ନିଶ୍ଚିନ୍ତକୋଇଲି,୧୪/୦୭/୨୦୨୫(ଓଡିଶା ସମାଚାର /ଅଭୟ ଜେନା)-କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଠାରେ ଚିତ୍ରୋତ୍ପଳା ନଦୀରେ ସେତୁ ନିର୍ମାଣ ଚାଲିଛି । ଉକ୍ତ ସେତୁ ଅପରପାର୍ଶ୍ଵ କୁଳିଆ କୁ ସଂଯୋଗ କରିବ । ଏହି ସେତୁ ନିର୍ମାଣ କରୁଥିବା ନାରାୟଣ ଦାସ କନଷ୍ଟ୍ରକ୍ସନ (ଏନ ଡି ସି) ଠିକାଦାର କମ୍ପାନୀ ର ବ୍ୟାପକ ଜାଲିଆତି ଓ ଠକେଇ ନେଇ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି ।
ଏହି ନିର୍ମାଣସଂସ୍ଥା ର ଜାଲିଆତି ଓ ଚୋରାକାରବାର ସରକାରୀ କର୍ତୃପକ୍ଷ ଙ୍କ ହାତରେ ଧରାପଡିଥିବା ଜଣାପଡିଛି । ବିନା ଲିଜ ତଥା ଅନୁମତି ନନେଇ ସମ୍ପୃକ୍ତ ସଂସ୍ଥା ଲକ୍ଷ ଲକ୍ଷ ଟଙ୍କାର ଲଘୁ ଖଣିଜ ଦ୍ରବ୍ୟ (ବାଲି ) କୁ ଚୋରାରେ ନେଇ ସ୍ପଷ୍ଟ ଦିବାଲୋକରେ ଆଖିରେ ଆଙ୍ଗୁଠି ଗେଞ୍ଜି ରାଜସ୍ବ ଚଳୁ କରିଚାଲିଛି । ଆଜି ଖଣି ବିଭାଗ ଅଧିକାରୀ, ତହସିଲ କର୍ତୃପକ୍ଷ ଓ ପୋଲିସ ପହଁଚି କମ୍ପାନୀ ର ପ୍ଲାଣ୍ଟ ନିକଟରେ ଗଛିତ ଥିବା ଲକ୍ଷାଧିକ ଟଙ୍କାର ଚୋରା ବାଲି ଗଦା ଉପରେ ନାଲି ପତାକା ଲଗାଇ ଜବତ କରିଛନ୍ତି । ପୂର୍ବରୁଏନେଇ ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା କର୍ତୃପକ୍ଷ ଦୃଷ୍ଟିପାତ କରୁନଥିବା ଆଲୋଚ୍ୟ ବିଷୟ ହୋଇଛି ।
ଉଲ୍ଲେଖନୀୟ ଯେ, ଏହି ସେତୁ ନିର୍ମାଣର ଏକ ବର୍ଷ ବିତି ଯାଇଥିଲେ ହେଁ ଅଦ୍ୟାବଧି ନିର୍ମାଣ ସ୍ଥାନରେ ସୂଚନା ଫଳକ ମଧ୍ୟ ଲଗାଯାଇନାହିଁ । ସୂଚନା ଅନୁଯାୟୀ, ଗ୍ରାମ ନିର୍ମାଣ ବିଭାଗ ଦ୍ୱାରା ଏହି ସେତୁ ନିର୍ମାଣ ନିମନ୍ତେ,ପ୍ରାରମ୍ଭିକ ଭାବେ ୬୩ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ତିନି ବର୍ଷ ମଧ୍ୟରେ ସମାପ୍ତ ହେବାନେଇ କୁହାଯାଉଛି । ସେତୁ ନିର୍ମାଣ ରେ ନିମ୍ନ ମାନର ସିମେଣ୍ଟ, ଲୁହାଛଡ଼ ଓ ଚିପ୍ସ ଆଦି ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଥିବା ବେଳେ ସେତୁ ର ସ୍ଥାୟିତ୍ୱ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏଥିନେଇ ଜିଲ୍ଲାପାଳ, ଗ୍ରାମ ଉନ୍ନୟନ ମନ୍ତ୍ରୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।
