ଗରଦପୁରରେ ଶ୍ରୀ ଜୀଉ ଙ୍କ ବାହୁଡା଼ ଯାତ୍ରା – ସନ୍ଧ୍ୟାରେ ରଥ ଚକଡା ରେ ଲାଗିଲା

ରଥରେ ତୁଳସୀ ଓ ସୁନାବେଶରେ ଶ୍ରୀ ଜୀଉ ମାନେ ଶୋଭା ପାଉଛନ୍ତି

ପାଟକୁରା,୦୬/୦୭/୨୦୨୫ (ଓଡିଶା ସମାଚାର)-ଗତକାଲିଥିଲା ପବିତ୍ର ବାହୁଡା଼ ଦଶମୀ । ଅପରାହ୍ନ ପାଞ୍ଚଟା ସମୟରେ ଗରଦପୁର ବ୍ଳକ ଅଧୀନ ଗରଦପୁର ମାଉସୀ ମା ମନ୍ଦିରରୁ ସେବାୟତମାନେ ନାମ ସଂକିର୍ତନ, ଶ୍ରଦ୍ଧାଳୁଙ୍କ ହରିବୋଲ ହୁଳହୁଳି ଧ୍ୱନି ମଧ୍ୟରେ ଶ୍ରୀ ଜୀଉ ମାନଙ୍କୁ ଧାଡି ପହଣ୍ଡିରେ ଆଣି ରଥ ପରିକ୍ରମା କରି ରଥାରୂଢ କରିଥିଲେ । ପ୍ରଥମେ ସୁଦର୍ଶନ ,ତାପରେ ଶ୍ରୀ ବଳଦେବଜୀଉ ଧାଡି ପହଣ୍ଡିରେ ଆସିବା ପରେ ମା ସୁଭଦ୍ରା ଓ ଶ୍ରୀ ଜଗନ୍ନାଥଙ୍କୁ ସେବାୟତ ମାନେ ଧାଡି ପହଣ୍ଡିରେ ଆଣି ରଥାରୂଢ କରାଇଥିଲେ । ସେବାୟତ ନରେନ୍ଦ୍ରନାଥ ପଣ୍ଡା, ଅଧ୍ୟାପକ ରମାକାନ୍ତପାଣି, ମାୟାଧର ପଣ୍ଡା, ରଞ୍ଜନ କୁମାର ପଣ୍ଡା, ରମାକାନ୍ତ ଶୁକ୍ଳ, ପ୍ରମୋଦ ପାଣି, ଉମାକାନ୍ତ ପାଣି, ପ୍ରଶନ୍ନ କୁମାର ପାଣି, ଗୋପାଳ ପଣ୍ଡା, ବାବାଜୀ ଚରଣପଣ୍ଡା ଓ ପବନା ଶୁକ୍ଳ ପ୍ରମୁଖ ସେବାୟତମାନେ ଧାଡିପହଣ୍ଡିରେଶ୍ରୀ ଜୀଉ ମାନଙ୍କୁ ଆଣିଥିଲେ ।

ତାପରେ ଶ୍ରଦ୍ଧାଳୁ ମାନେ ରଥ ଉପରକୁ ଯାଇ ରଥାରୂଢ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରିଥିଲେ । କଳାବୁଦା, ପାଖଡ଼, ବ୍ରହ୍ମପୁର, ତଳକୁସୁମା, ଜଗନାଥ ପୁର, ପାଟକୁରା, ଜଗଦଳପୁର, ଯମୁନାବାଦ, ବେଡାରୀ, କୁଳତୁଠୀ, ହରିଦାସପୁର, ବିଚଣା, ଗୋତ୍ରବିଲ, କିଣିଲୋ,ମହାମୁଦା, ପଦ୍ମପୁର,ପରକଣା, ଶ୍ରୀଚନ୍ଦନପୁର,ପ୍ରଭୁତି ଆଖପାଖ ଗ୍ରାମରୁ ଶ୍ରଦ୍ଧାଳୁମାନେ ଅସି ରଥରେ ଶ୍ରୀ ଜୀଉ ମାନଙ୍କୁ ଦର୍ଶନ କରି ଥିଲେ । ସନ୍ଧ୍ୟା ରେ ଜୀଉମାନଙ୍କ ନିକଟରେ ପ୍ରସାଦ ଲାଗିହେବାପରେ ସନ୍ଧ୍ୟା ଆଳତି ହୋଇଥିଲା । ଆଜି ରଥରେ ଶ୍ରୀ ବଳଦେବ ଜୀଉ, ମା ସୁଭଦ୍ରା ଠାକୁର ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ଫେରିବା ବାଟରେ ରଥ ମାଉସୀ ମା ମଣ୍ଡପ ନିକଟରେ ଅଟକି ଥିଲା । ଠାକୁର ରାଜା ଶୁଭମ ପାଣିଙ୍କ ପରିବାର ର ତତ୍ୱାବଧାନରେ ପ୍ରସ୍ତୁତ ପୋଡପିଠା ଶ୍ରୀଜୀଉଙ୍କ ଠାରେ ଲାଗିହୋଇଥିଲା ।

ପୋଡ଼ପିଠା ଖାଇବାପରେ ଶ୍ରୀଜୀଉ ମାନେ ରଥରେ ଶ୍ରୀ ବଳଦେବ ଜୀଉ ମନ୍ଦିର ଅଭିମୁଖେଯାତ୍ରା କରିଥିଲେ । ସନ୍ଧ୍ୟା ପ୍ରାୟ ଛଅ ଟା ତିରିଶ ମିନିଟିରେ ରଥ ଚକଡାରେ ଲାଗିଥିଲା । ବିଭିନ୍ନ ଗ୍ରାମରୁ ଆସିଥିବା ଶ୍ରଦ୍ଧାଳୁ ମାନେ ଆନନ୍ଦ ଉଲ୍ଲାସରେ ରଥ ଟାଣିଥିଲେ । ରଥରେ ଶ୍ରୀଜୀଉ ମାନଙ୍କୁ ତୁଳସୀ ଓ ସୁନାବେଶ କରାଯାଇଥିଲା । ସନ୍ଧ୍ୟା ଆଳତି ପରେ ଶ୍ରୀ ଜୀଉ ମାନଙ୍କୁ ବଡ଼ ସିଂହାର ବେଶ କରାଯାଇଥିଲା । ତା ପରେ ବିଭିନ୍ନ ଫଳ ଓ ଚୁଡା ଘଷା ଭୋଗ ଠାକୁରଙ୍କ ଠାରେ ଲାଗି କରାଯାଇଥିଲା । ଆସନ୍ତା କାଲି ସୋମବାର ରାତି ସାତଟା ସମୟରେ ଠାକୁରଙ୍କ ଠାରେ ଅଧର ପଣା ନିତୀ ସମାପନ ହେବାପରେ ଶ୍ରୀ ଜୀଉ ମାନଙ୍କୁ ଶ୍ରୀ ବଳଦେବଜୀଉ ମନ୍ଦିର ରତ୍ନ ବେଦୀରେ ଆସୀନ କରାଯିବ ବୋଲି ଜଗନ୍ନାଥଙ୍କ ମୁଖ୍ୟ ସେବାୟତ ଅଧ୍ୟାପକ ରମାକାନ୍ତ ପାଣି ସୂଚନା ଦେଇଛନ୍ତି ।

ଗତକାଲି ମାଉସୀ ମା ମନ୍ଦିର ନିକଟରେ ପୂର୍ବତନ ସାଂସଦ ତଥା କିଟ୍ ର ପ୍ରତିଷ୍ଠାତା ଡକ୍ଟର ଅଛ୍ୟୁତ ସାମନ୍ତ ଙ୍କ ତରଫରୁ ସମାଜସବୀ ଦିଲ୍ଲୀପ ନାୟକଙ୍କ ତତ୍ୱାବଧାନରେ ଶ୍ରଦ୍ଧାଳୁମାନଙ୍କୁ ନିଃଶୁଳ୍କ ପ୍ରସାଦ ବଣ୍ଟନ କରାଯାଇଥିଲା । ଶ୍ରଦ୍ଧାଳୁଙ୍କୁ ଶୃଙ୍ଖଳିତ ପ୍ରସାଦ ବଣ୍ଟନ କାର୍ୟ୍ୟରେ ଗରଦପୁର ଗ୍ରାମର ନିରୋଦ କୁମାର ପାଣି, ଶିକ୍ଷାବିତ ଗୌରାଙ୍ଗ ରଥ, ଅତନୁ କୁମାର ପଣ୍ଡା, ସରୋଜ କୁମାର ପଣ୍ଡା, ରଞ୍ଜନ କୁମାର ପଣ୍ଡା, ନବାବ କୁମାର ପଣ୍ଡା, ହେମନ୍ତ କୁମାର ରଥ ପ୍ରମୁଖ ସହଯୋଗ କରିଥିଲେ । ବାହୁଡା଼ ଯାତ୍ରାରେ ରଥ ଦାଣ୍ଡରେ ଅଇନ ଶୃଙ୍ଖଳା ରକ୍ଷା କରିବାକୁ ପାଟକୁରା ଥାନା ଇନିସପେକ୍ଟର ମହମ୍ମଦ ଜାମସେଦ ଙ୍କ ତତ୍ୱାବଧାନରେ ପୋଲିସ ବାହିନୀ ମୁତୟନ ହୋଇଥିଲେ ।

Leave a Reply

Your email address will not be published. Required fields are marked *