ପୌରାଣିକ ସ୍ମୃତିକୁ ରୋମନ୍ଥନ କରି ପ୍ରାଚୀ ପଦଯାତ୍ରା ଆରମ୍ଭ

କାକଟପୁର,୨୦/୦୨/୨୦୨୫ (ଓଡ଼ିଶା ସମାଚାର)- ସନାତନ ବୈଦିକ ପରମ୍ପରାର ଦେଶ ଭାରତ ବର୍ଷ ଗୀତା, ଗଙ୍ଗା, ଗାୟତ୍ରୀ ଗୋମାତା ଓ ଗୋବିନ୍ଦ ସନାତନ ସଂସ୍କୃତିର ପଂଚ ଆଧାର ସ୍ତମ୍ଭକୁ ନେଇ ଏ ଦେଶର ପୌରାଣିକ, ସାଂସ୍କୃତିକ ଐତିହ୍ୟ ମହିମାମୟ । ଏହି କ୍ରମରେ ଉତ୍କଳ ଖଣ୍ଡରେ ପ୍ରବାହିତ ପ୍ରାଚୀ ନଦୀ ପୌରାଣିକ, ସାଂସ୍କୃତିକ ଓ ଐତିହାସିକ ସଭ୍ୟତାରେ ପରିପୂର୍ଣ୍ଣ ।

ପ୍ରାଗ୍ କାଳରେ ଏହି ନଦୀର ଅବବାହିକାରେ ମାନବ ସଭ୍ୟତା ଗଢିଉଠି ଅଧିବାସୀଙ୍କର ସାମାଜିକ ଓ ଆର୍ଥôକ ଉନ୍ନତି କରିବା ସହିତ ବହୁ ମଠ, ମନ୍ଦିରମାନ ସମାଜକୁ ଦିଗଦର୍ଶନ ଦେଇ ଆସିଥିଲା । କିନ୍ତୁ କାଳର କରାଳ ଗର୍ଭରେ ଆଧୁନିକ ମନୁଷ୍ୟର ସାମାଜିକ ଚଳନି ମଧ୍ୟରେ ନଦୀ ତାର ସତା ହରାଇବାକୁ ବସିଲାଣି । ଏହାର ପୁନରୁଦ୍ଧାର କରି ଇତିହାସ ହୋଇଯାଇଥିବା ଐତିହ୍ୟ ସ୍ଥଳୀଗୁଡ଼ିକର ନବୀକରଣ କରି ନଦୀକୁ ଚିରସ୍ରୋତା ଓ ଜଳକୁ ବ୍ୟବହାର ଉପଯୋଗୀ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏ ଅଂଚଳରେ ଦୃତ ଆର୍ଥିକ ବିକାଶ କରିବା ଉଦ୍ଧେଶ୍ୟରେ, ଦୀର୍ଘ ବର୍ଷ ଧରି ସନ୍ଥମାନଙ୍କ ଦ୍ୱାରା ପ୍ରାଚୀ ପରିକ୍ରମା ଅନୁଷ୍ଠିତ ହୋଇ ଆସୁଅଛି ।

ପରମପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜାଙ୍କ ମାର୍ଗଦର୍ଶନରେ ପ୍ରାଚୀ ପରିକ୍ରମା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ପୂଜ୍ୟ ସ୍ୱାମୀ ଶୁଦ୍ଧାନନ୍ଦ ଗିରିଙ୍କ ଅଧ୍ୟକ୍ଷତାରେ ଅନେକ ସାଧୁସନ୍ଥ, ଗୁଣୀ ଜ୍ଞାନୀ, ପରିବେଶବିତ୍, ବୁଦ୍ଧିଜୀବୀ ଓ ପ୍ରକୃତିପ୍ରେମୀମାନେ ଅନ୍ଧମୁନୀ କପିଳେଶ୍ୱରଙ୍କ ପୀଠରୁ ପୂଜାପାଠ କର୍ମସହ ନଦୀର ଉତର ପାର୍ଶ୍ୱରେ ପଦଯାତ୍ରା କରିଥାଆନ୍ତି । କେଉଟଜଂଘା କେଲୁଣୀମୁହାଣ ଠାରେ ନଦୀର ଦକ୍ଷିଣ ପାଶ୍ୱକୁ ଆସି ପରିକ୍ରମାକରି ପୂନର୍ବାର ଅନ୍ଧକପିଳେଶ୍ୱର ପୀଠରେ ପୂର୍ଣ୍ଣାହୁତି ସମ୍ପନ୍ନ କରିଥାଆନ୍ତି ।

କିନ୍ତୁ ଦୀର୍ଘ ଚତୁର୍ଦ୍ଧଶ ବର୍ଷ ଧରି ନଦୀ ପରିକ୍ରମା ହୋଇ ଜନସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ କାକଟପୁର ବଜାରରେ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ନିଜ ଘରର ଆବର୍ଜନା ଓ ଲାଟିନ ନଳା ପାଣିକୁ ନଦୀ ମଧ୍ୟକୁ ଛାଡି ଜଳକୁ ଅପରିଷ୍କାର କରୁଛନ୍ତି । ସେଥିପ୍ରତି ବିଭାଗୀୟ କର୍ତୃପକ୍ଷଙ୍କ ଉଦାସୀନତା ଏବଂ ନଦୀର ଉଭୟ ପାର୍ଶ୍ୱର ପଠାକୁ ଜମି ମାଫିଆମାନଙ୍କ ଜବରଦଖଲକୁ ରାଜସ୍ୱ ବିଭାଗର ନିରବତା ପଦଯାତ୍ରୀ ମାନଙ୍କୁ ବ୍ୟଥିତ କରୁଛି । ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଓ ପୁରୀ ଜିଲାପାଳ ଦୃଷ୍ଟିଦେଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଦଯାତ୍ରୀମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *