ହିନ୍ଦୋଳରେ ପୁଣି ଦନ୍ତା ଦଳିଦେଲା ଜଣକୁ

ହିନ୍ଦୋଳ,୧୩/୦୭/୨୦୨୫ (ଓଡ଼ିଶା ସମାଚାର)- ହାତୀ ଆକ୍ରମଣରେ ମଣିଷ ମାରିବାରେ ସମସ୍ତ ରେକର୍ଡ ପାର କରିଥିବା ହିନ୍ଦୋଳ ବନାଞ୍ଚଳ ଅଧୀନରେ ପୁଣି ହାତୀ ଦଳି ଦେଲା ଜଣକୁ। ଖବରରୁ ପ୍ରକାଶ ହିନ୍ଦୋଳ ବ୍ଲକ  ବାଲିମି ଥାନାର ଠୋକର ଗ୍ରାମର ସ୍ବର୍ଗତ ଯୁଜେଇ ମାଝୀଙ୍କ ପୁଅ ଖେନା ମାଝୀ(୮୦) ଆଜି ସକାଳ ୧୨ଟାରେ ଗ୍ରାମ ନିକଟସ୍ଥ ଖାଲତଇଲା ବନ୍ଧ ନିକଟ ବିଲକୁ ଯାଇଥିବାବେଳେ ହଠାତ ଦନ୍ତାହାତୀ ହାବୁଡ଼ରେ ପଡିବାରୁ ହାତୀ ଖେନାକୁ ଶୁଣ୍ଢରେ କଚାଡି ଦଳି ଦେଇଥିଲା ।

ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ବିଳମ୍ବରେ ପରିବାର ଜାଣିବାରୁ ଖବର ପାଇ ଉଦ୍ଧାର କରି ବନବିଭାଗକୁ ଜଣାଇ ଥିଲେ । ବନବିଭାଗ ଓ ପୋଲିସ ଖବର ପାଇ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି ଏବଂ ଉପଯୁକ୍ତ କ୍ଷତିପୂରଣ ଦେବାପାଇଁ ପ୍ରତିଶୃତି ଦେଇଛନ୍ତି।

ବନବିଭାଗର ଅପାରଗତା, ଅବହେଳା, ସ୍ଥାଣୁତା ପାଇଁ ବାରମ୍ବାର ଦୈନିକ ହାତୀ ଆକ୍ରମଣରେ ମୃତ୍ୟୁ ହେଉଥିଲେ ହେଁ ବନବିଭାଗ ଅଧିକାରୀ କର୍ମଚାରୀ କ୍ଷମତାର ଅପବ୍ୟବହାର କରି ନିରୀହ ଜନସାଧାରଣଙ୍କୁ ମିଥ୍ୟାକେଶ ରେ ଫସାଇ ଅସଲି ଆସାମୀ ମାନଙ୍କପାଇଁ ସୁଯୋଗ ସୃଷ୍ଟିକରୁ ଥିବାରୁ ଜଙ୍ଗଲ ମାଫିଆ, ଦୁର୍ଦ୍ଧାନ୍ତ ଶିକାରୀ ଖସିବାର ସୁଯୋଗ ହେଉଛି ଏବଂ ଜଙ୍ଗଲ ବିଭାଗରେ ଦୁର୍ନୀତି ଚରମସୀମାରେ ଥିବାବେଳେ ବିଭାଗ ବାହାବା ନେଉଥିବା ହିନ୍ଦୋଳ ଉପଖଣ୍ଡରେ ଆଲୋଚନା ହେବାସହ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ତୁରନ୍ତ ସ୍ଥାୟୀ ପ୍ରତିକାର ପାଇଁ ଦାବି ଜୋର ଧରିଛି ।

Leave a Reply

Your email address will not be published. Required fields are marked *