ରାଷ୍ଟ୍ରୀୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ପ୍ରଦାନ

                             ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହିଂସା ବିରୁଦ୍ଧରେ ରାଷ୍ଟ୍ରୀୟ ହିନ୍ଦୁ ସଂଗଠନର ପଦକ୍ଷେପ

ଭୁବନେଶ୍ୱର,୨୪/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଷ୍ଟ୍ରୀୟ ହିନ୍ଦୁ ସଂଗଠନ, ଓଡ଼ିଶା ପ୍ରଦେଶ ପକ୍ଷରୁ ଆଜି ମହାମହିମ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ (ମାନନୀୟ ଓଡ଼ିଶା ରାଜ୍ୟପାଳଙ୍କ ଜରିଆରେ) ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ସ୍ମାରକ ପତ୍ରରେ ପଡ଼ୋଶୀ ଦେଶ ବାଂଲାଦେଶରେ ହିନ୍ଦୁ ସମୁଦାୟ ଉପରେ ଚାଲିଥିବା ନିରନ୍ତର ହିଂସା, ହତ୍ୟା, ଲୁଟପାଟ, ବଳପୂର୍ବକ ବିସ୍ଥାପନ ଓ ଧାର୍ମିକ ସ୍ଥଳ ଧ୍ୱଂସ ଭଳି ଅମାନବୀୟ ଘଟଣା ପ୍ରତି ଗଭୀର ଚିନ୍ତା ପ୍ରକାଶ କରାଯାଇଛି। ସଂଗଠନର ମତାନୁସାରେ, ଏହି ଘଟଣାଗୁଡ଼ିକ କେବଳ ମାନବାଧିକାରର ଘୋର ଉଲ୍ଲଂଘନ ନୁହେଁ, ବରଂ ସମଗ୍ର ଦକ୍ଷିଣ ଏସିଆ ଅଞ୍ଚଳର ଶାନ୍ତି ଓ ସ୍ଥିରତା ପାଇଁ ମଧ୍ୟ ଗଭୀର ଆଶଙ୍କା ସୃଷ୍ଟି କରୁଛି। ବାଂଲାଦେଶ ସରକାରଙ୍କ ତରଫରୁ ହିନ୍ଦୁମାନଙ୍କ ସୁରକ୍ଷା ନିମନ୍ତେ ପ୍ରଭାବଶାଳୀ ପଦକ୍ଷେପ ନ ନେଉଥିବା ନେଇ ସଂଗଠନ ଗଭୀର ଅସନ୍ତୋଷ ପ୍ରକାଶ କରିଛି।

ରାଷ୍ଟ୍ରୀୟ ହିନ୍ଦୁ ସଂଗଠନ ଦାବି କରିଛି ଯେ ଭାରତ ହେଉଛି ବିଶ୍ୱର ହିନ୍ଦୁମାନଙ୍କର ସାଂସ୍କୃତିକ ଓ ସଭ୍ୟତାଗତ ମାତୃଭୂମି । ତେଣୁ ବାଂଲାଦେଶରେ ନିର୍ଯ୍ୟାତିତ ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ଭାରତ ସରକାରଙ୍କର ନୈତିକ ଓ ଐତିହାସିକ ଦାୟିତ୍ୱ ରହିଛି।

ସ୍ମାରକ ପତ୍ର ମାଧ୍ୟମରେ ସଂଗଠନ ପକ୍ଷରୁ ବାଂଲାଦେଶ ସରକାର ସହ ଉଚ୍ଚସ୍ତରୀୟ କୂଟନୀତିକ ଆଲୋଚନା, ଜାତିସଂଘ ସହିତ ଆନ୍ତର୍ଜାତୀୟ ମଞ୍ଚରେ ବିଷୟଟି ଉଠାଇବା, ହିଂସା ପୀଡ଼ିତ ହିନ୍ଦୁମାନଙ୍କ ପାଇଁ ମାନବୀୟ ସହାୟତା ଓ ପୁନର୍ବାସ ବ୍ୟବସ୍ଥା, ଏବଂ ଆବଶ୍ୟକ ହେଲେ ସୁରକ୍ଷାମୂଳକ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ଜଣାଇଛି।

ଏହି ଅବସରରେ ସଂଗଠନର ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଡଃ ସୁନୀତି ମୁଣ୍ଡ କହିଛନ୍ତି ଯେ, “ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଆଉ ବରଦାସ୍ତ କରାଯାଇ ପାରିବ ନାହିଁ। ଭାରତ ସରକାର ଏହି ବିଷୟରେ ଦୃଢ଼, ସ୍ପଷ୍ଟ ଓ ନିର୍ଣ୍ଣାୟକ ପଦକ୍ଷେପ ନେବେ ବୋଲି ଆମେ ଦାବି କରୁଛୁ।” ଏହି ସ୍ମାରକ ପତ୍ର ପ୍ରଦାନ ଅବସରରେ ଭେଟେରାନ୍ ବିଦ୍ୟାଧର ନାୟକ, ଅମରେନ୍ଦ୍ର ପ୍ରସାଦ ସାହୁ,  ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *