ନାଇଜର, ଭୁବନେଶ୍ୱର ପ୍ରତିଷ୍ଠାନର ୧୪ତମ ସ୍ନାତକ ସମାରୋହରେ କେନ୍ଦ୍ରମନ୍ତ୍ରୀ

                                    ଆରାମଦାୟକ ଜୀବନ ନୁହେଁ, ଦେଶ ପାଇଁ ବଞ୍ଚିବାର ମନୋଭାବ ରଖିବା – ଧର୍ମେନ୍ଦ୍ର ପ୍ରଧାନ

  • ଜୀବ ବିଜ୍ଞାନ ବିଭାଗର ନୂଆ ଜାତୀୟ ପଶୁ ଗବେଷଣା ଏବଂ ପ୍ରୟୋଗଶାଳା କେନ୍ଦ୍ର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କଲେ କେନ୍ଦ୍ରମନ୍ତ୍ରୀ
  • ଭୁବନେଶ୍ଵର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ନାଇଜର ସମେତ ଆଇଆଇଟି, ଏମ୍ସ, ଏସଡ଼ିଆଇ, ଏବଂ ଇନଷ୍ଟିଟ୍ୟୁଟ ଅଫ୍ ଫିଜିକ୍ସ ଭଳି ଅନେକ ଶିକ୍ଷାନୁଷ୍ଠାନ ଗଢି ଉଠିଛି
  • ଏହି ସମୃଦ୍ଧ ନେଟୱାର୍କ ଓଡ଼ିଶାକୁ ବଡ଼ ସ୍ୱପ୍ନ ଦେଖିବା ସହ ଏକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଅଧିକ ଯୋଗଦାନ ଦେବାରେ ସାହାଯ୍ୟ କରୁଛି
  • ଏକବିଂଶ ଶତାବ୍ଦୀରେ ଏକ ଜ୍ଞାନଭିତ୍ତିକ ଅର୍ଥନୀତିର ପରିକଳ୍ପନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି
  • ଜାତୀୟ ଶିକ୍ଷା ନୀତି ଯୁବଶକ୍ତିଙ୍କୁ ଭବିଷ୍ୟତ ପାଇଁ ବିକାଶର ଇଞ୍ଜିନରେ ପରିଣତ କରିବ
  • ୨୦୩୬ରେ ବିକଶିତ ଓଡ଼ିଶା ଏବଂ ୨୦୪୭ରେ ବିକଶିତ ଭାରତ ଗଠନର ଲକ୍ଷ୍ୟକୁ ଆଗେଇ ନେବା
  • “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନରେ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୧୩/୦୭/୨୦୨୫ (ଓଡ଼ିଶା ସମାଚାର)- ମନ୍ଦିରମାଳିନୀ  ଭୁବନେଶ୍ଵର ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ନାଇଜର ସମେତ ଆଇଆଇଟି, ଏମ୍ସ, ଏସଡ଼ିଆଇ, ଏବଂ ଇନଷ୍ଟିଟ୍ୟୁଟ ଅଫ୍ ଫିଜିକ୍ସ ଭଳି ଅନେକ ଶିକ୍ଷାନୁଷ୍ଠାନ ଗଢି ଉଠିଛି । ଭୁବନେଶ୍ଵରରେ ଦେଶର ପ୍ରତିଭାବାନ ଯୁବଶକ୍ତି ଅଛନ୍ତି । ଏହି ସମୃଦ୍ଧ ନେଟୱାର୍କ ଓଡ଼ିଶାକୁ ବଡ଼ ସ୍ୱପ୍ନ ଦେଖିବା ସହ ଏକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଅଧିକ ଯୋଗଦାନ ଦେବାରେ ସାହାଯ୍ୟ କରୁଛି। ଏହି ସମ୍ଭାବନାକୁ ଦେଖିଲେ ଆଗାମୀ ଦିନରେ ଭୁବନେଶ୍ୱର ଜ୍ଞାନର ପେଣ୍ଠସ୍ଥଳି ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଆରାମଦାୟକ ଜୀବନ ପାଇଁ ନୁହେଁ, ରାଷ୍ଟ୍ର ପାଇଁ ବଞ୍ଚିବାର ମନୋଭାବ ରଖିବାକୁ ଶ୍ରୀ ପ୍ରଧାନ ଯୁବବର୍ଗଙ୍କୁ ଆହ୍ୱାନ କରିଛନ୍ତି ।

ଭୁବନେଶ୍ୱର ସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ (ନାଇଜର)ର ୧୪ତମ ସ୍ନାତକ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ  ଯେ ଜଟଣୀରେ ପ୍ରତିଷ୍ଠିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ହେଉଛି ଏକ ସ୍ୱୟଂଶାସିତ ଗବେଷଣା ଅନୁଷ୍ଠାନ, ଯାହା ଆଟୋମିକ୍ ଏନର୍ଜି  ସହଯୋଗରେ ସ୍ଥାପନା ହୋଇଛି । ହୋମି ଭାଭା ଜାତୀୟ ପ୍ରତିଷ୍ଠାନ ଦ୍ୱାରା ଅନୁବନ୍ଧିତ ଏହି ପ୍ରତିଷ୍ଠାନ ବହୁତ ଉଚ୍ଚକୋଟୀର ଅନୁଷ୍ଠାନ । ବହୁତ ଗୁଣାତ୍ମକ ପିଲାମାନେ ଏଠାରେ ପାଠ ପଢନ୍ତି । ଦେଶର ବୈଜ୍ଞାନିକଙ୍କ ଆବଶ୍ୟକତା ଅନୁସାରେ ଶିକ୍ଷା ପ୍ରଦାନ, ଗବେଷଣା କ୍ଷେତ୍ର ଏବଂ ଇନୋଭେସନ ପାଇଁ ଭାବା ନ୍ୟାସନାଲ ଇନଷ୍ଟିଟ୍ୟୁଟର ବଡ଼ ଭୂମିକା ଅଛି । କେବଳ ପରମାଣୁ ଶକ୍ତି ପାଇଁ ନୁହେଁ ବରଂ ବିଜ୍ଞାନର ଅନେକ ଦିଗରେ ଆନ୍ତର୍ଜାତୀୟ ସ୍ତରର ଆଧୁନିକ ଗବେଷଣା ଏହି ଶିକ୍ଷାନୁଷ୍ଠାନରେ ହୋଇଥାଏ ।

 ଭୁବନେଶ୍ୱରରେ ନାଇଜର ଭଳି ଶିକ୍ଷାନୁଷ୍ଠାନ ଗଢି ଉଠିବା ଗର୍ବର ବିଷୟ । ଏକବିଂଶ ଶତାବ୍ଦୀରେ ଏକ ଜ୍ଞାନଭିତ୍ତିକ ଅର୍ଥନୀତିର ପରିକଳ୍ପନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଛନ୍ତି । ଏଥିପାଇଁ ୫୦ ହଜାର କୋଟି ଟଙ୍କା ବିନିଯୋଗ କରି ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ଗଠନ ହୋଇଥିବା ବେଳେ ଅନ୍ୟାନ୍ୟ ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱରକୁ ଜ୍ଞାନର ପେଣ୍ଠସ୍ଥଳି  କରିବା ପାଇଁ ଆମ ପାଖରେ ଅପାର ସମ୍ଭାବନା ଓ ଯୁବଶକ୍ତି ରହିଥିବା ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଦେଶର ନାଗରିକ ବିଶେଷ ଭାବରେ ଯୁବପିଢ଼ିଙ୍କ ଉପରେ ଅଧିକ ବିଶ୍ୱାସ ରଖିଛନ୍ତି । ଭାରତର ଯୁବଶକ୍ତି ଆମର ସମ୍ପତ୍ତି । ଜାତୀୟ ଶିକ୍ଷା ନୀତି ୨୦୨୦ ଏହି ଯୁବଶକ୍ତିଙ୍କୁ ଭବିଷ୍ୟତ ପାଇଁ ବିକାଶର ଇଞ୍ଜିନରେ ପରିଣତ କରିବାରେ କାର୍ଯ୍ୟ କରୁଛି, ଯାହା ୨୦୩୬ରେ ବିକଶିତ ଓଡ଼ିଶା ଏବଂ ୨୦୪୭ରେ ବିକଶିତ ଭାରତ ଗଠନର ଲକ୍ଷ୍ୟକୁ ଆଗେଇ ନେବ । ଗବେଷଣାରୁ ନବସୃଜନ ଏବଂ ଉତ୍ପାଦନ ପର୍ଯ୍ୟନ୍ତ, ମୋଦୀ ସରକାର ଆମର ଯୁବପିଢ଼ିଙ୍କୁ ସେମାନଙ୍କର କ୍ଷମତାର ସମ୍ପୂର୍ଣ୍ଣ ଉପଯୋଗ କରିବା ପାଇଁ ନୀତିଗତ ଢାଞ୍ଚା ଏବଂ ପ୍ରୋତ୍ସାହନ ସହାୟତା ପ୍ରଦାନ କରୁଛନ୍ତି । ଯୁବବର୍ଗମାନେ ଆରାମଦାୟକ ଜୀବନ ଅତିବାହିତ କରିବା ଆଶାରେ ନରହି ସ୍ୱାଧୀନତା ସଂଗ୍ରାମୀଙ୍କ ପରି ରାଷ୍ଟ୍ର ପାଇଁ ବଞ୍ଚନ୍ତୁ । ସମସ୍ତ ସ୍ନାତକ ଏବଂ ସମ୍ମାନିତ ବିଦ୍ୟାର୍ଥୀଙ୍କୁ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରତିଷ୍ଠାନର ଜୀବ ବିଜ୍ଞାନ ବିଭାଗର ନୂଆ ଜାତୀୟ ପଶୁ ଗବେଷଣା ଏବଂ ପ୍ରୟୋଗଶାଳା କେନ୍ଦ୍ର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ଏହି ଅତ୍ୟାଧୁନିକ ସୁବିଧା ଜୈବିକ ବିଜ୍ଞାନରେ ଅତ୍ୟାଧୁନିକ ଗବେଷଣାକୁ ସହଜ କରିବ, ପଶୁ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକ କୌଶଳକୁ ପ୍ରୋତ୍ସାହିତ କରିବ। ଶ୍ରୀ ପ୍ରଧାନ କ୍ୟାମ୍ପସ ପରିସରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନରେ ବୃକ୍ଷରୋପଣ କରିବା ସହ ଏ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ ।

Leave a Reply

Your email address will not be published. Required fields are marked *