ଭୁବନେଶ୍ୱର,୧୩/୦୭/୨୦୨୫ (ଓଡ଼ିଶା ସମାଚାର)- ଖୁବ୍ ଶୀଘ୍ର ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ରାଜଧାନୀରେ ବୁଲାକୁକୁର ଗଣନା କରାଯିବ । ବୁଲା କୁକୁରଙ୍କ ଉତ୍ପାତ ଯୋଗୁଁ ବହୁ ଦୁର୍ଘଟଣା ଘଟୁଥିବା , ବିଶେଷକରି ବୁଲା କୁକୁର ମାନେ କାମୁଡ଼ିକାକୁ ଗୋଡ଼ାଉଥିବାରୁ ଦୁଇ ଚକିଆ ଚାଳକମାନେ ଭୟରେ ଗାଡ଼ିରୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇ ମୃତାହତ ହେଉଛନ୍ତି । ବନ୍ଧ୍ୟାକରଣ ଜରିଆରେ ଏହି ବୁଲା କୁକୁରଙ୍କୁ ନିୟନ୍ତ୍ରଣ ପାଇଁ ଯେତେ ଚେଷ୍ଟା କଲେ ବି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ବିଫଳ ହୋଇଛି ।
ବୁଲା କୁକୁର ଙ୍କ ସଂଖ୍ୟା ଏତେ ବଢ଼ିଯାଇଛି ଯେ ଏମାନଙ୍କୁ ବନ୍ଧ୍ୟାକରଣ କରିବା, ସୁସ୍ଥ ହେବା ପର୍ଯ୍ୟନ୍ତ କେନେଲ୍ ରେ ରଖିବା ସମ୍ଭବ ହେଉନି । ଏଣୁ ଭୁବନେଶ୍ୱର ମହାନଗର ନିଗମ ଏମାନଙ୍କ ଗଣତି କରି ସେହି ଅନୁସାରେ ଆବଶ୍ୟକ ଭିତିଭୂମି ପ୍ରସ୍ତୁତ କରି ବନ୍ଧ୍ୟାକରଣ ପ୍ରକ୍ରିୟାକୁ ଆଗକୁ ନେବାକୁ ଯୋଜନା କରିଛି । ପଶୁ ଜନ୍ମ ନିୟନ୍ତ୍ରଣ(ଏବିସି) ଯୋଜନାରେ ଭୁବନେଶ୍ୱର ମହାନଗର ନିଗମରେ କୁକୁର ବନ୍ଧ୍ୟାକରଣ ଅଭିଯାନ ଆରମ୍ଭ ହୋଇଛି । କିନ୍ତୁ ବନ୍ଧ୍ୟାକରଣ ପରେ ସୁସ୍ଥ ହେବା ପର୍ଯ୍ୟନ୍ତ କୁକୁର ରଖିବା ସ୍ଥାନ, ଆବଶ୍ୟକ ଭିତିଭୂମି ଆଦି ସମସ୍ୟା କାରଣରୁ ଏଥିରେ ସେତେଟା ସଫଳତା ମିଳୁନି ।
ମାସେ ହେବ ବନ୍ଧ୍ୟାକରଣ ଅଭିଯାନ ଆରମ୍ଭ ହୋଇଥିଲେ ବି ଏହା ବିଶେଷ ସଫଳ ହୋଇନି । କୁକୁର ଅସ୍ତ୍ରୋପଚାର ସ୍ଥାନ ଶୀଘ୍ର ଶୁଖିବା ପାଇଁ ଇଲୋକ୍ଟ୍ରୋକଟେରି ସର୍ଜିକାଲ୍ ପଦ୍ଧତି ଆପଣାଯାଇଥିଲେ ବି ଏଥିରେ ସେତେଟା ସଫଳତା ମିଳିପାରିନି । ଏଣୁ ଭୁବନେଶ୍ୱର ମହାନଗର ନିଗମ କର୍ତୃପକ୍ଷ ପ୍ରଥମେ କୁକୁର ଗଣନା କରି କେଉଁ ଅଂଚଳରେ କେତେ ବୁଲା କୁକୁର ଅଛନ୍ତି ଜାଣିବା ପରେ ସେହି ଅନୁଯାୟୀ ବନ୍ଧ୍ୟାକରଣ ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା କରାଯାଇଛି ।
ଭୁବନେଶ୍ୱର ମହାନଗର ନିଗମ କର୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ମହାନଗର ନିଗମର ୬୭ ୱାର୍ଡରେ କୁକୁର ଗଣତି ପ୍ରକ୍ରିୟା ଆରମ୍ଭ ହେବ । ଏ ବାବଦରେ ୧୧ଲକ୍ଷ ୯୫ହଜାର ଟଙ୍କା ଖର୍ଚ୍ଚ କରାଯିବ । ଭୁବନେଶ୍ୱର ମହାନଗର ନିଗମରେ ସଫେଇରେ ନିୟୋଜିତ ସ୍ୱଚ୍ଛସାଥୀ, ସୁପରଭାଇଜର, ଏସଏମଟିଏ, ଏସଆଇ, ଡିଇଓଙ୍କୁ ଏହି ଗଣନା ଦାୟିତ୍ୱ ଦିଆଯିବ । ଦିନରେ କୁକୁର ଗଣନା ସମ୍ଭବ ହେଉ ନଥିବାରୁ ଭୋର ସମୟରେ ବୁଲ କୁକୁର ମାନେ ଶୋଇଥିବା ବେଳେ ନିୟୋଜିତ କର୍ମଚାରୀମାନେ କୁକୁର ଗଣନା କରିବେ ।
ଗଣନାର ଭିଡିଓଗ୍ରାଫି ଓ ଫଟୋଗ୍ରାଫି ବି କରାଯିବ । ଯେହେତୁ ସ୍ୱଚ୍ଛସାଥୀ, ସୁପରଭାଇଜର ପ୍ରମୁଖ ବିଭିନ୍ନ ୱାର୍ଡର ଗଳିକନ୍ଦିକୁ ଭଲ ଭାବେ ଜାଣିଛନ୍ତି, ସେମାନେ ସଠିକ୍ କୁକୁର ଗଣନା କରିପାରିବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ସବୁ ୱାର୍ଡର ମୁଖ୍ୟ ରାସ୍ତା ସହ ଗଳି ଗଳି ବୁଲି ନିୟୋଜିତ କର୍ମଚାରୀମାନେ କୁକୁର ଗଣନା କରିବେ । କେଉଁ ଗଳିରେ କେତେ କୁକୁର ରହୁଛନ୍ତି, ତାର ହିସାବ ଦେବା ପରେ ସେହି ଅନୁଯାୟୀ କୁକୁର ଧରା ଓ ବନ୍ଧ୍ୟାକରଣ ଟିମ୍ ପ୍ରସ୍ତୁତ ହେବ ।
ପ୍ରାଣୀ ଚିକିତ୍ସାଳୟରେ ଅସ୍ତ୍ରୋପଚାରର ଆବଶ୍ୟକ ଭିତିଭୂମି ବି ପ୍ରସ୍ତୁତ ହେବ । ଯେଉଁମାନେ ଗଣତିରେ ନିୟୋଜିତ ହେବେ, ସେମାନଙ୍କ ପାରିଶ୍ରମିକ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୧୧ଲକ୍ଷ ୯୫ହଜାର ଟଙ୍କା ଖର୍ଚ୍ଚ ହେବ । ସୂଚନାଯୋଗ୍ୟ, ଭୁବନେଶ୍ୱର ମହାନଗର ନିଗମର ମଂଚେଶ୍ୱରରେ ୨୪୦ଟି କୁକୁର କେନେଲ୍ ରହିଛି । ଏଠାରେ ଅସ୍ତ୍ରୋପଚାର ପାଇଁ ୨ଟି ଓଟି(ଅସ୍ତ୍ରୋପଚାର ଗୃହ) ଓ ୫ଟି ଟେବୁଲ୍ ରହିଛି । ସେହିଭଳି ସହିଦନଗରରେ ୧୨୦ଟି କୁକୁର କେନେଲ୍ ରହିଛି । ଯେଉଁଠି କୁକୁର ବନ୍ଧ୍ୟାକରଣ କାମ ହେଉଛି ।
