ଦୁର୍ବଳ ନଦୀବନ୍ଧ ସୁଦୃଢ଼ିକରଣ, ବହୁମୁଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ମରାମତି ଓ ଡ୍ରେନେଜ ବ୍ୟବସ୍ଥା ସୁବ୍ୟବସ୍ଥିତ ଉପରେ ଗୁରୁତ୍ୱାରୋପ
ଯାଜପୁର, ୧୮/୦୫/୨୦୨୫ (ଓଡ଼ିଶା ସମାଚାର)- ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଯାଜପୁର ଙ୍କ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ଉପସ୍ଥିତ ସାଂସଦ, ବିଧାୟିକା,ଜିଲ୍ଲା ପରିଷଦ ସଭାପତି, ବରିଷ୍ଠ ଅଧିକାରୀମାନଙ୍କୁ ସ୍ବାଗତ ଜଣାଇଥିଲେ। ଆମ ଜିଲ୍ଲା ଯାଜପୁର ଏକ ବନ୍ୟା ଓ ବାତ୍ୟା ପ୍ରବଣ ଜିଲ୍ଲା।
ଆମେ ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ପ୍ରସ୍ତୁତି ଓ ପରିଚାଳନା ସଠିକ ଭାବେ କରି ପାରିଲେ ଏହାକୁ ପ୍ରତିହତ କରି ପାରିବା, ଗତ ବର୍ଷ ବାତ୍ୟାକୁ ମଧ୍ୟ ମିଳିତ ଭାବେ ମୁକାବିଲା କରିପାରିଥିଲେ। ଗତ ଅଦିନିଆ ବର୍ଷା ଜନିତ ପରିସ୍ଥିତିକୁ ସଜାଗ ଓ ସତର୍କତାର ସହ ଏହାର ପ୍ରଭାବକୁ ହ୍ରାସ କରିବା ପାଇଁ ଅଧିକାରୀମାନେ ଚେଷ୍ଟା କରିଛନ୍ତି। ଆଗାମୀ ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ଓ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାପାଳ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।
ଏହି ବୈଠକରେ ସାଂସଦ ଯାଜପୁର ଡା. ରବୀନ୍ଦ୍ର ନାରାୟଣ ବେହେରା, ବିଂଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲ୍ଲିକ, ଯାଜପୁର ବିଧାୟିକା ଶ୍ରୀମତୀ ସୁଜାତା ସାହୁ, ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା, ଉପ ସଭାପତି ଶ୍ରୀ ଗଣେଶ୍ୱର ବରାଳ ପ୍ରମୁଖ ଯୋଗଦେଇ ନଦୀବନ୍ଧ ସୁଦୃଢ଼ୀକରଣ, ଚୋରାବାଲି ଚାଲାଣ ବନ୍ଦ କରିବା, ଘେରୀବନ୍ଧର ସୁରକ୍ଷା, ଡ୍ରେନ ଗୁଡିକ ସଫା ରଖିବା ସମ୍ପର୍କରେ ଗୁରୁତ୍ଵ ଆରୋପ କରିଥଲେ। ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ବିପର୍ଯୟ ପରିଚାଳନା କର୍ତ୍ତ୍ତୃପକ୍ଷ ଶ୍ରୀ ଶିବାନନ୍ଦ ସ୍ବାଇଁ କାର୍ଯ୍ୟସୂଚୀ ଅନୁଯାୟୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ଜିଲ୍ଲା କାର୍ଯ୍ୟାଳୟ, ବ୍ଲକ୍, ତହସିଲ ଏବଂ ଅନ୍ୟାନ୍ୟ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ରହିବା, ନଦୀବନ୍ଧ ସୁଦୃଢ଼ୀକରଣ, ପୂର୍ବରୁ ଘାଇ ହୋଇଥିବା ନଦୀ ଓ କେନାଲ ବନ୍ଧ ମରାମତି, ଡ୍ରେନ ଗୁଡିକ ସଫା ରଖିବା, ବର୍ଷା ପରିମାଣ ରେକର୍ଡ କରିବା, ପାଣିପାଗ ସୂଚନା ଦେବା, ୱାୟରଲେସ ଷ୍ଟେସନ କାର୍ଯ୍ୟକାରିତା, ଟେଲି ଯୋଗାଯୋଗ, ପାୱାର ବୋଟ ଓ କଣ୍ଟ୍ରି ବୋଟ ନିୟୋଜିତ କରିବା, ଅସୁରକ୍ଷିତ/ ଆଭ୍ୟନ୍ତରୀଣ ଅଞ୍ଚଳରେ ଖାଦ୍ୟ ସୁରକ୍ଷିତ ରଖିବା, ଶୁଖିଲା ଖାଦ୍ୟ, ଜରୁରୀ ସାମଗ୍ରୀ ମହଜୁଦ ରଖିବା, ଶୁଦ୍ଧ ପାନୀୟ ଜଳ ଯୋଗାଣ, ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀର ଜିନିଷ ପତ୍ର ସହ ପଲିଥିନ ସିଟ୍, ଟେଣ୍ଟ, ବନ୍ୟା ଅଞ୍ଚଳରେ ଫସଲ ସୁରକ୍ଷା ।
ବନ୍ୟା ଅଞ୍ଚଳରେ ସ୍ବାସ୍ଥ୍ୟ ସୁରକ୍ଷା, ଗୋରୁ ଗାଇଙ୍କ ପାଇଁ ଗୋଖାଦ୍ୟ ମହଜୁଦ ରଖିବା, ୨୬ ଟି ବନ୍ୟା ଓ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ ରଖିବା, ସ୍କୁଲ୍ ଗୃହ, କମ୍ୟୁନିଟି ହଲ, ଅଙ୍ଗନୱାଡି କେନ୍ଦ୍ର ଭଳି ଅସ୍ଥାୟୀ ଆଶ୍ରୟସ୍ଥଳୀ ଗୁଡିକରେ ପିଇବା ପାଣି ଓ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବା, ତଳିଆ ଅଞ୍ଚଳ, ଜଳମଗ୍ନ ଅଞ୍ଚଳ ଚିହ୍ନଟ କରାଯାଇ ଲୋକମାନଙ୍କୁ ସ୍ଥାନାନ୍ତରଣ, ଓଡରାଫ, ଏନ୍ ଡି ଆର ଏଫ୍, ଅଗ୍ନିସମ ସେବା ନିୟୋଜନ, ହେଲିପ୍ୟାଡ ରିଲିଫ ଓ ଉଦ୍ଧାରକାର୍ଯ୍ୟ ଅତ୍ୟାବଶ୍ୟକୀୟ ବ୍ୟବସ୍ଥା ଯଥା ବିଦ୍ୟୁତ୍, ଟେଲି ଯୋଗାଯୋଗ ଓ ରାସ୍ତାଘାଟ ପୁନରୁଦ୍ଧାର, କ୍ଷେତ୍ରୀୟ ଅଧିକାରୀଙ୍କ ସହିତ ସମନ୍ଵୟ, ସିଭିଲ ସୋସାଇଟି ସଂଗଠନ, ଏସ ଏଚ୍ ଜି ଜନ ପ୍ରତିନିଧିଙ୍କ ସହଯୋଗ, କ୍ଷୟକ୍ଷତି ନିର୍ଦ୍ଧାରଣ, ଟ୍ରାଫିକ ନିୟନ୍ତ୍ରଣ ଏବଂ ବରିଷ୍ଠ ଅଧିକାରୀଙ୍କୁ ତଦାରଖ ଦାୟିତ୍ଵ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।
ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ବୈଠକରେ ଉପ ଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଦୁଇଟି ମ୍ୟୁନିସିପାଲଟିର ଅଧ୍ୟକ୍ଷା ଓ ଅଧ୍ୟକ୍ଷ, ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।ପ୍ରାରମ୍ଭରେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଅଶୋକ କୁମାର ବେହେରା ସ୍ୱାଗତ ସୂଚନା ପ୍ରଦାନ କରିଥିଲେ।
