରେରଣାକୁ ରଘୁନାଥ ପାଣିଗ୍ରାହୀ, ପ୍ରଣବ ପଟ୍ଟନାୟକ, କଲ୍ୟାଣୀ ମୁଖାର୍ଜୀ, ଶ୍ୟାମାମଣି ଦେବୀ, ଦେବାଶିଷ ମହାପାତ୍ର, ସୁଧା ମିଶ୍ରଙ୍କ ଭଳି ବିଶିଷ୍ଟ ସଂଗୀତଜ୍ଞଙ୍କଠାରୁ ଆଜିକାର ପିଢ଼ିର ଅନ୍ତରା ଚକ୍ରବର୍ତୀଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ୱୀକାର କରିଛନ୍ତି ।

‘ଶ୍ରୀଜଗନ୍ନାଥଙ୍କ ନବ କଳେବର’ ସିନେମାରେ ଗୁରୁଜୀଙ୍କ ରଚିତ ଦୁଇଟି ଗୀତ ରହିଥିବାବେଳେ ଗୁରୁଜୀ ସ୍ୱର ମଧ୍ୟ ଦେଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଗୁରୁଜୀଙ୍କର ଅନେକ ଭଜନ ଓ ଜଣାଣ ରହିଥିବାବେଳେ ପ୍ରାୟ ଦୁଇ ଡଜନରୁ ଊଦ୍ଧ୍ୱର୍ ଭଜନ ସିଡ଼ି ଆକାରରେ ପ୍ରକାଶ ପାଇସାରିଛି । ଗୁରୁଜୀଙ୍କ ରଚିତ ପ୍ରସିଦ୍ଧ କାବ୍ୟଗ୍ରନ୍ଥ ଶ୍ରୀଗୁରୁ ଭାଗବତରେ ମଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ସ୍ତୁତିମାନ ରହିଛି ।

“ଜଗନ୍ନାଥ ସଂସ୍କୃତି ଆମର ମାଟି ସହିତ ଜଡ଼ିତ । ପ୍ରତ୍ୟେକ ଓଡ଼ିଆ ଜନ୍ମରୁ ଜଗନ୍ନାଥଙ୍କର ଭକ୍ତ’ ବୋଲି ଗୁରୁଜୀ କହିଛନ୍ତି । ଚଳିତବର୍ଷ ଗୁରୁଜୀଙ୍କ ମାର୍ଗଦର୍ଶନରେ ଗୁରୁଗ୍ରାମରେ ନୂଆଦିଲ୍ଲୀର ସବୁଠାରୁ ବଡ଼ ରଥ ତିଆରି ହୋଇଥିବାବେଳେ ଗୁରୁଜୀଙ୍କ ପ୍ରେରଣାରେ ଦିଲ୍ଲୀ, ନୋଇଡ଼ା ପ୍ରଭୃତି ଏକାଧିକ ସ୍ଥାନ ସହ ଯୁକ୍ତରାଷ୍ଟ୍ର ଆମେରିକାର ଡଲାସ ଓ ହଷ୍ଟନରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି । ନିକଟରେ ଉତରପ୍ରଦେଶର ବରେଲିଠାରେ ଗୁରୁଜୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସ୍ଥାପନ କରିଥିବାବେଳେ ଲକ୍ଷ୍ମୌଠାରେ ମଧ୍ୟ ଗୁରୁଜୀଙ୍କ ପ୍ରେରଣାରେ ଏକ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *