ନୂଆଦିଲ୍ଲୀ/ ଭୁବନେଶ୍ୱର,୨୫ ।୭: କେନ୍ଦ୍ରସରକାର ଶୁକ୍ରବାର ଏକ ବଡ ନିଷ୍ପତି ନେଇଛନ୍ତି । ଦେଶରେ ପ୍ରାୟ ୨୫ ଟି ଓଟିଟି ପ୍ଲାର୍ଟଫର୍ମକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି । ଏହି ୨୫ ଟି ମୋବାଇଲ୍ ଆପ୍ ଉପରେ ଅଶ୍ଳୀଳ କଣ୍ଟେଣ୍ଟ ଦେଉଥିବା ନେଇ ଅଭିଯୋଗ ହୋଇଛି । ଫଳରେ ସରକାର ଏହି ୨୫ଟି ଭିଡିଓ ପ୍ଲାର୍ଟଫର୍ମକୁ ନିଷେଧ କରିଛନ୍ତି । ଅଶ୍ଳୀଳ କଣ୍ଟେଣ୍ଟ ଦେଉଥିବା ଅଭିଯୋଗ ପରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଣଳୟ ଏହି ଆପ୍ କୁ ତୁରନ୍ତ ନିଷେଧ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ଇଣ୍ଟରନେଟ୍ ସେବା ପ୍ରଦାନକାରୀ (ଆଇଏସପି)ମାନଙ୍କୁ ସରକାରୀ ନିର୍ଦ୍ଧେଶର ଏକ କପି ପଠାଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି । ନିର୍ଦ୍ଧେଶ ଉଲ୍ଲଂଘନ ହେଲେ ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚେତାବନୀ ଦେଇଛନ୍ତି ।
ରିପୋର୍ଟ ଅନୁସାରେ ଶୁକ୍ରବାର ସରକାର ପ୍ରାୟ ୨୫ଟି ଆପ୍ଲିକେସନ୍ କୁ ବ୍ୟାନ୍ କରିଛନ୍ତି । ଉଲ୍ଲୁ, ଅଲ୍ଟ, ଦେଶୀଫ୍ଲିକ୍ସ, ବିଗ୍ ସଟ୍ସ ଭଳି ୨୫ଟି ଷ୍ଟ୍ରିମିଂ ଆପ୍ ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ପୂବର୍ରୁ ଅଶ୍ଲୀଳ ବିଷୟବସ୍ତୁକୁ ବିରୋଧ କରିଆସୁଥିବା ସରକାର ନିଜର ନୀତିକୁ ଯଥାର୍ଥ କରି ଏହି ନିଷ୍ପତି ନେଇଛନ୍ତି । ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପାଖକୁ ଏନେଇ ଅଭିଯୋଗ ଆସିବା ପରେ ମନ୍ତ୍ରାଳୟ ପକ୍ଷରୁ ତଦନ୍ତ ନିର୍ଦ୍ଧେଶ ଦିଆଯାଇଥିଲା । ତଦନ୍ତରୁ ଜଣାପଡିଥିଲା ଯେ, ଯୌନଉଦ୍ଧୀପକ ୱେବ୍ ସିରିଜ୍ ଆଳରେ ଅଶ୍ଳୀଳ କଣ୍ଟେଣ୍ଟ ବା ବିଷୟବସ୍ତୁକୁ ଖୁଲମଖୁଲ୍ଲା ପ୍ରସାରଣ କରାଯାଉଛି ।
୧୮ରୁ ଅଧିକ ଓଟିଟି ଚ୍ୟାନେଲର ବିଷୟବସ୍ତୁ ଆଇଟି ନିୟମ ୨୦୨୧ ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ)ର ଧାରା ୨୯୨/୨୯୩ ଉଲ୍ଲଂଘନ କରୁଥିବା ସମ୍ପର୍କରେ ସରକାର ନିଶ୍ଚିତ ହେବା ପରେ ଏକ ବିଜ୍ଞପ୍ତି ଜାରି କରି ଇଣ୍ଟରେନଟ୍ ସେବା ପ୍ରଦାନକାରୀମାନଙ୍କୁ ଦେଶବ୍ୟାପୀ ଏପରି ଅଶ୍ଲୀଳ ବିଷୟବସ୍ତୁ ପ୍ରଦର୍ଶନ କରୁଥିବା ୨୫ଟି ୱେବସାଇଟ୍ କୁ ତୁରନ୍ତ ବ୍ଲକ୍ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ଏହା ପୂର୍ବରୁ ମଧ୍ୟ ଗତ ମାର୍ଚ୍ଚ ମାସରେ ମନ୍ତ୍ରାଳୟ ଅଶ୍ଳୀଳ ଏବଂ ଆପତିଜନକ ବିଷୟବସ୍ତୁ ପ୍ରସାରଣ ପାଇଁ ୧୯ଟି ୱେବସାଇଟ୍, ୧୦ଟି ଆପ୍ ଏବଂ ୫୭ଟି ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ କୁ ନିଷିଦ୍ଧ ଘୋଷଣା କରିଥିଲା ।
