ଭୁବନେଶ୍ୱର,୧୩/୦୭/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ଗଡ଼ଜାତ ପ୍ରଜା ଆନ୍ଦୋଳନ ର ନେତା, କୃଷକ ଆନ୍ଦୋଳନର ପ୍ରବାଦ ପୁରୁଷ, ବିଧାନସଭା ରେ କମୁ୍ୟନିଷ୍ଟ ପାର୍ଟିର ଦଳପତି ତଥା ଶତ ସଂଗ୍ରାମର ନାୟକ କମ୍ରେଡ ଗଙ୍ଗାଧର ପାଇକରାୟଙ୍କ ୧୧୦ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ସିପିଆଇ ରାଜ୍ୟ କାର୍ଯ୍ୟାଳୟ ଭଗବତୀ ଭବନ ଠାରେ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଜୟନ୍ତ ଦାସ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ଏହି ସମାରୋହରେ ସିପିଆଇ ରାଜ୍ୟ ସହ-ସମ୍ପାଦକ କ୍ଷୀରୋଦ ସିଂହଦେଓ, ସିପିଆଇ(ଏମ୍) ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଡଃ ପ୍ରଶାନ୍ତ ମିଶ୍ର, ରମଣୀ ରଂଜନ ରାଉତରାୟ, ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ସ୍ମୃତି କମିଟିର ସମ୍ପାଦକ ପ୍ରଫୁଲ୍ଲ କୁମାର ତ୍ରିପାଠୀ ପ୍ରମୁଖ ପ୍ରୟାତ
ସାଥୀଙ୍କ ସ୍ମୃତି ଚାରଣ କରିବା ସହିତ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ, କୃଷକ ଆନ୍ଦୋଳନରେ ଦୀର୍ଘ ପାଂଚ ଦଶନ୍ଧୀରୁ ଉଦ୍ଧ୍ୱର୍କାଳ ଧରି କୃଷକ ମାନଙ୍କ ଜମିସତ୍ୱ ତଥା ଜମିଦାରୀ ବ୍ୟବସ୍ଥାର ଉଚ୍ଛ୍ୟେଦ, ଭୂସଂସ୍କାର, ଭାଗଚାଷୀ ସମସ୍ୟା ସମାଧାନ ପାଇଁ କୃଷକଙ୍କ ଆନ୍ଦୋଳନର ନେତୃତ୍ୱ ନେଇ ଅନେକ କୃତିତ୍ୱ ହାସଲ କରିଥିବା ଜନମାନସରେ ଆଜି ମଧ୍ୟ ଅନ୍ଦୋଳିତ ହେଉଥିବାବେଳେ ଆଜି କର୍ପୋରେଟ୍ ପୁଞ୍ଜିପତିଙ୍କ ସପକ୍ଷରେ ଦେଶର ଶାସକ ଶ୍ରେଣୀ କୃଷକ ବିରୋଧୀ ନୀତି ଗ୍ରହଣ କରି କୃଷି ଓ କୃଷକମାନଙ୍କୁ ତଳିତଳାନ୍ତ କରୁଥିବା ହେତୁ ସାଥୀ ଗଙ୍ଗାଧର ପାଇକରାୟଙ୍କ ସଂଗ୍ରାମୀ ପଥରେ କୃଷକମାନଙ୍କୁ ସଂଗଠିତ କରି ଐକ୍ୟବଦ୍ଧ ପ୍ରତିରୋଧ ଆନ୍ଦୋଳନ ଗଢ଼ିତୋଳିବାକୁ ଆହ୍ୱାନ ଦେଇଥିଲେ ।
ପ୍ରାରମ୍ଭରେ ଭୁବନେଶ୍ୱର ଜୋନ୍ ସଂପାଦକ ସୁର ଜେନା ସମାରୋହ ର ଉଦ୍ଧେଶ୍ୟ ପ୍ରକାଶ ପୂର୍ବକ ମଂଚ ଉପରକୁ ବକ୍ତାମାନଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ରମେଶ ଚନ୍ଦ୍ର ପାଢ଼ୀ ଜନ ସଂଗୀତ ଗାନ କରିଥିଲେ ।ଏହି ସମାରୋହରେ ବହୁଚାଷୀ, ମୂଲିଆ, ପାର୍ଟିସଭ୍ୟ, ବିଭିନ୍ନ ଗଣ ସଂଗଠନର ସଦସ୍ୟ ଏବଂ ବୁଦ୍ଧିଜୀବୀଙ୍କ ସମେତ ପ୍ରୟାତ ଜନନେତାଙ୍କ ପରିବାର ବର୍ଗ ଡଃ ଶରତ ପାଇକରାୟ, ବସନ୍ତ ପାଇକରାୟ, ପ୍ରମୋଦିନୀ ପାଇକରାୟ, ପ୍ରଶାନ୍ତ ପାଇକରାୟ ଓ ଆହ୍ୱାନ ପାଇକରାୟ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
