ସିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଫାଉଣ୍ଡେସନର ଚତୁର୍ଥ ପରିଚାଳନା ପରିଷଦ ବୈଠକ

ସିମିଳିପାଳ ଅଞ୍ଚଳର ଗ୍ରାମୀଣ ମେଧାବୀ ଛାତ୍ରମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଦେବାକୁ ଓ ଗ୍ରାମୀଣ ଯୁବକମାନଙ୍କୁ ଡ୍ରାଇଭିଂ, ବୈଦ୍ୟୁତିକ ଏବଂ ଯାନ୍ତ୍ରିକ କାର୍ଯ୍ୟ, ସିଲାଇ ଇତ୍ୟାଦି ଦକ୍ଷତା ପ୍ରଦାନ କରିବା ପ୍ରସ୍ତାବ

ଭୁବନେଶ୍ୱର,୧୧/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଫାଉଣ୍ଡେସନର ଚତୁର୍ଥ ପରିଚାଳନା ପରିଷଦ ବୈଠକ ଆଜି ଭୁବନେଶ୍ୱରର ଖାରବେଳ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଅଧ୍ୟକ୍ଷତା କରି କହିଲେ ଯେ ବ୍ୟାଘ୍ର ସଂରକ୍ଷଣରେ ପରିବେଶଗତ, ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ ବିକାଶକୁ ସହଜ କରିବା, ସ୍ଥାନୀୟ ହିତାଧିକାରୀ ସମ୍ପ୍ରଦାୟଙ୍କ ସମ୍ପୃକ୍ତି ସହିତ ପରିବେଶ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା

ଏବଂ ବ୍ୟାଘ୍ର ସଂରକ୍ଷଣରେ ପ୍ରାକୃତିକ ପରିବେଶକୁ ସୁରକ୍ଷା ଦେବା ପାଇଁ ସହାୟତା ପ୍ରଦାନ କରିବା, ଉପରୋକ୍ତ ଉଦ୍ଦେଶ୍ୟ ପୂରଣ ପାଇଁ ଆବଶ୍ୟକୀୟ ସମ୍ପତ୍ତି ସୃଷ୍ଟି ଏବଂ ରକ୍ଷଣାବେକ୍ଷଣକୁ ସହଜ କରିବା, ଉପରୋକ୍ତ କାର୍ଯ୍ୟକଳାପ ହାସଲ କରିବା ପାଇଁ ଫାଉଣ୍ଡେସନର କାର୍ଯ୍ୟକଳାପ ପାଇଁ ଆବଶ୍ୟକୀୟ ବୈଷୟିକ, ଆର୍ଥିକ, ସାମାଜିକ, ଆଇନଗତ ଏବଂ ଅନ୍ୟାନ୍ୟ ସହାୟତା ଲୋଡ଼ିବା, ପ୍ରବେଶର ପୁନଃଚକ୍ରଣ ଏବଂ ବ୍ୟାଘ୍ର ସଂରକ୍ଷଣରେ ପ୍ରାପ୍ତ ଅନ୍ୟାନ୍ୟ ଫି ସମେତ ଆର୍ଥିକ ସମ୍ବଳ ବୃଦ୍ଧି ଏବଂ କ୍ରିୟାଶୀଳ କରିବା, ହିତାଧିକାରୀଙ୍କ ବିକାଶ ଏବଂ ପରିବେଶ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଓ  ଉପରୋକ୍ତ ସମ୍ବନ୍ଧିତ କ୍ଷେତ୍ରରେ ଗବେଷଣା, ପରିବେଶଗତ ଶିକ୍ଷା ଏବଂ ତାଲିମକୁ ସମର୍ଥନ କରିବା ଆଦି ସିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଫାଉଣ୍ଡେସନର ପ୍ରମୁଖ ଲକ୍ଷ୍ୟ ଓ ଆଭିମୁଖ୍ୟ ।

ଏହି ଲକ୍ଷ୍ୟ ହାସଲ କରିବା ଦିଗରେ ଫାଉଣ୍ଡେସନ ନିରନ୍ତର ଉଦ୍ୟମ କରି ଆସିଛି । ୨୦୨୫ ୨୬ ବର୍ଷ ପାଇଁ ବାର୍ଷିକ କାର୍ଯ୍ୟାନ୍ଵୟନ ଯୋଜନା ୧୦ କୋଟି ୪୮ ଲକ୍ଷ ଟଙ୍କା ପ୍ରସ୍ତୁତ ଓ ଅନୁମୋଦିତ ହୋଇଛି ।  ଏହାର ସଦୁପଯୋଗ କରି ସିମିଳିପାଳ ଅଞ୍ଚଳର ଗ୍ରାମୀଣ ମେଧାବୀ ଛାତ୍ରମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ଦେବାକୁ ଓ ଗ୍ରାମୀଣ ଯୁବକମାନଙ୍କୁ ଡ୍ରାଇଭିଂ, ବୈଦ୍ୟୁତିକ ଏବଂ ଯାନ୍ତ୍ରିକ କାର୍ଯ୍ୟ, ସିଲାଇ ଇତ୍ୟାଦି ଦକ୍ଷତା ପ୍ରଦାନ କରିବାକୁ ଜଙ୍ଗଲ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ମତବ୍ୟକ୍ତ କରିଥିଲେ ।

ସିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଫାଉଣ୍ଡେସନର ଉପାଧ୍ୟକ୍ଷ ତଥା ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଲେ ଯେ ଜଙ୍ଗଲ ନିର୍ଭରଶୀଳ ସମ୍ପ୍ରଦାୟ ପାଇଁ ଦକ୍ଷତା ବିକାଶ ଏବଂ ଆୟ ସୃଷ୍ଟିକାରୀ କାର୍ଯ୍ୟକଳାପ, ପ୍ରକୃତି ଶିକ୍ଷା, ସଂରକ୍ଷଣ, ସଚେତନତା ସୃଷ୍ଟି ଏବଂ ପ୍ରଚାର,  ଗବେଷଣା ଏବଂ ତଦାରଖ, ବନ କର୍ମଚାରୀ ଏବଂ ସ୍କ୍ୱାଡ୍ କଲ୍ୟାଣ ଏବଂ ତାଲିମ,  ସିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ପରିବେଶ ପର୍ଯ୍ୟଟନ ସଫାରୀ ପରିଚାଳନା ଓ  ବନ୍ୟପ୍ରାଣୀ ସୁରକ୍ଷା ପାଇଁ ବନ୍ୟ ସମ୍ପ୍ରଦାୟ କଲ୍ୟାଣ କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ ହେବ ।

ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ସମ୍ପୃକ୍ତ କରାଯିବା, ୪ କୋଟି ୨୦ ଲକ୍ଷ ଟଙ୍କା ବିନିଯୋଗରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଜୋରଦାର କରିବା, ସିମିଳିପାଳ ଅଭୟାରଣ୍ୟରେ ରହୁଥିବା ସମସ୍ତ ଗ୍ରାମୀଣ ଯୁବକମାନଙ୍କୁ ଡ୍ରାଇଭିଂ, ବୈଦ୍ୟୁତିକ ଏବଂ ଯାନ୍ତ୍ରିକ କାର୍ଯ୍ୟ, ସିଲାଇ ଇତ୍ୟାଦି ଦକ୍ଷତା ପ୍ରଦାନ କରିବା, ପରିବେଶ ପର୍ଯ୍ୟଟନ ପାଇଁ ଭିତ୍ତିଭୂମି ନିର୍ମାଣ, ପରିବେଶ ମାର୍ଗଦର୍ଶକଙ୍କ ପାଇଁ ତାଲିମ, ସିମିଳିପାଳର ଦୂରଦୂରାନ୍ତ ଗ୍ରାମବାସୀମାନଙ୍କ ପାଇଁ ଫାଉଣ୍ଡେସନ୍ ଦ୍ୱାରା ଦୁଇଟି ଆମ୍ବୁଲାନ୍ସର ପରିଚାଳନା ପାଇଁ ପାଣ୍ଠି ଯୋଗାଇ ଦିଆଯିବ। ଓ ବିଭିନ୍ନ ସରକାରୀ ବିଭାଗଗୁଡିକରୁ ଏଥି ନିମନ୍ତେ ଅର୍ଥରାଶି ମଞ୍ଜୁର କରାଇ ସିମିଳିପାଳ ଅଞ୍ଚଳର ସମୁଚିତ ପରିବେଶଗତ ବିକାଶ ସାଧନ ନିମନ୍ତେ  ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ସାହୁ ଆହ୍ଵାନ ଦେଇଥିଲେ ।

ପରିଚାଳନା ପରିଷଦ ବୈଠକରେ ମୟୁରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ) ଶ୍ରୀ ପ୍ରେମ୍‌ କୁମାର ଝା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ସଚିବ ଦେବେନ୍‌ କୁମାର ପ୍ରଧାନ, ମୁଖ୍ୟ ବନ ସଂରକ୍ଷକ ଶ୍ରୀ ମନୋଜ ଭି. ନାୟାର, ସିମିଳିପାଳ ବ୍ୟାଘ୍ର ସଂରକ୍ଷଣର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ବନ ସଂରକ୍ଷକ, ସିମିଳିପାଳ (ଉତ୍ତର)ବନ୍ୟପ୍ରାଣୀ ଡିଭିଜନର ଉପ ନିର୍ଦ୍ଦେଶକ, ସିମିଳିପାଳ (ଦକ୍ଷିଣ) ବନ୍ୟପ୍ରାଣୀ ଡିଭିଜନର ଉପ ନିର୍ଦ୍ଦେଶକ, ଓୟୁଏଟି ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟର ସର୍ଜରୀ ବିଭାଗର ପୂର୍ବତନ ମୁଖ୍ୟ ଡ. ଇନ୍ଦ୍ରମଣି ନାଥ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ, ବାରିପଦାର ପ୍ରାଣୀ ବିଜ୍ଞାନ ପ୍ରଫେସର ଡ. ହେମନ୍ତ କୁମାର ସାହୁ ଓ ପରିଚାଳନା କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସୁଚିନ୍ତିତ ପରାମର୍ଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ ସମାଜ ପଞ୍ଜିକରଣ ଆଇନ ୧୮୬୦ ଅନୁଯାୟୀ ପଞ୍ଜୀକରଣ ଦ୍ୱାରା ସିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଫାଉଣ୍ଡେସନ ୨୨ ଜୁନ ୨୦୧୧ରେ ଗଠିତ ହୋଇଛି । ୨୦୨୩-୨୪ ଏବଂ ୨୦୨୪-୨୫ ବର୍ଷ ପାଇଁ ଖର୍ଚ୍ଚ ଏବଂ ଅଡିଟ୍ ହୋଇଥିବା ବିବରଣୀ ପରିଚାଳନା ପରିଷଦ ବୈଠକରେ ଅନୁମୋଦିତ ହୋଇଛି। ୨୦୨୩-୨୪ରେ ୧.୨୬ କୋଟି ଟଙ୍କା ଏବଂ ୨୦୨୪-୨୫ ରେ ୩.୫୬ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ କାର୍ଯ୍ୟକାରୀ କରିଥିଲା। ଏହି ଫାଉଣ୍ଡେସନ୍ ଦୁଇଟି ସଂସ୍ଥା ଦ୍ୱାରା ପରିଚାଳିତ । ପରିଚାଳନା ସଂସ୍ଥା ଏବଂ କାର୍ଯ୍ୟନିର୍ବାହୀ ସଂସ୍ଥା। ପରିଚାଳନା ସଂସ୍ଥା ହେଉଛି ଏକ ୧୦ ସଦସ୍ୟ ବିଶିଷ୍ଟ ସଂସ୍ଥା ଯାହାର ଅଧ୍ୟକ୍ଷ ହେଉଛନ୍ତି ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ।

ବାର୍ଷିକ କାର୍ଯ୍ୟ ଯୋଜନା ପ୍ରସ୍ତୁତ ଏବଂ ଅନୁମୋଦନ କରିବା ଏବଂ ଫାଉଣ୍ଡେସନ୍ ର ସମସ୍ତ ଖର୍ଚ୍ଚ ବିଚାର ଏବଂ ଅନୁମୋଦନ କରିବା ପାଇଁ ବାର୍ଷିକ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଥାଏ । ସିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଫାଉଣ୍ଡେସନର ସମସ୍ତ କାର୍ଯ୍ୟକଳାପ ସିମିଳିପାଳର କ୍ଷେତ୍ର ନିର୍ଦ୍ଦେଶକଙ୍କ ଅଧୀନରେ ସିମିଳିପାଳ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ପାଦିତ ହୁଏ। ୨୦୨୫-୨୬ ବର୍ଷ ପାଇଁ ୧୦ କୋଟି ୪୮ ଲକ୍ଷ ଟଙ୍କାର ବଜେଟ୍ ପ୍ରସ୍ତାବିତ ଓ ଗୃହୀତ ହୋଇଛି।

-0-

ମାନସ ରଞ୍ଜନ ଖୁଣ୍ଟିଆ ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *