ଭୁବନେଶ୍ୱର,୧୩/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-କରୋନା, ଝାଡ଼ାବାନ୍ତି ଓ ଡେଙ୍ଗୁ ରୋଗ ଉପରେ ଏକ ସଚେତନତା ଶିିବିର ସ୍ଥାନୀୟ ଧର୍ମବିହାର ବସ୍ତିରେ ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ଡା. ନିରଞ୍ଜନ ମହାନ୍ତିଙ୍କ ତତ୍ୱାବଧାନରେ (ଆଇଆଇଏଚପି) ଆନୁକୂଲ୍ୟରେ ଏହି ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ଡାକ୍ତର ସନ୍ତୋଷ କୁମାର ଜେନା ଓ ଡ଼ାକ୍ତର କମଳ ସିଂଙ୍କ ଦ୍ୱାରା ତିନୋଟି ରୋଗର ପ୍ରମୁଖ କାରଣ, ଲକ୍ଷ୍ୟଣ, ନିରାକରଣ, ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ବସ୍ତିର ୫୦୦ ଲୋକଙ୍କୁ ଔଷଧ ବଂଟନ କରାଯିବା ସହିତ ମାସ୍କ, ସାନିଟାଇଜର ଆଦି ବିତରଣ କରାଯାଇଥିଲା ।
କରୋନା ଭୂତାଣୁ ନିଃଶ୍ୱାସ ପ୍ରଶ୍ୱାସରେ ଯାଇ ରୋଗ ସୃଷ୍ଟି କରେ । ଝାଡ଼ାବାନ୍ତି ପାନୀୟ ଜଳ ଓ ଦୂଷିତ ଖାଦ୍ୟ ଯୋଗୁ ହୋଇଥାଏ । ଏଡିସ ମଶା କାମୁଡ଼ିଲେ ଡେଙ୍ଗୁ ଜ୍ୱର ହୋଇଥାଏ ବୋଲି ବସ୍ତିର ସାଧାରଣ ଲୋକଙ୍କୁ ଏହି ରୋଗ ବିଷୟରେ ବୁଝାଇ ଦିଆଯାଇଥିଲା । କରୋନାରେ ନିଃଶ୍ୱାସ ପ୍ରଶ୍ୱାସ ନେବାକୁ କଷ୍ଟ ଅନୁଭବ ହେବା ସହିତ ଜ୍ୱର, କାଶ, କଫ, ଗୋଡ଼ହାତ ଘୋଳାବିନ୍ଧା ଓ ମୁଣ୍ଡବ୍ୟଥା ଆଦି ଲକ୍ଷ୍ୟଣ ଦେଖାଯାଇଥାଏ । ସେହିପରି ଝାଡ଼ାବାନ୍ତି ରୋଗରେ ବହୁ ମାତ୍ରାରେ ପତଳା ଝାଡ଼ା ହେବା ସହିତ ବାନ୍ତି ହେବା, ଦେହରୁ ଜଳୀୟ ଅଂଶ କମିଯିବା, ପେଟ ଫାଙ୍କି ଫୁଲିଯିବା, ପେଟ ବ୍ୟଥା ହେବା ଓ ପାଟି ଶୁଖିଯିବା ଭଳି ଲକ୍ଷ୍ୟଣ ଦେଖାଯାଇଥାଏ । ଦେହ ସମ୍ପୂର୍ଣ୍ଣ ବଳଶୂନ୍ୟ ହୋଇ ନିସ୍ତେଜ ହେଲା ଭଳି ବୋଧହୁଏ । ଡେଙ୍ଗୁ ରୋଗ ଯୋଗୁ ଅତ୍ୟଧିକ ଜ୍ୱର ହେବା, ମୁଣ୍ଡବିନ୍ଧା ହେବା ସହିତ ଦେହରେ ଛୋଟ ଛୋଟ ଲାଲ ଦାନା ଭଳି ଫଳିଯିବା ସହିତ ମାଂସପେଶୀ ଘୋଳାବିନ୍ଧା ହୋଇ ରୋଗୀଙ୍କୁ ଦୁର୍ବଳ କରିଦିଏ ।
ଏହିସବୁ ରୋଗର ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଆରସେନିକ ଏଏଲବି-୩୦ ଦିନକୁ ଚାରୋଟି କରି ଗ୍ଲୋବୁ୍ୟଲସ୍ ଦୈନିକ ସକାଳେ ଓ ସନ୍ଧ୍ୟାରେ ତିନଦିନ ଖାଇବା ଲାଗି ବସ୍ତି ଲୋକମାନଙ୍କୁ ପରାମର୍ଶ ଦିଆଯାଇଥିଲା । ଗହଳି ଜନପୂର୍ଣ୍ଣ ରାସ୍ତାରେ ମାସ୍କ ପିନ୍ଧିବାକୁ କୁହାଯିବା ସହିତ ହାତଗୋଡ଼ ଧୋଇବା, ପାଣିକୁ ଫୁଟାଇ ଛାଣି ପିଇବା ଲାଗି ବୁଝାଯାଇଥିଲା । ଏହି କାର୍ଯ୍ୟକ୍ରମର ସମସ୍ତ ଖର୍ଚ୍ଚ ଇରନ୍ୟାସନାଲ ଷ୍ଟଡ଼ି ଆଣ୍ଡ ରିସର୍ଚ୍ଚ ସେଂଟର ଅନ ହୋମିଓପ୍ୟାଥି (ଆଇଏସଆରସିଏଚ୍) ବହନ କରିଥିବାରୁ ସଚେତନତା ଶିବିରରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ରୋଗୀର ପ୍ରତିଷେଧକ କ୍ଷମତା ବଢାଇବା ଲାଗି ଏହି ଆରସେନିକ ଏଏଲବି ୩୦ ଔଷଧ ବିତରଣ କରାଯାଇଥିଲା । ଏହି ଔଷଧକୁ ୪ଟା ଗ୍ଲୋବାଲ ଦିନକୁ ଦୁଇଥର ତିନିଦିନ ବ୍ୟବହାର କଲେ ଏହି ପ୍ରମୁଖ ତିନୋଟି ରୋଗ ଯାହା ବର୍ତମାନର ମୁଣ୍ଡବ୍ୟଥାର କାରଣ ପାଲଟିଛି ତାହା ନ ହେବାର ସମ୍ଭାବନା ରହିଛି । ଗହଳି ସ୍ଥାନରେ ବ୍ୟବହାର ଲାଗି ମାସ୍କ ପିନ୍ଧିବା, ହାତକୁ ପରିସ୍କାର କରିବା ଲାଗି ସାବୁନ ଓ ସାନିଟାଇଜର ମଧ୍ୟ ବିତରଣ କରାଯାଇଥିଲା । ପାଣି ଫୁଟାଇ ଛାଣିକରି ପିଇବାକୁ ବାରମ୍ବାର ସଚେତନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଧର୍ମବିହାରସ୍ଥିତ ବାସୁଦେବ ସେଠୀ ଓ ତାଙ୍କ ଦଳ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
