ଜଗତସିଂହପୁର ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ- ୨୦୨୪ ପାଳିତ

ଜଗତସିଂହପୁର, ୦୬/୦୩/୨୦୨୪ (ଓଡ଼ିଶା ସମାଚାର)-ଆଜି ପୂର୍ବାହ୍ନ ରେ ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଏବର୍ଷ ର ବାର୍ତ୍ତା ରହିଛି “ମହିଳା ଙ୍କ ଉପରେ ନିବେଶ କରନ୍ତୁ-ପ୍ରଗତି କୁ ତ୍ୱରାନ୍ୱିତ କରନ୍ତୁ “।ଏହି ଜିଲ୍ଲା ସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି କହିଲେ ଯେ ଶିକ୍ଷାର ପ୍ରକୃତ ଅର୍ଥ ହେଉଛି ନୈତିକ ମୂଲ୍ୟବୋଧର ବିକାଶ। ତେଣୁ ପ୍ରତ୍ୟେକ ଶିକ୍ଷିତ ନାଗରିକ ନିଜର ମାନସିକତା ରେ ପରିବର୍ତ୍ତନ ଆଣିବା ଦରକାର, ଯାହାଫଳରେ ସମାଜ ରେ ନାରୀ ମାନେ ଉନ୍ନତି ର ଶିଖର ରେ ପହଞ୍ଚି ପାରିବେ ଓ ଏକ ସୁସ୍ଥ ସମାଜ ଗଠନ ହୋଇପାରିବ।ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ନାରୀ ଓ ପୁରୁଷ କୁ ସମାନ୍ତରାଳ ଭାବେ କାର୍ଯ୍ୟ କରି କୁସଂସ୍କାର କୁ ଦୂର କରିବା ପାଇଁ ଚେଷ୍ଟା କରିବାକୁ ପ୍ରେରଣା ଦେଇଥିଲେ। ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ପ୍ରତ୍ୟେକ ଦିନ କୁ ମହିଳା ମାନଙ୍କ ଦିନ ବୋଲି ଅଭିହିତ କରିଥିଲେ। ସମାଜ ରେ, ପରିବାର ରେ ସବୁବେଳେ ନାରୀ ମାନେ ସଶକ୍ତ ଓ ସ୍ୱାବଲମ୍ବୀ ହେବା ଦରକାର। ପ୍ରତ୍ୟେକ ନାରୀ ପାଖରେ ଏକ ଅଦ୍ଭୁତ ଶକ୍ତି ରହିଛି ଯାହା ସମସ୍ତ ନକାରାତ୍ମକ ପରିବେଶ ରେ ମଧ୍ୟ ସକାରାତ୍ମକ ଚିନ୍ତାଧାରା ଉଦ୍ରେକ କରିବାରେ ସମର୍ଥ ବୋଲି ଜିଲ୍ଲାପାଳ କହିଥିଲେ। ଉପସ୍ଥିତ ସମସ୍ତ ମହିଳା ତଥା ଛାତ୍ରଛାତ୍ରୀ ମାନଙ୍କୁ ଏକ ସୁସ୍ଥ ପରିବେଶ ଏବଂ ସମାଜ ଗଠନ ଦିଗରେ କର୍ତ୍ତବ୍ଯ ରତ ହେବାପାଇଁ ସେ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସୁନନ୍ଦା ପାଢୀ ମାନସିକ ସ୍ତରରେ ଶକ୍ତ ହୋଇ ଆଇନ ମାଧ୍ୟମରେ ନିଜର ଅଧିକାର ପାଇଁ ଲଢିବାକୁ ଉପସ୍ଥିତ ମହିଳା ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ପ୍ରାରମ୍ଭ ରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନମିତା ରାଉତ ସଭାରେ ଅତିଥି ପରିଚୟ ପ୍ରଦାନ ଓ ସ୍ଵାଗତ ଭାଷଣ ସହ ଆଜି ଦିବସ ର ଅଭିପ୍ରାୟ ଉପସ୍ଥାପନ କରିଥିଲେ। ଅନ୍ୟ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀମତୀ ସୁଜାତା ମିଶ୍ର ସଶକ୍ତ ଓ ସ୍ୱାବଲମ୍ବୀ ହେବା ହିଁ ନାରୀ ର ପ୍ରକୃତ ପରିଚୟ ବୋଲି କହିଥିଲେ। ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଧନେଶ୍ବରୀ ନାୟକ ସ୍ୱାସ୍ଥ୍ୟ ଓ ଶିକ୍ଷା କୁ ଗୁରୁତ୍ଵ ଦେଇ ସ୍ଵଚ୍ଛ ସମାଜ ଗଠନ ପାଇଁ ଆହ୍ଵାନ ଦେଇଥିଲେ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ ନାରୀ ଓ ପୁରୁଷ ଉଭୟ ସମାଜ ର ଅବିଚ୍ଛେଦ୍ୟ ଅଙ୍ଗ ବୋଲି କହିଥିଲେ ଏବଂ ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜର ମନୋବୃତ୍ତି ରେ ପରିବର୍ତ୍ତନ ଆଣିପାରିଲେ ଏକ ବିକଶିତ ସମାଜ ଗଠନ ହୋଇପାରିବ ବୋଲି ମନ୍ତବ୍ୟ ଦେଇଥିଲେ। ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଅଂଶୁପା ସାହୁ ଆନ୍ତର୍ଜାତୀୟ ମହିଳା ଦିବସ ର ଇତିହାସ କୁ ମନେପକାଇ ମହିଳା ମାନଙ୍କ ଠାରେ ଚିନ୍ତା, ଚେତନା ଓ ପୁଞ୍ଜି ର ନିବେଶ ଦ୍ଵାରା ଏକ ପ୍ରଗତିଶୀଳ ରାଷ୍ଟ୍ର ଗଠନ ହୋଇପାରିବ ବୋଲି ଆଶା ପୋଷଣ କରିଥିଲେ। ଏହି ସମାରୋହରେ ଶ୍ରେଷ୍ଠ ଅଙ୍ଗନବାଡି କେନ୍ଦ୍ର, ଆଇ ସି ଡି ଏସ୍  ସୁପରଭାଇଜର ମାନଙ୍କୁ ଅତିଥି ମାନେ ଅର୍ଥ ରାଶି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ବିଜୁ କନ୍ୟା ରତ୍ନ ଓ ବେଟୀ ବଚାଓ, ବେଟୀ ପଢାଓ ଅଭିଯାନ ତରଫରୁ ଜିଲ୍ଲା ର ଆଶା କର୍ମୀ,ଅଙ୍ଗନବାଡି କର୍ମୀ ଏବଂ ଶିକ୍ଷା ତଥା କ୍ରୀଡା କ୍ଷେତ୍ରରେ ଜିଲ୍ଲା ର କୃତୀ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହାଛଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟର କର୍ମଚାରୀ କମିଟି ଦ୍ଵାରା  ସାଧାରଣତନ୍ତ୍ର ଦିବସରେ ଆୟୋଜିତ ହୋଇଥିବା ଆଥଲେଟିକ୍ ପ୍ରତିଯୋଗିତା ର କୃତୀ ମହିଳା କର୍ମଚାରୀ ମାନଙ୍କୁ ଜିଲ୍ଲାପାଳ ପୁରସ୍କୃତ କରିଥିଲେ। ପରିଶେଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି  ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭ ରେ କୃଷ୍ଣା କଲଚରାଲ ଗ୍ରୁପ ଦ୍ବାରା ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ସୁବାଷ୍ ଚନ୍ଦ୍ର ରାଉତ ମଞ୍ଚ ପରିଚାଳନା କରିଥିଲେ। ଏହି ଜିଲ୍ଲା ସ୍ତରୀୟ ସମାରୋହରେ ଜିଲ୍ଲାର ଆଇ ସି ଡି ଏସ୍ ସୁପରଭାଇଜର, ସ୍ଵୟଂ ସହାୟକ ଗୋଷ୍ଠୀ ର ମା ମାନେ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ବିଦ୍ୟାଳୟ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ,ସହରର ବୁଦ୍ଧିଜୀବୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *