ଗୋଚର ଜମିରୁ ଜବରଦଖଲ ଉଚ୍ଛେଦ

ସାଲେପୁର,୨୧/୦୭/୨୦୨୫(ଓଡ଼ିଶା ସମାଚାର)- ସାଲେପୁର ବ୍ଲକ ଅନ୍ତର୍ଗତ ମୁର୍କୁଣ୍ଡି ଗ୍ରାମରେ ଥିବା ଗୋଚର ଜମିରେ ହୋଇଥିବା ବେଆଇନ ଜବର ଦଖଲକୁ କିଶନନଗର ତହସିଲ ପ୍ରଶାସନ ପକ୍ଷରୁ ଆଂଶିକ ଉଚ୍ଛେଦ କରାଯାଇଥିବା ଜଣାପଡିଛି । ସୂଚନା ମୁତାବକ ସାଲେପୁର ବ୍ଲକ ଅନ୍ତର୍ଗତ କିଶନଗର ତହସିଲ ଅଧିନ ମୂର୍କୁଣ୍ଡି ମୌଜାର ଖାତା ନଂ୫୦୭ ପ୍ଲଟ ନଂ୧୭୨୨ ରେ ୩ଏକର ଗୋଚର ଜମି ଅଛି ।

ଏହାକୁ କିଛି ବ୍ୟକ୍ତି ଜବର ଦଖଲ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଜବରଦଖଲ ଉଛେଦ ନେଇ ଉଚ୍ଚ ନ୍ୟାୟାଳୟରେ ଗ୍ରାମବାସୀମାନଙ୍କ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା କରାଯାଇଥିଲା । ଉଚ୍ଚ ନ୍ୟାୟାଳୟ ଗୋଚର ଜମିରୁ ବେଆଇନ ଜବରଦଖଲ ଉଛେଦ କରିବା ପାଇଁ କିଶନଗର ତହସିଲଦାରଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହାପରେ କିଶନଗର ତହସିଲଦାର ବେଆଇନ ଜବରଦଖଲକାରୀ ମାନଙ୍କୁ ବାରମ୍ବାର ଉଠିବା ପାଇଁ ନୋଟିସ୍ ଜାରି କରିଥିଲେ ।

ଜବରଦଖଲକାରୀମାନେ କେହି ସେ ସ୍ଥାନକୁ ନ ଛାଡ଼ିବାରୁ କିଶନଗର ତହସିଲଦାର କ୍ଷୀରୋଦ କୁମାର ଦାଶ ପୁଲିସ ଉପସ୍ଥିତିରେ ଜେସିବି ମେସିନ ଦ୍ୱାରା ଏହି ଗୋଚର ଜମିରୁ ଆଂଶିକ ଜବରଦଖଲ ଉଚ୍ଛେଦ କରିଥିବା ଜଣାପଡ଼ିଛି । ଏହି ପ୍ଲଟ୍ ରେ ରହିଥିବା ଅନ୍ୟ ଜବରଦଖଲକାରୀ ମାନଙ୍କୁ କିଛିଦିନ ପରେ ଉଚ୍ଛେଦ କରାଯିବ ବୋଲି କିଶନନଗର ତହସିଲଦାର କ୍ଷୀରୋଦ କୁମାର ଦାଶ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *