ମହାଶିବରାତ୍ରି ଉପଲକ୍ଷେ ଲଡୁବାବାଙ୍କ ପ୍ରସ୍ତୁତି ବୈଠକ

ଓଡ଼ଗାଁ, ୧୩/୦୨/୨୦୨୫ (ଓଡ଼ିଶା ସମାଚାର)-  ନୟାଗଡ଼ ଜିଲ୍ଲାର ଶରଣକୁଳ ଠାରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ଲଡୁକେଶ ମହେଶଙ୍କ ମହାଶିବରାତ୍ରି ଜାଗରଯାତ୍ରା ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଦେବୋତ୍ତର ଅଧିକାରୀ ତଥା ଉପ ଜିଲ୍ଲାପାଳ କର୍ଣଦେଵ ସମାଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ  ପ୍ରସ୍ତୁତି ବୈଠକରେ ଓଡ଼ଗାଁ ତହସିଲଦାର ଡ଼ଃ ମାନସରଞ୍ଜନ ଭୋଇ,ଦେବୋତ୍ତର ମ୍ୟାନେଜର ତାପସ କୁମାର ପଟ୍ଟନାୟକ, ମନ୍ଦିର ପରିଚାଳକ ସୁବାସ ଚନ୍ଦ୍ର ବରାଡ,ଜିତେନ୍ଦ୍ର କୁମାର ମିଶ୍ର,ଶରଣକୁଳ ଥାନା ଭାରପ୍ରାପ୍ତ ଅଧିକାରୀ ଜ୍ୟୋତିପ୍ରସାଦ ସ୍ୱାଇଁ,ସରପଞ୍ଚ ମିନାକ୍ଷୀ ପ୍ରସାଦ ସାହୁ, ତିନି ନମ୍ବର ଜୋନର ଜିଲାପରିଷଦ ସଦସ୍ୟା ଚିନ୍ମୟୀ ଦାଶ ଓ ବିଶିଷ୍ଠ ସମାଜସେବୀ ବିପିନ ଚନ୍ଦ୍ର ପାଢ଼ୀ ଉପସ୍ଥିତ ରହି ମନ୍ଦିରର ବିଭିନ୍ନ ଉନ୍ନତି ପାଇଁ କରାଯାଇଥିବା ଯୋଜନା ଉପରେ ଆଲୋକପାତ କରିଥିଲେ ।

ଶରଣକୁଳ ଅଞ୍ଚଳର ବୁଦ୍ଧିଜୀବୀ,ସ୍ୱେଚ୍ଛାସେବୀ ସଂଗଠନ,ସାମ୍ବାଦିକ, ମନ୍ଦିର ସେବାୟତ କର୍ମକର୍ତ୍ତା, ଆରକ୍ଷୀ ବିଭାଗ, ଅଗ୍ନିଶମ ବିଭାଗ,ସ୍ଵାସ୍ଥ୍ୟ ବିଭାଗ,ବିଦ୍ୟୁତ ବିଭାଗ ,ସୂଚନା ଓ ଲୋକସମ୍ପର୍କ ବିଭାଗ, ରାଜସ୍ୱ ନିରୀକ୍ଷକ, ଜଳଯୋଗାଣ ବିଭାଗ,ଜଳ ଓ ପରିମଳ ବିଭାଗର ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

ଶାନ୍ତି ଶୃଙ୍ଖଳାରେ ଜାଗର ଯାତ୍ରା ସମାପନ ପାଇଁ ନିଆ ଯାଇଥିବା ପ୍ରସ୍ତାବ ଅନୁଯାୟୀ ଶିବରାତ୍ରି ପୂର୍ବ ଦିନ ଅର୍ଥାତ୍ ୨୫ ତାରିଖ ରାତ୍ର ୧୨ ଘଣ୍ଟାରୁ ମନ୍ଦିର ଖୋଲାଯାଇ ୩ ଟା ମଧ୍ୟରେ ସମସ୍ତ ନୀତିକାନ୍ତି ସମ୍ପାଦନ କରି ସର୍ବସାଧାରଣଙ୍କ ପାଇଁ ଧାଡି ଦର୍ଶନ ଭୋର ୪ ଘଣ୍ଟାରୁ ସନ୍ଧ୍ୟା ୬.୩୦ ମିନିଟ ପର୍ଯ୍ୟନ୍ତ ଚାଲିବ । ସାନ୍ଧ୍ୟ ପୂଜା ନିତି ସନ୍ଧ୍ୟା୬.୩୦ ମିନିଟରୁ ଆରମ୍ଭ ହୋଇ ରାତ୍ର ୭.୩୦ ପର୍ଯ୍ୟନ୍ତ ଚାଲିବ ତାପରେ ସର୍ବସାଧାରଣ ପାଇଁ ସଂଧ୍ୟାଦର୍ଶନ ୭.୩୦ ରୁ ଆରମ୍ଭ ହୋଇ ରାତ୍ର ୧୦.୩୦ ମିନିଟ ପର୍ଯ୍ୟନ୍ତ ଚାଲିବ ।

ରାତ୍ରି ୧୦.୩୦ ମିନିଟରେ ମହାଶିବରାତ୍ରି ବେଢା ପରିକ୍ରମା କରାଯାଇ ରାତ୍ର ୧୨ ଘଣ୍ଟାରେ ମହାଦୀପ ଉଠିବା ପାଇଁ ସମୟ ନିର୍ଘଣ୍ଟ କରାଯାଇଛି। ସୁବିଧାରେ ଯାତ୍ରୀ ଦର୍ଶନପାଇଁ  ମନ୍ଦିରପରିଚାଳକ ଓ ଆରକ୍ଷୀ ବାହୀନି ଙ୍କୁ ଦାୟିତ୍ୱ ଦିଆଯାଇଛି । ଏତଦବ୍ୟତୀତ ପାନୀୟ ଜଳଯୋଗାଣ, ସ୍ୱାସ୍ଥ୍ୟ ସେବା,ସ୍ୱଚ୍ଛ ଓ ପରିମଳ ,ଅଗ୍ନିକାଣ୍ଡ ର ସୁରକ୍ଷା,ଆଲୋକ ବ୍ୟବସ୍ଥା ପ୍ରଭୃତି ବିଭାଗୀୟ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଠାକୁରଙ୍କ ମହିମା ପ୍ରଚାର ପ୍ରସାର ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ,ବିଭିନ୍ନ ପତ୍ରିକାର ସମ୍ବାଦଦାତା,ଦୂରଦର୍ଶନ ଓ ବିଭିନ୍ନ ଗଣମାଧ୍ୟମର ସାହାଯ୍ୟ ସହଯୋଗ ପାଇଁ ଅନୁରୋଧ କରାଯାଇଥିଲା ।

ଜୋତାଷ୍ଟାଣ୍ଡ ଓ ଦୋକାନ ଗୁଡିକ ଠିକ ଭାବରେ ପରିଚାଳିତ କରିବା ପାଇଁ ତହସିଲଦାରଙ୍କ ସହିତ ଏକ କମିଟି ଗଠନ କରାଯାଇଛି । ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ଭକ୍ତିସଂଗୀତ ସମାରୋହ କରାଯିବାର ସ୍ଥିର ହୋଇଛି । ଶରଣକୁଳ ଜାଗରଯାତ୍ରା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସୁଥିବାରୁ ସମସ୍ତ କାର୍ଯ୍ୟ କିପରି ଶାନ୍ତି ଶୃଙ୍ଖଳାରେ ସମାପନ ହେବ ସେଇଥିପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା । ଦର୍ଶନ ରେ ବିଘ୍ନ ଘଟୁଥିବା ହେତୁ ବୋଲବମ୍ ଭକ୍ତ ମାନେ ଗଙ୍ଗାଜଳ ଲାଗି କରିପାରିବେ ନାହିଁ ବୋଲି କମିଟି ପକ୍ଷରୁ ସ୍ଥିର କରାଯାଇଛି ।

Leave a Reply

Your email address will not be published. Required fields are marked *