ଭୁବନେଶ୍ୱର,୧୪/୦୭/୨୦୨୫ (ଓଡ଼ିଶା ସମାଚାର)-ଏମସ ଭୁବନେଶ୍ୱରର ୫ମ ସମାବର୍ତନ ସମାରୋହ ଉତ୍ସବରେ ମହା ମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବରେ ଯୋଗଦେବେ । ଆଜି ସୋମବାର ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ରାଷ୍ଟ୍ରପତି ୬୪୩ ଜଣ ସ୍ୱାସ୍ଥ୍ୟସେବା ବୃତିଗତଧାରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ । ଏଥିପାଇଁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭୁବନେଶ୍ୱର ଆସୁଛନ୍ତି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେହିଭଳି ଆସନ୍ତା କାଲି ମଙ୍ଗଳବାର ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତନ ଉତ୍ସବ ।
ଏହି କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେବେ । ଏହା ବାଦ୍ ମଧ୍ୟ ମୋଟ ପାଂଚଟି ସ୍ଥାନରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି । ଏମିତିରେ ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତି କରିଛି ପୁଲିସ । ରବିବାର ଭୁବନେଶ୍ୱର ଓ କଟକରେ କାରକେଡ ରିହର୍ସାଲ କରାଯାଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ ସମେତ ପାଂଚଟି ସ୍ଥାନରେ କାରକେଡ୍ ରିହର୍ସାଲ ହୋଇଛି । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ କଟକରେ ୫୦ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବେ । ଏହା ସହ ମଙ୍ଗଳବାର ରାଷ୍ଟ୍ରତିଙ୍କ କାର୍ଯ୍ୟକ୍ରମ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ ଆଡଭାଇଜରୀ ମଧ୍ୟ ଜାରି କରାଯିବ । ଫଳରେ ଜନସାଧାରଣ ଯେପରି ଠିକ୍ ଭାବରେ ଯାତାୟାତ କରିପାରିବେ ବୋଲି କହିଛନ୍ତି କଟକ ଡିସିପିିି ।
ସୂଚନାଯୋଗ୍ୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତନରେ ବିଶ୍ୱବିଦ୍ୟାଳୟର ୮୪ ଜଣ ସ୍ନାତକ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ, ୬ଜଣ ଛାତ୍ରଛାତ୍ରୀଙ୍କୁ ସର୍ବ ଶ୍ରେଷ୍ଠ ସ୍ନାତକ, ୭୬ ଜଣ ସ୍ନାତକୋତର ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ, ୧୪୪ ଜଣଙ୍କୁ ପିଏଚଡି ଡିଗ୍ରୀ, ଜଣେ ଡିଲିଟ ଓ ଜଣେ ଡିଏସସି ପାଇବେ ଓ ୪ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ ପ୍ରଦାନ କରାଯିବ । ୧୫ ତାରିଖ ଦିନ ୧୧ରୁ ୧୨ଟା ମଧ୍ୟରେ ମହାମହିମ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି ।
