ଶିକ୍ଷା ନିକେତନରେ ଜାତୀୟ ଅଭିଭାବକ ଦିବସ ପାଳନ :

ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମନ୍ୱୟ ରହିଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ବଳ ହେବ: ପ୍ରତିଷ୍ଠାତା

ବାଲିଗୁଡା,୨୭/୦୭/୨୦୨୫ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରର ଶିକ୍ଷା ନିକେତନ ପରିସର ମଧ୍ୟରେ ଜାତୀୟ ଅଭିଭାବକ ଦିବସ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ରାଜକିଶୋର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ମିଳନ କରାଯାଇଥିବା ବେଳେ ଏଥିରେ ବାଲିଗୁଡ଼ା ତହସିଲଦାର ଦିପ୍ତି ପ୍ରକାଶ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ । ୨୦୦୩ ମସିହା ଅକ୍ଷୟ ତୃତିୟା ଦିନ ବାଲିଗୁଡ଼ା ସହରରେ ଏହି ଶିକ୍ଷା ଅନୁଷ୍ଠାନ ଜନ୍ମ ନେଇଥିଲା । ଉତ୍ତମ ଶିକ୍ଷାଦାନ ସହ ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନେଇ ବିଭିନ୍ନ ହୃଦୟସ୍ପର୍ଶୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ ପ୍ରଥମଥର ପାଇଁ ଶିକ୍ଷା ନିକେତନ ପକ୍ଷରୁ ଜାତୀୟ ଅଭିଭାବକ ଦିବସ ପାଳନ କରାଯାଇଥିବା ବେଳେ ଏହି ଅବସରରେ ଅଭିଭାବକଙ୍କୁ ନେଇ ଅନୁଷ୍ଠାନ ପକ୍ଷରୁ ଭିନ୍ନ ସ୍ୱାଦର ନିଆରା କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା ।

ଜାତୀୟ ଅଭିଭାବକ ଦିବସ ଉପଲକ୍ଷେ ଏକ ସ୍ବତନ୍ତ୍ର ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଞ୍ଚଳର ୧୧୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ସମନ୍ୱୟ ରହିଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ଜ୍ବଳ ହେବ । ଏଣୁ ପରସ୍ପର ନିକଟତର ହେବାସହ ଛାତ୍ରଛାତ୍ରୀଙ୍କ ମନୋବଳ ଦୃଢ଼ କରିବା ଏବଂ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ଆମର ମୁଖ୍ୟ ଉଦ୍ଦେଶ୍ୟ । ଶିକ୍ଷାଦାନ ସହ, ଖେଳକୁଦ ଏବଂ ବର୍ଷର ବିଭିନ୍ନ ପର୍ବପର୍ବାଣି ସମୟରେ ବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରି ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ସମନ୍ୱୟ ରଖି ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ ଗଢ଼ିବାକୁ ଆମେ ଚେଷ୍ଟିତ ବୋଲି କହିଛନ୍ତି ଶିକ୍ଷା ନିକେତନର ପ୍ରତିଷ୍ଠାତା ରାଜକିଶୋର ପାଢ଼ୀ ।

ଏହି କାର୍ଯ୍ୟକ୍ରମରେ ଶିକ୍ଷା ନିକେତନର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସମେତ ବାଲିଗୁଡ଼ାର ଅନେକ ଛାତ୍ରଛାତ୍ରୀ ଓ ଅଭିଭାବକ ସାମିଲ୍ ହୋଇଥିଲେ । ଏହି ଅବସରରେ ବିଦ୍ୟାଳୟର ସମ୍ପାଦିକା ରେଖାରାଣୀ ମହାପାତ୍ର ,ଉପଦେଷ୍ଟା ଅବସରପ୍ରାପ୍ତ ଶିକ୍ଷକ ରାଜକିଶୋର ସାହୁ, ଶାନ୍ତିମୈତ୍ରୀ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରତିଷ୍ଠାତା ଭଗବାନ ଜେନା ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କ ପ୍ରତି ଅଭିଭାବକଙ୍କ ଦାୟିତ୍ଵ ବିଷୟରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ପରିଚାଳନା ରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *