ପବିତ୍ର ରଥଯାତ୍ରା ଉପଲକ୍ଷେ ଶ୍ରୀ ଜଗନ୍ନାଥ ଭକ୍ତି ସଂଗୀତ ସମାରୋହ – ‘ଗୁହାରି ୨୦୨୫’ ଉଦଘାଟିତ ।

ଭୁବନେଶ୍ୱର, ୦୧/୦୭/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୫’ର ଉଦଘାଟନୀ ଉତ୍ସବ ଭୁବନେଶ୍ୱରର ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଅବସ୍ଥିତ ଉତ୍କଳ ରଙ୍ଗମଂଚରେ ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶ ଭିତରେ ଆରମ୍ଭ ହୋଇଯାଇଅଛି । ଏହି ତିନି ଦିନିଆ ସଙ୍ଗୀତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରର ବିଶିଷ୍ଟ କଣ୍ଠଶିଳ୍ପୀମାନେ ଯୋଗଦାନ କରୁଅଛନ୍ତି । ପବିତ୍ର ରଥଯାତ୍ରା ସମୟରେ ଏହି ଉତ୍ସବ ଆୟୋଜନ କରିବାର ମୂଳ ଉଦ୍ଧେଶ୍ୟ ଶ୍ରୀଜଗନ୍ନାଥଙ୍କ ଭକ୍ତି ସଙ୍ଗୀତକୁ ଲୋକ ଲୋଚନକୁ ଆଣି ତାର ପ୍ରଚାର ଓ ପ୍ରସାର କରିବା ।

ଉଦଘାଟନୀ ଉତ୍ସବର ଅତିଥିମାନେ ଥିଲେ ବିଶିଷ୍ଟ ସଂସ୍କୃତ ଭାଷାବିତ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର; ଓଡ଼ିଶା ସରକାରଙ୍କର ଅନୁସୁଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗର ଯୁଗ୍ମ ଶାସନ ସଚିବ ପ୍ରଣତୀ ପାତ୍ର; ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଧେଶକ ଦେବଯାନୀ ଭୁୟାଁ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନୁଜା ତାରିଣୀ ମିଶ୍ର ।

ସଂଧ୍ୟାରେ ପ୍ରଥମେ ଓଡ଼ିଶୀ ଗବେଷଣା କେନ୍ଦ୍ରର ଶିଳ୍ପୀମାନେ ବୃନ୍ଦ ଗାୟନରେ ଜଗନ୍ନାଥ ସ୍ୱାମୀ ନୟନ ପଥଗାମି ଭବତୁମେ ପରିବେଷଣ କରିଥିଲେ । ପରେ ପରେ ବିଶିଷ୍ଟ ଗାୟକ ଦୁଃଖିଶ୍ୟାମ ତ୍ରିପାଠୀ ପରିବେଷଣ କରିଥିଲେ ଡ଼କ୍ଟର ଜାନକୀ ବଲ୍ଲଭ ମହାନ୍ତିଙ୍କ ଦ୍ୱାରା ରଚିତ କାଳ କାଳ ଥିବ ରହି ହେ ଓ ନିତ୍ୟାନନ୍ଦ ଦାଶଙ୍କ ରଚିତ ତୁମ୍ଭ ଶୁଣିବାକୁ ମୋହ କହି । ପରବର୍ତୀ ପ୍ରସ୍ତୁତିରେ ଥିଲା ସୁନାମଧନ୍ୟ ଗାୟିକା ସୁଶ୍ମିତା ଦାଶଙ୍କ ଦ୍ୱାରା ସାଲବେଗଙ୍କ ଦ୍ୱାରା ରଚିତ ବୃନ୍ଦାବନେ ବଂଶୀ କେ ବଜାଇଲା ଓ ଭୀମଭୋଇଙ୍କ ଦ୍ୱାରା ରଚିତ ଭାଗ୍ୟ ଥିଲେ ଧରା ଧର ।

ତା ପରେ ପ୍ରଖ୍ୟାତ ଗାୟକ ତଥା ସଙ୍ଗୀତ ନିର୍ଦ୍ଧେଶକ ଲକ୍ଷ୍ମୀକାନ୍ତ ପାଲିତ୍ ପରିବେଷଣ କରିଥିଲେ ସାଲବେଗଙ୍କ ରଚିତ ଶ୍ରୀକୃଷ୍ଣଙ୍କ ବଂଶୀ ଧ୍ୱନୀ ଓ କେଣେ ଘେନି ଯାଉଛ । ପରେ ପରେ ଭାଗ୍ୟଶ୍ରୀ ମହାନ୍ତି ପରିବେଷଣ କରିଥିଲେ ଚନ୍ଦନ ଲାଗି ସମୟେ ଓ କାହାକୁ କରିବଇଁ ସାକ୍ଷୀ । ତାଙ୍କ ପରେ ବିଷ୍ଣୁମୋହନ କବିଙ୍କ ଦ୍ୱାରା ଆହେ ନୀଳ ଶଇଳ ଓ ଜଗବନ୍ଧୁ ହେ ଗୋସାଇଁ ପରିବେଷିତ ହୋଇଥିଲା ।

ଶେଷରେ ସଞ୍ଜୁ ମହାନ୍ତି ପରିବେଷଣ କରିଥିଲେ ଗୋ ରାଧେ ବଂଶୀଟି ଆମର ଓ ଦୀନବନ୍ଧୁ ଦଇତାରୀ । ସେମାନଙ୍କୁ ଯନ୍ତ୍ରାଂଶରେ ସହଯୋଗ କରିଥିଲେ ତବଲାରେ ମନୋରଞ୍ଜନ ଅଧିକାରୀ, ଢୋଲକରେ ସନ୍ଦୀପ ସାହୁ, ବଂଶୀରେ ଜବାହାର ମିଶ୍ର, ଅକଟୋପ୍ୟାଡ଼ରେ ସାମୁୟେଲ ଖୁଂଟିଆ, କିବୋର୍ଡ଼ରେ ସୁବ୍ରତ ରାଉତରାୟ ଏବଂ ହାରାମୋନିୟମ୍‍ରେ ଅଜୟ କୁମାର ଦାଶ । ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ଶିଳ୍ପୀମାନଙ୍କର ଭକ୍ତିପୁତ ସଙ୍ଗୀତ ପରିବେଷଣ ବେଶ୍ ଶ୍ରୃତିମଧୁର ଥିଲା ଯାହାକୁ ଦର୍ଶକ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ବେଶ୍ ପ୍ରଶଂସା କରିଥିଲେ ।

କାର୍ଯ୍ୟକ୍ରମଟିକୁ ସଂଚାଳନ କରିଥିଲେ ଡ଼କ୍ଟର ମୃତୁ୍ୟଞ୍ଜୟ ରଥ । ଜଗନ୍ନାଥଙ୍କ ଉପରେ ଏହି ପବିତ୍ର ରଥଯାତ୍ର ସମୟରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଏହି ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ‘ଗୁହାରି’ ଅତ୍ୟନ୍ତ ଉଚ୍ଚାଭିଳାଷ ପଦକ୍ଷେପ । ଏହି ଗୁହାରି ସଙ୍ଗୀତ ଉତ୍ସବଟି ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ୟୁଟୁ୍ୟବ୍ ଚେନାଲରେ ସିଧାପ୍ରସାରଣ କରାଯାଉଅଛି ।

Leave a Reply

Your email address will not be published. Required fields are marked *