କ୍ୟାବିନେଟ ବୈଠକରେ   ୧୧ ଟି ବିଭାଗର ୧୩ ଟି ପ୍ରସ୍ତାବ କୁ ଆଲୋଚନା ପରେ ଅନୁମୋଦନ ମିଳିଛି

ଭୁବନେଶ୍ୱର,୧୬/୦୭/୨୦୨୫ (ଓଡ଼ିଶା ସମାଚାର)- ଆଜି ରାଜ୍ୟ କ୍ୟାବିନେଟର ୨୨ ତମ  ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା  ।  ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା  ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ  । କ୍ୟାବିନେଟ ବୈଠକରେ    ମୋଟ  ୧୧ ଟି ବିଭାଗର ୧୩ ଟି ପ୍ରସ୍ତାବ ଆଲୋଚନା ପରେ ଅନୁମୋଦନ କରାଯାଇଛି ।

ମଞ୍ଜୁର ହୋଇଥିବା ପ୍ରସ୍ତାବ ମଧ୍ୟରେ ମୟୂରଭଞ୍ଜ ଜିଲାର ରାଇରଙ୍ଗପୁରରେ ଏକ ନୂତନ ପୋଲିସ ଜିଲା ଖୋଲିବା ନିଷ୍ପତ୍ତି ଅନ୍ୟତମ। ଏହା ସହିତ ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ (ERSS) ପାଇଁ ମଞ୍ଜୁରୀ ମିଳିଛି, ଯାହା ଅଧୀନରେ ୪,୧୯୫ଟି ନୂତନ ପୋଷ୍ଟ ସୃଷ୍ଟି ହେବ। ଏହି ସିଷ୍ଟମ ଜରୁରୀ ସେବାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁସାରେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ମାସିକ ହଷ୍ଟେଲ ଫି’ ୨,୦୦୦ ଟଙ୍କା ଛାଡ଼ କରାଯାଇଛି। ଏହା ଛାତ୍ରଛାତ୍ରୀଙ୍କ ପାଇଁ ଆର୍ଥିକ ବୋଝକୁ ହ୍ରାସ କରିବ।

ଏହା ସହିତ, ‘ସମୃଦ୍ଧ ସହର ଯୋଜନା’କୁ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। ଏହି ଯୋଜନା ପାଇଁ ୪,୮୭୯.୩୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟରେ ଏହି ଯୋଜନା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟ ସରକାର ଆଶାବାଦୀ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଏହି ନିଷ୍ପତ୍ତିଗୁଡ଼ିକ ରାଜ୍ୟର ସୁରକ୍ଷା, ଶିକ୍ଷା ଓ ନଗର ବିକାଶକୁ ଅଧିକ ସୁଦୃଢ଼ କରିବ।

Leave a Reply

Your email address will not be published. Required fields are marked *