ଫସଲ-ପାଣିପାଗ ପର୍ଯ୍ୟବେକ୍ଷଣ ଗୋଷ୍ଠୀ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ

 – ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ସୁବିଧା ଚାଷୀଙ୍କୁ ଯେପରି ଉପକୃତ କରିବ ସେଥିପାଇଁ ସମସ୍ତେ ଯତ୍ନବାନ ହେବା ଜରୁରୀ- ଡ଼ ପାଢ଼ୀ

ଭୁବନେଶ୍ୱର,୨୧/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି କୃଷି ଭବନରେ ଫସଲ ପାଣିପାଗ ପର୍ଯ୍ୟବେକ୍ଷଣ ଗୋଷ୍ଠୀ କମିଟିର ସମୀକ୍ଷା ବୈଠକ ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ପାଣିପାଗ ନିର୍ଦ୍ଦେଶକ ଡ଼ ମନୋରମା ମହାପାତ୍ର ମଧ୍ୟ ଯୋଗଦେଇଥିଲେ ।

ଚଳିତ ବର୍ଷ ଓଡ଼ିଶାରେ ମୌସୁମୀ ଜନିତ ବର୍ଷା ସ୍ୱାଭାବିକ ଠାରୁ ୧୬ ପ୍ରତିଶତ ଅଧିକ ହୋଇଛି । ଏହା ଖରିଫ ଫସଲ ପାଇଁ ବେଶ ଅନୁକୂଳ ପରିସ୍ଥିତି ସୃଷ୍ଟି କରିଛି । ଵିଶେଷ କରି କପା, ଧାନ, ଆଳୁଚାଷ ଭଳି ଅଧିକା ପାଣିର ଆବଶ୍ୟକ ଫସଲ ପାଇଁ ଏହା ସହାୟକ ହେବ । ରାଜ୍ୟ ସରକାରଙ୍କ କୃଷି ବିଭାଗ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଚାଷୀଙ୍କୁ କୃଷି ସମ୍ବନ୍ଧୀୟ ସୂଚନା ନିୟମିତ ଭାବରେ ପ୍ରଦାନ କରିଆସୁଛି ।ଏତଦବ୍ୟତୀତ ଚାଷୀମାନେ କୃଷି ସମୃଦ୍ଧି ହେଲ୍ପଲାଇନକୁ ଫୋନ କରି ସମସ୍ୟାର ସମାଧାନ ପାଇପାରୁଛନ୍ତି। ବର୍ତ୍ତମାନ ଓଡ଼ିଆ ଏବଂ ସମ୍ବଲପୁରୀ ଭାଷାରେ ଏହି ସୂଚନା ଚାଷୀଙ୍କୁ ପ୍ରଦାନ କରାଯାଉଥିବାବେଳେ ଆଗାମୀ ଦିନରେ ବିଭିନ୍ନ ଆଞ୍ଚଳିକ ତଥା ଦେଶୀୟା ଭାଷାର ବ୍ୟବହାରକୁ ଗୁରୁତ୍ୱାରୋପ କରିଛନ୍ତି କୃଷି ସଚିବ ଡ଼ ପାଢ଼ୀ ।

ସେହିଭଳି, ପର୍ଯ୍ୟାପ୍ତ ପରିମାଣର ଉନ୍ନତମାନରବିହନ, ସାର ଇତ୍ୟାଦି ଯୋଗାଇଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ଦ୍ୱାରା ପ୍ରଦତ୍ତ ସମସ୍ତ ସୁବିଧା ଯେପରି ଚାଷୀଙ୍କ ପାଖରେ ପହଞ୍ଚିବ ଏବଂ ଚାଷୀମାନେ ଏଥିରୁ ପ୍ରକୃତରେ ଉପକୃତ ହେବେ ସେନେଇ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି କୃଷି ସଚିବ ଡ଼ ପାଢ଼ୀ । ବୈଠକରେ କୃଷି ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦିଲ୍ଲୀପ ପରିଡ଼ା, ଅତିରିକ୍ତ ଶାସନ ସଚିବ, ଯୁଗ୍ମ ନିର୍ଦ୍ଦେଶକ, ଉଦ୍ୟାନ କୃଷି ବିଭାଗ, ବିଭିନ୍ନ ଯୋଜନା ଅଧିକାରୀ, ସମବାୟ ବିଭାଗ, ଜଳସେଚନ ବିଭାଗ, କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

-0-

ସୁଶ୍ରୀ ସଙ୍ଗୀତା ମହାରଣା ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *