ମୁଖ୍ୟ ଶାସନସଚିବ ଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ

ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ କୁ କାର୍ଯ୍ୟକାରୀ କରିବା ନିମନ୍ତେ ଆନ୍ତଃ ବିଭାଗୀୟ ଓ୍ୱାର୍କିଂ ଗ୍ରୁପ ଦ୍ୱାରା ସମନ୍ୱୟ ଓ କାର୍ଯ୍ୟାନ୍ୱୟନ ସଂପର୍କିତ ପରାମର୍ଶ

ଜନକୈନ୍ଦ୍ରିକ ଶାସନ ପରିଚାଳନା ଉପରେ ଗୁରୁତ୍ୱ

ଭୁବନେଶ୍ୱର,୧୫/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଙ୍କ ଅଧ୍ୟକ୍ଷତା ରେ ଆଜି ସଚିବ ସ୍ତରୀୟ ବୈଠକ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଆଲୋକପାତ କରି ଆବଶ୍ୟକ ନିର୍ଦ୍ଦେଶ ଓ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ। ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ କୁ ମାନ୍ୟବର ପ୍ରଧାନମନ୍ତ୍ରୀ ଗତ ଜୁନ୨୦ ତାରିଖରେ ଉନ୍ମୋଚନ କରିଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଭିନ୍ନ ବିଭାଗରେ ସଂସ୍ଥାଗତ ଢ଼ାଞ୍ଚା ଓ ଉତ୍ସର୍ଗୀଗତ ବ୍ୟବସ୍ଥା ପୂର୍ବକ ଆନ୍ତଃ ବିଭାଗୀୟ କାର୍ଯ୍ୟକାରୀ ଗ୍ରୁପ (ଓ୍ୱାର୍କିଂ ଗ୍ରୁପ୍ )  ଦ୍ୱାରା ସମନ୍ୱୟ ଓ କାର୍ଯ୍ୟାନ୍ୱୟନ ସଂପର୍କରେ ବୈଠକରେ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା ।

            ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ, ମଧୁସୂଦନ ଦାସ ଆଞ୍ଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଆଦି ସଂସ୍ଥାରେ ଦିଆଯାଇଥିବା ବିଭିନ୍ନ ପ୍ରଶିକ୍ଷଣରେ ଭିଜନଡକ୍ୟୁମେଣ୍ଟ ରେ ରହିଥିବା ଆଭିମୁଖ୍ୟ ସଂପର୍କିତ ତାଲିମ ଅନ୍ତର୍ଭୁକ୍ତ କରିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ।

            ଜନକୈନ୍ଦ୍ରିକ ଶାସନ ବ୍ୟବସ୍ଥାର ସୁପରିଚାଳନାକୁ ଦୃଷ୍ଟିରେ ରଖି  ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ଅନ୍ତର୍ଭୁକ୍ତ ସେବାଗୁଡିକୁ ସିଏମଜିଆଇ ଦ୍ୱାରା ବିକାଶ ହେଉଥିବା କେନ୍ଦ୍ରୀୟ ତଦାରଖ ବ୍ୟବସ୍ଥାରେ  ଉପଲବ୍ଧ କରାଯିବା ସଂପର୍କରେ ବୈଠକରେ ପରାମର୍ଶ ଦିଆଯାଇଥିଲା ।ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ କ୍ଷେତ୍ର ପରିଦର୍ଶନରେ ଯାଇ ତୃଣମୂଳ ସ୍ତରରେ କିପରି ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି, ତାହାକୁ ଅନୁଧ୍ୟାନ କରିବାକୁ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶକୁ ଅନୁପାଳନ କରିବାକୁ ମୁଖ୍ୟ ଶାସନ ସଚିବ ଦୋହରାଇଛନ୍ତି।ଏହା ସରକାରୀ ଯୋଜନା ର କାର୍ଯ୍ୟାନ୍ୱୟନରେ ସରକାରଙ୍କୁ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସହାୟକ ହୋଇପାରିବ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ପରିଦର୍ଶନ ସମୟରେ ବିଭିନ୍ନ ବିଦ୍ୟାଳୟ ଗସ୍ତ କରି ସେସବୁର ପରିଚାଳନା ଓ ସ୍ଥିତି ଅନୁଧ୍ୟାନ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।

            ବୈଠକରେ ସରକାରୀ କର୍ମଚାରୀ ମାନଙ୍କୁ ସେମାନଙ୍କର ଅବସର ଗ୍ରହଣ ଦିନ ଚୂଡ଼ାନ୍ତ ପେନସନ ଦିଆଯିବା ସଂପର୍କରେ ପ୍ରଶାସନିକ ପ୍ରସ୍ତୁତିକୁ ଅଧିକ ସୁ ବ୍ୟବସ୍ଥିତ କରାଯିବାକୁ ପରାମର୍ଶ ଦିଆଯାଇଥିଲା। ସରକାରୀ କର୍ମଚାରୀ ମାନଙ୍କ ବିପକ୍ଷରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ (ଡି.ପି) ଥିଲେ ତାହାର ସୂଚନା ଏଚଆରଏମଏସ ପୋର୍ଟାଲରେ ପ୍ରଦର୍ଶିତ କରାଇବା ଏବଂ ଏହାର ଫଇସଲା ସଂପର୍କରେ ନିୟମିତ ସମୀକ୍ଷା କରିବା ସଂପର୍କରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।      ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କ କାର୍ଯ୍ୟକୁ ବିଭାଗର ବିଭିନ୍ନ ସ୍ତରରେ ସମୀକ୍ଷା କରାଯିବା ସହ ସରକାରୀ କାର୍ଯ୍ୟ ଠିକ୍ ଭାବେ ସଂପାଦନ କରୁନଥିବା ଅପାରଗ ଓ ଅଯୋଗ୍ୟ ଅଧିକାରୀ ବା କର୍ମଚାରୀମାନଙ୍କୁ ବାଧ୍ୟତାମୂଳକ ଅବସର ନେବାପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ରହିଥିବା ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନସଚିବ ବୈଠକରେ ପୁନର୍ବାର ଗୁରୁତ୍ୱାରୋପ କରିଛନ୍ତି ।

            ଆହୁରି ମଧ୍ୟ ଆଇ-ଜିଓଟି କର୍ମଯୋଗୀ ପୋର୍ଟାଲ ରେ ଅଧିକାରୀ ଓ କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧିପାଇଁ ଅନଲାଇନ ପ୍ରଶିକ୍ଷଣ ସଂପର୍କରେ ସମୀକ୍ଷା କରାଯାଇଥିଲା। ଏହି ପୋର୍ଟାଲ ରେ କର୍ମଚାରୀ ମାନଙ୍କ କାର୍ଯ୍ୟ ଦକ୍ଷତା ମୂଲ୍ୟାୟନ (ପିଏଆର) ସହିତ ସମନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଏଥି ସହିତ କର୍ମଚାରୀମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସଂପର୍କରେ ଜାଣିବା ପାଇଁ ବାଧ୍ୟତା ମୂଳକ ଅନଲାଇନ ପ୍ରଶିକ୍ଷଣ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।କର୍ମଚାରୀମାନେ ଠିକ ସମୟରେ କାର୍ଯ୍ୟାଳୟକୁ ଆସିବା ସଂପର୍କରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

ସରକାରୀ କାର୍ଯ୍ୟାଳୟ ପରିସର ଓ ପରିବେଶ ପରିଚ୍ଛନ୍ନତା ରକ୍ଷା କରିବା, ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ପାଣିବୋତଲ (ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବଟଲ) ର ବ୍ୟବହାର କମାଇ ଓ ଏହାର ବିକଳ୍ପ ଚୟନ କରି ପ୍ରଦୂଷଣମୁକ୍ତ  ଓ ସ୍ୱାସ୍ଥ୍ୟରକ୍ଷା ସଂପର୍କରେ ପରାମର୍ଶ ଦିଆଯାଇଥିଲା । ବିଭିନ୍ନ ବିଭାଗରେ ଖାଲି ଥିବା ପଦବୀ ପୂରଣ ସଂପର୍କିତ ତଥ୍ୟ ୩୧ ଜୁଲାଇ ସୁଦ୍ଧା ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଯେଉଁ ଯେଉଁ ବିଭାଗରେ ଗୃପ୍-ଡି ପଦବୀ ପୂରଣ ଅପରିହାର୍ଯ୍ୟ ରହିଛି, ନିଯୁକ୍ତି ନିମନ୍ତେ ସଂପୃକ୍ତ ବିଭାଗ ମାନେ ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ କରି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗକୁ ଯଥାଶୀଘ୍ର ପଠାଇବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ।

            ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଗୃହ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତଥା ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଶିଳ୍ପ ଓ ଏମ୍ଏସ୍ଏମ୍ଇ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

-0-

ପଠାଣି ରାଉତ ,ମୁଖ୍ୟ ଶାସନ ସଚିବଙ୍କ ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *