ତେଲେଙ୍ଗାନା ସିଗାଚୀ ଫାର୍ମା କମ୍ପାନୀରେ ଘଟିଥିବା ଦୁର୍ଘଟଣାରେ ଓଡ଼ିଶାର ୪ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିବାବେଳେ ୫ଜଣ ବ୍ୟକ୍ତି ନିଖୋଜ ଥିବା ସୂଚନା

ଭୁବନେଶ୍ୱର, ୦୨/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-  ଜୁଲାଇ ୧ ତାରିଖରେ ତେଲେଙ୍ଗାନା ରାଜ୍ୟର ସଙ୍ଗାରେଡ୍ଡୀ ଜିଲ୍ଲା ସ୍ଥିତ ସିଗାଚୀ ଫାର୍ମା କମ୍ପାନୀରେ ଘଟିଥିବା ଦୁର୍ଘଟଣାରେ ଏଯାବତ୍‌ ଓଡ଼ିଶାର ୪ଜଣ ବ୍ୟକ୍ତି ମୃତ୍ୟୁ ବରଣ କରିଥିବାବେଳେ ୫ଜଣ ବ୍ୟକ୍ତି ନିଖୋଜ ରହିଥିବାର ସୂଚନା ମିଳିଛି। ଏଥିସହ ୪ଜଣ ଓଡ଼ିଆ ବ୍ୟକ୍ତି ଆହତ ହୋଇ ନିକଟତମ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ଏହି ସମସ୍ତ ଓଡ଼ିଆ ବ୍ୟକ୍ତି ସିଗାଚୀ ଫାର୍ମା କମ୍ପାନୀର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ ଓଡ଼ିଆ ବ୍ୟକ୍ତିମାନଙ୍କର ଉଦ୍ଧାର କାର୍ଯ୍ୟ ସମେତ ପରିବାରବର୍ଗଙ୍କୁ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବା ନିମନ୍ତେ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ୨ଜଣ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି।

୨ଜଣ ଅଧିକାରୀ – ଡ଼. ଚନ୍ଦ୍ର ଶେଖର ହୋତା ଏବଂ ଶ୍ରୀ ପ୍ରୀତିଶ କୁମାର ପଣ୍ଡା ଘଟଣାସ୍ଥଳରେ ପହଂଚି ନିଖୋଜ ରହିଥିବା ଓଡ଼ିଆ ବ୍ୟକ୍ତିମାନଙ୍କର ସନ୍ଧାନ ନିମନ୍ତେ ସଙ୍ଗାରେଡ୍ଡୀ ଜିଲ୍ଲା ପ୍ରଶାସନକୁ ସହଯୋଗ କରୁଛନ୍ତି। ଏଥିସହିତ ଅଧିକାରୀମାନେ ଆହତ ହୋଇଥିବା ଓଡ଼ିଆ ବ୍ୟକ୍ତିମାନଙ୍କୁ ଚିକତ୍ସାଳୟରେ ଭେଟିଛନ୍ତି । ଆହତ ହୋଇଥିବା ବ୍ୟକ୍ତିମାନଙ୍କର ଚିକିତ୍ସା ନିମନ୍ତେ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରାଯାଇଛି। ମୃତ୍ୟୁବରଣ କରିଥିବା ଓଡ଼ିଆ ବ୍ୟକ୍ତିମାନଙ୍କର ମୃତ ଶରୀରକୁ ଓଡ଼ିଶାକୁ ଫେରେଇ ଆଣିବା ସହ ସେମାନଙ୍କ ପରିବାର ବର୍ଗକୁ ସାହାଯ୍ୟ କରିବା ନିମନ୍ତେ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

-0-

ଅମ୍ଳାନ ଦାସ ,ଲୋକସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *